ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍ବିଆଇ ସମ୍ମୁଖରେ ବିକ୍ଷୋଭ କରି…
ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ ଉପରେ ମଧ୍ୟ ପଡ଼ିଛି। ଆନନ୍ଦପୁରସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀ ଓ ସଂଗଠନର ସଦସ୍ୟମାନେ ଧର୍ମଘଟରେ ସାମିଲ ହୋଇ ବିଭିନ୍ନ ଦାବି ନେଇ ପ୍ରତିବାଦ କରିଥିଲେ।
ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ୫ ଦିନିଆ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଲାଗୁ କରିବା, ସରକାରଙ୍କ ଏକପାଖିଆ ଓ ବୈଷମ୍ୟମୂଳକ ପିଏଲଆଇ ଯୋଜନା ପ୍ରତ୍ୟାହାର କରି ଏହାର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବା, ୟୁନିଅନ୍ଗୁଡ଼ିକ ସହ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଯୋଜନାରେ ସଂଶୋଧନ ଏବଂ ଅବଶିଷ୍ଟ ସମସ୍ୟାଗୁଡ଼ିକର ସମାଧାନ ଦାବି କରାଯାଇଛି।
ଏହି ଧର୍ମଘଟ ଯୋଗୁ ଆନନ୍ଦପୁର ଉପଖଣ୍ଡରେ ବ୍ୟାଙ୍କିଙ୍ଗ୍ ସେବା ବାଧାପ୍ରାପ୍ତ ହୋଇଛି। ବ୍ୟାଙ୍କ ଉପରେ ନିର୍ଭରଶୀଳ ଗ୍ରାହକମାନେ ଟଙ୍କା ଉଠାଣ, ଜମା, ଚେକ କାରବାର ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆସି ଅସୁବିଧାରେ ପଡ଼ିଥିବା ଦେଖାଯାଇଛି। ୟୁନିଅନ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି। ଘୋଷଣା ଅନୁଯାୟୀ ୨୮, ୨୯ ଓ ୩୦ ସେପ୍ଟେମ୍ବରରେ ପୁଣି ସର୍ବଭାରତୀୟ ଧର୍ମଘଟ ଏବଂ ୨୬ ଅକ୍ଟୋବର ୨୦୨୬ରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଡାକରା ଦିଆଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।