ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍ଙ୍କ ଶେଷ କଲ୍
ନୂଆଦିଲ୍ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬ ଜଣ ଲୋକ ଯାତ୍ରା କରୁଥିଲେ, ଯେଉଁମାନେ ବୋଷ୍ଟନ ଯାଉଥିଲେ। ବିମାନର ଭଗ୍ନାଂଶ ମିଳିଥିବା ନେଇ ଖବର ମଧ୍ୟ ଆସୁଛି, ମାତ୍ର ଏପର୍ଯ୍ୟନ୍ତ ଏହାର କୌଣସି ଆନୁଷ୍ଠାନିକ ପୁଷ୍ଟି ହୋଇନାହିଁ। ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ବିମାନଟି ରାଡାରରୁ ଅଦୃଶ୍ୟ ହେବାର ଖବର ପାଇବା କ୍ଷଣି ସତର୍କ ସୂଚନା (ଆଲର୍ଟ) ଜାରି କରିଥିଲା। ଏହା ପରେ ଆମେରିକୀୟ ତଟରକ୍ଷୀ ବାହିନୀ (US Coast Guard) ନିଜର ଅନୁସନ୍ଧାନକାରୀ ବିମାନ ଏବଂ ସାମୁଦ୍ରିକ ଜାହାଜଗୁଡ଼ିକୁ ମହାସାଗରରେ ନିୟୋଜିତ କରିଛନ୍ତି। ତଟରକ୍ଷୀ ବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସେମାନେ ନାନଟକେଟ (Nantucket) ର ଦକ୍ଷିଣ ଦିଗରେ ସମୁଦ୍ର ପାଣିରେ ଭଗ୍ନାଂଶ ଦେଖିବାକୁ ପାଇଛନ୍ତି, କିନ୍ତୁ ଏହା କାହାର ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ରାତି ପ୍ରାୟ ୧:୨୦ ସମୟରେ ଆଲର୍ଟ ଜାରି କରାଯାଇଥିଲା। ନିଖୋଜ ହୋଇଥିବା ବିମାନଟି କାନାଡ଼ାରେ ପଞ୍ଜୀକୃତ ଏକ ‘ଗଲ୍ଫଷ୍ଟ୍ରିମ G100’ ଜେଟ ଥିଲା, ଯାହାକୁ ‘ଲ୍ୟାଟିଚ୍ୟୁଡ ଏୟାର ଆମ୍ୱୁଲାନ୍ସ’ ପରିଚାଳନା କରୁଥିଲା। ଏହି ବିମାନଟି ୬ ଜଣ ଯାତ୍ରୀଙ୍କୁ ନେଇ ଶନିବାର ସ୍ଥାନୀୟ ସମୟ ରାତି ପ୍ରାୟ ୧୨:୪୧ ରେ ବର୍ମୁଡାର ଏଲ.ଏଫ. ୱାଡେ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଏବଂ ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। କିନ୍ତୁ ଅବତରଣ ପୂର୍ୱରୁ ଆଟଲାଣ୍ଟିକ ମହାସାଗର ଉପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ଦେଖୁଦେଖୁ ବିମାନଟି ଏଟିସିର ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା।
ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ବିମାନରେ ୨ ଜଣ ପାଇଲଟ, ୨ ଜଣ ମେଡିକାଲ କର୍ମଚାରୀ ଏବଂ ୨ ଜଣ ରୋଗୀଙ୍କୁ ମିଶାଇ ସମୁଦାୟ ୬ ଜଣ ଲୋକ ସବାର ଥିଲେ। କିନ୍ତୁ ଏଟିସି ସହିତ ସମ୍ପର୍କ ବିଚ୍ଛିନ୍ନ ହେବା ପୂର୍ୱରୁ ପାଇଲଟ ବିମାନର ବିଦ୍ୟୁତ ବ୍ୟବସ୍ଥା (electricity system) ଠପ ହୋଇଯିବା ଏବଂ ବୈଷୟିକ ତ୍ରୁଟି ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ପର୍କ ବିଚ୍ଛିନ୍ନ ହେବା ପୂର୍ୱରୁ ବିମାନଟି ୨୪,୦୦୦ ଫୁଟ ଉଚ୍ଚତାରେ ଉଡ଼ୁଥିଲା। କିନ୍ତୁ ମାତ୍ର ୨ ମିନିଟ ମଧ୍ୟରେ ହିଁ ବିମାନଟି ଦ୍ରୁତ ଗତିରେ ପ୍ରାୟ ୧୩,୦୦୦ ଫୁଟ ତଳକୁ ଖସି ଆସିଥିଲା। ଏହା ପରେ ମାସାଚୁସେଟ୍ସ ଉପକୂଳ ନିକଟବର୍ତ୍ତୀ ନାନଟକେଟ ଠାରୁ ପ୍ରାୟ ୮୦ ମାଇଲ ଦକ୍ଷିଣରେ ବିମାନଟି ନିଖୋଜ ହୋଇଯାଇଥିଲା ଏବଂ ରାଡାରରୁ ମଧ୍ୟ ଅପସାରିତ ହୋଇଯାଇଥିଲା। ପାଇଲଟଙ୍କ ସହ ବାରମ୍ୱାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା।
ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ୟୁନିଟ ଏବଂ ପାଇଲଟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ସାମ୍ନାକୁ ଆସିଛି। ସେହି ଅନୁଯାୟୀ, ପାଇଲଟ ବିମାନରେ ଥିବା ଯାନ୍ତ୍ରିକ ତ୍ରୁଟି ବିଷୟରେ ଜଣାଇଥିଲେ ଏବଂ ଜରୁରୀକାଳୀନ ଅବତରଣ (ଇମର୍ଜେନ୍ସି ଲ୍ୟାଣ୍ଡିଂ) ପାଇଁ କହିଥିଲେ। ରେକର୍ଡିଂ ଅନୁଯାୟୀ, ଏଟିସି କଣ୍ଟ୍ରୋଲର ପାଇଲଟଙ୍କୁ ପଚାରିଥିଲେ “ଆପଣ କହିଛନ୍ତି କି ଆପଣ କୌଣସି ଭିଜୁଆଲ କିମ୍ୱା ଉପକରଣ ବିନା ଆସୁଛନ୍ତି? ଆପଣ ପ୍ରକୃତରେ ଏହା ହିଁ କହିଛନ୍ତି କି?” ପାଇଲଟଙ୍କ ଉତ୍ତର ସ୍ପଷ୍ଟ ଭାବେ ଶୁଣାଯାଇନଥିବାରୁ କଣ୍ଟ୍ରୋଲର ପୁଣି ପଚାରିଥିଲେ ଯେ କ୍ରୁ ସଦସ୍ୟମାନେ କୌଣସି ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି କି? କିନ୍ତୁ କୌଣସି ଉତ୍ତର ଆସିବା ପୂର୍ୱରୁ ହିଁ ବିମାନର ସମ୍ପର୍କ ରାଡାର ଏବଂ ରେଡିଓ ଉଭୟରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।