ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

Sep 26, 2026 - 23:48
ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ବିଭାଗର ତଥ୍ୟ ଅନୁଯାୟୀ, ଶନିବାର ସା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଆଉ ଏକ ପାଣିପାଗ ପ୍ରଣାଳୀ ଆସୁଥିବା ଜଣାପଡିଛି। କେନ୍ଦ୍ରୀୟ ଥାଇଲାଣ୍ଡ ଓ ସଂଲଗ୍ନ ମ୍ୟାନ୍‌ମାର ଉପରେ ରହିଥିବା ଉପରିବାୟୁ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ରବିବାର ସୁଦ୍ଧା ଏହା ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାରର ଇରାୱାଡି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇଦିନ ଧରି ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ମ୍ୟାନ୍‌ମାର-ବାଂଲାଦେଶ ଉପକୂଳ ନିକଟବର୍ତ୍ତୀ ଅଞ୍ଚଳ ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଅଞ୍ଚଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ତେବେ ଏହାର ସ୍ଥିତି ଓ ଗତି କ’ଣ ରହିବ ତାହା ଆଗାମୀ ୨ଦିନ ପରେ ଜଣାପଡିବ ବୋଲି ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।