ଆନ୍ଦୋଳନ ଡାକରା ଦେଲା ଏହି ବଡ଼ ବ୍ୟାଙ୍କ୍‌, ଜାଣନ୍ତୁ ସେପ୍ଟେମ୍ୱର-ଅକ୍ଟୋବରରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ୍‌?

Sep 01, 2026 - 17:23
ଆନ୍ଦୋଳନ ଡାକରା ଦେଲା ଏହି ବଡ଼ ବ୍ୟାଙ୍କ୍‌, ଜାଣନ୍ତୁ ସେପ୍ଟେମ୍ୱର-ଅକ୍ଟୋବରରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ୍‌?

ନୂଆଦିଲ୍‌ଲୀ,୧।୯: ଯଦି ଆପଣ ସେପ୍ଟେମ୍ୱର-ଅକ୍ଟୋବର ମାସରେ ବ୍ୟାଙ୍କ ସମ୍ୱନ୍ଧୀୟ କୌଣସି କାମ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସଗୁଡ଼ିକରେ ଏମିତି ଅନେକ ଦିନ ରହିବ, ଯେତେବେଳେ ବ୍ୟାଙ୍କ ଧର୍ମଘଟ ରହିବ। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ୧୧ ସେପ୍ଟେମ୍ୱରରେ ବ୍ୟାଙ୍କ ଧର୍ମଘଟର ଘୋଷଣା କରିଛି। ଏହାପରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ତିନି ଦିନିଆ ଧର୍ମଘଟ ରହିବ ଏବଂ ଯଦି ସେମାନଙ୍କର ଦାବି ପୂରଣ ନ ହୁଏ, ତେବେ ୨୬ ଅକ୍ଟୋବର, ୨୦୨୬ ରୁ ବ୍ୟାଙ୍କ କର୍ମଚାରୀମାନେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବେ। ବ୍ୟାଙ୍କ ୟୁନିଅନଗୁଡ଼ିକ କେନ୍ଦ୍ର ସରକାରଙ୍କ ଆଗରେ ଅନେକ ଦାବି ରଖିଛନ୍ତି।

ପ୍ରଥମ ଦାବି ହେଉଛି ୮ ମାର୍ଚ୍ଚ, ୨୦୨୪ ରେ ହୋଇଥିବା ଚୁକ୍ତିନାମା/ମିଳିତ ନୋଟ ଅନୁଯାୟୀ ବ୍ୟାଙ୍କରେ ସପ୍ତାହକୁ ୫ କାର୍ଯ୍ୟଦିବସ (5 Working Days) ଲାଗୁ କରାଯାଉ। ଦ୍ୱିତୀୟ ଦାବି ହେଉଛି ସରକାରଙ୍କ ପରଫରମାନ୍ସ ଲିଙ୍କଡ ଇନସେଣ୍ଟିଭ (PLI) ଯୋଜନାକୁ ପ୍ରତ୍ୟାହାର କରାଯାଉ। ତୃତୀୟ ଦାବି ହେଉଛି ଆପୋସ ଆଲୋଚନା ମାଧ୍ୟମରେ ଇନସେଣ୍ଟିଭ ଯୋଜନାରେ ପରିବର୍ତ୍ତନ କରିବା ଏବଂ ବାକି ରହିଯାଇଥିବା ଅନ୍ୟାନ୍ୟ ପ୍ରସଙ୍ଗଗୁଡ଼ିକର ସମାଧାନ କରିବା। ପ୍ରକୃତରେ, ସପ୍ତାହରେ ପାଞ୍ଚ ଦିନ ବ୍ୟାଙ୍କିଙ୍ଗ କାର୍ଯ୍ୟ ଦାବି ବହୁ ବର୍ଷ ଧରି ବିଚାରାଧୀନ ରହିଛି। ୟୁନିଅନଗୁଡ଼ିକ ଅନୁସାରେ, ୨୦୧୫ରେ ଯେତେବେଳେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରାଯାଇଥିଲା, ସେତେବେଳେ ବ୍ୟାଙ୍କଗୁଡ଼ିକ ପାଞ୍ଚ ଦିନିଆ ସପ୍ତାହ ଆଡ଼କୁ ଆଗେଇବା ନେଇ ସହମତ ହୋଇଥିଲେ।

୨୦୨୦ ମସିହାରେ ଏହି ବିଷୟ ଉପରେ ପୁନର୍ୱାର ଆଲୋଚନା ହୋଇଥିଲା, ଯାହା ପରେ ୮ ମାର୍ଚ୍ଚ ୨୦୨୪ ରେ ହୋଇଥିବା ଦରମା ଚୁକ୍ତିନାମା ମାଧ୍ୟମରେ ଏହାକୁ ଆନୁଷ୍ଠାନିକ କରାଯାଇଥିଲା। ଶନିବାର ଛୁଟି ବଦଳରେ ବ୍ୟାଙ୍କ କର୍ମଚାରୀମାନେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତିଦିନ ଅତିରିକ୍ତ ୪୦ ମିନିଟ କାମ କରିବାକୁ ସହମତ ହୋଇଥିଲେ, ଯାହାଫଳରେ ଗ୍ରାହକ ସେବା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ୟୁନିଅନଗୁଡ଼ିକ କହିଛନ୍ତି ଯେ ଅର୍ଥ ମନ୍ତ୍ରଣାଳୟକୁ ଏହି ଚୁକ୍ତିନାମାର ସୁପାରିଶ ଦିଆଯିବାର ଦୁଇ ବର୍ଷରୁ ଅଧିକ ସମୟ ବିତିସାରିଛି, କିନ୍ତୁ ଏବେ ବି ସରକାରଙ୍କ ମଞ୍ଜୁରୀକୁ ଅପେକ୍ଷା ରହିଛି। ସେମାନେ ଏହା ମଧ୍ୟ ଯୁକ୍ତି ଦର୍ଶାଇଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI), LIC, GIC ଏବଂ ନାବାର୍ଡ ସମେତ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ସପ୍ତାହରେ କେବଳ ୫ ଦିନ ହିଁ କାର୍ଯ୍ୟ କରୁଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।