ଆନ୍ଧ୍ରର ୨ ବୁଥ୍ରେ କୋଟିଆରୁ ୪୮% ଭୋଟ: ଆନ୍ଧ୍ର ସୁବିଧାର କାଉଣ୍ଟର କରିବାକୁ ପାରୁନି ଓଡ଼ିଶା
ପଟ୍ଟାଙ୍ଗି,୬ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତବାସୀଙ୍କ ଭୋଟ ନେବାରେ ସକ୍ଷମ ହୋଇଛି ଆନ୍ଧ୍ର। ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକରୁ ଆନ୍ଧ୍ର ସରକାର ଭୋଟ ନେବା ଉଦ୍ୟମକୁ କୋରାପୁଟ ଜିଲା ପ୍ରଶାସନ ଏବଂ ଓଡ଼ିଶାର ୩ ରାଜନୈତିକ ଦଳର ପ୍ରବଳ ବିରୋଧ ଏକ ପ୍ରକାର ବିଫଳ ହୋଇଛି। ୨ ରାଜ୍ୟର କଡ଼ା ସୁରକ୍ଷା ବ୍ୟବସ୍ଥାକୁ ପଛରେ ପକାଇ ଆନ୍ଧ୍ର ସୀମା ଭିତରେ ଥିବା ପଞ୍ଚାୟତରେ ଓଡ଼ିଶାର ୩ ଗ୍ରାମର ଲୋକେ ମତଦାନ ସାବ୍ୟସ୍ତ କରିଛନ୍ତି। ଗୋଟିଏ ପଟେ ସୀମାରେ ଓଡ଼ିଶା ପୋଲିସ ଫୋର୍ସ ମୁତୟନ ସତ୍ତ୍ୱେ ଗତ ୩ ଦିନ ପୂର୍ବରୁ ହିଁ ଭୋଟରମାନେ ଆନ୍ଧ୍ର ପ୍ରଦେଶ ଚାଲିଯାଇଥିଲେ। ଯେତେବେଳେ ଓଡ଼ିଶାର ୩ଟି ଗାଁର ଭୋଟରମାନେ ନିଜ ମତଦାନ ସାବ୍ୟସ୍ତକରି ଫେରିଲେ ସେତେବେଳେ ସୀମାରେ ଜଗିଥିବା ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ଦଳର ନେତାମାନେ ଜାଣିବାକୁ ପାଇଥିଲେ ଯେ ୩ ଦିନ ଆଗରୁ ହିଁ ଅଧିକାଂଶ ଲୋକ ଭୋଟ ଦେବାକୁ ଆନ୍ଧ୍ର ପ୍ରଦେଶ ଚାଲିଯାଇଥିଲେ। ତୋନାମ ଓ ସାରିକା ପଞ୍ଚାୟତରେ ମୋଟ ୨୮୯୯ ଭୋଟରଙ୍କ ମଧ୍ୟରୁ ୧୧୩୬ଜଣ ମତଦାନ କରିଛନ୍ତି। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଯେତେବେଳେ ଗାଁ ଲୋକମାନେ ଓଡ଼ିଶାକୁ ସମର୍ଥନ ନ କରିବେ ସେତେବେଳେ କ’ଣ କରାଯାଇପାରିବ। ଆନ୍ଧ୍ର ପ୍ରଦେଶ ସରକାର ଦୀର୍ଘଦିନ ପୂର୍ବରୁ ସେହି ଗାଁଗୁଡ଼ିକର ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ପ୍ରଦାନ କରିସାରିଛି। ସ୍ଥାନୀୟ ଲୋକମାନେ ଭତ୍ତା ବାବଦକୁ ଆନ୍ଧ୍ର ପ୍ରଦେଶଠାରୁ ୩ ହଜାର ଟଙ୍କା ଲେଖା ପାଉଛନ୍ତି। ବର୍ତ୍ତମାନ ସମୟରେ ଓଡ଼ିଶା ସରକାର କେବଳ କୋଟିଆ ଅଞ୍ଚଳ ପାଇଁ ୩ ହଜାର ଟଙ୍କା ଭତ୍ତା ଦେଇପାରିବେ ନାହିଁ। ଓଡ଼ିଶା ସରକାର ମାତ୍ର ହଜାରେ ଟଙ୍କା ଭତ୍ତା ଦେଉଛନ୍ତି। ସେହିସବୁ ଅଞ୍ଚଳବାସୀ ସେମାନଙ୍କ ଦୈନନ୍ଦିନ ସାମଗ୍ରୀ ଲାଗି ଆନ୍ଧ୍ରର ସାଲୁର ବଜାର ଉପରେ ନିର୍ଭରଶୀଳ। କାରଣ ସେମାନଙ୍କୁ ସାଲୁର ଯିବା ଲାଗି ମାତ୍ର ୩୦ରୁ ୪୦ ମିନିଟ୍ ସମୟ ଲାଗୁଛି। ଓଡ଼ିଶା ଭିତର ବଜାର ଭିତରୁ ସେମାନେ ପଟ୍ଟାଙ୍ଗି ଯାଇପାରିବେ। ମାତ୍ର ପଟ୍ଟାଙ୍ଗି ଯିବା ଲାଗି ସେମାନଙ୍କୁ ଘାଟି ରାସ୍ତା ଦେଇ ଯିବାକୁ ପଡିବ। ସେଠାକୁ ଯିବା ପାଇଁ ସେମାନଙ୍କୁ ଦେଢଘଣ୍ଟା ପାଖାପାଖି ଲାଗୁଛି। ଅନ୍ୟପଟେ ସାଲୁର ବଜାର ଠାରୁ ପଟ୍ଟାଙ୍ଗୀ ବଜାର ଛୋଟ ହେବ। ତେଣୁ ସେମାନେ ଆନ୍ଧ୍ର ଉପରେ ଏକ ପ୍ରକାର ନିର୍ଭରଶୀଳ। ଏସବୁ ସମସ୍ୟା ସଜାଡ଼ିବାକୁ ବହୁ ସମୟ ଲାଗିବ। ସେଥିଲାଗି ସେମାନଙ୍କୁ ଓଡ଼ିଶା ନିଜ ସପକ୍ଷରେ ନେବାରେ ଅସମର୍ଥ ହେଲା ଏବଂ ସେହି ଅଞ୍ଚଳର ଲୋକମାନେ ଯାଇ ଆନ୍ଧ୍ରରେ ଭୋଟ ଦେଇଆସିଲେ।
ସୂଚନା ମୁତାବକ କୋଟିଆ ପଞ୍ଚାୟତ ଅଧୀନ ଫାଟୁସିନେରୀ, ତଳସେମ୍ବି ଓ ନେରେଡ଼ିବାଲସାରେ ଓଡ଼ିଶା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନେରେଡ଼ିବାଲସାରେ ଓଡ଼ିଶା ପୋଲିସର ଚେକ୍ ପୋଷ୍ଟ ସ୍ଥାପନ କରାଯାଇ ଫୋର୍ସ ମୁତୟନ ରହିଛନ୍ତି। ଏହାଠାରୁ ପ୍ରାୟ ୪ ଶହ ମିଟର ଦୂରରେ ଆନ୍ଧ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା କରି ନିଜ ସୀମା ଭିତରେ ମୁତୟନ ରହି ଓଡ଼ିଶାର ଗଣମାଧ୍ୟମ, ରାଜନୈତିକ ଦଳର ନେତା ଏବଂ କର୍ମୀଙ୍କୁ ପୋଲିଂ ବୁଥ୍ ହୋଇଥିବା ଅଞ୍ଚଳକୁ ଛାଡ଼ି ନ ଥିଲେ। ୨ ରାଜ୍ୟର ଛକାପଞ୍ଝା ଭିତରେ ଓଡ଼ିଶାର ୨ ସୀମାନ୍ତ ଗ୍ରାମ ଯଥା ଫାଟୁସିନେରୀ ଓ ଫଗୁଣସିନେରୀ ଆନ୍ଧ୍ର ସୀମା ଭିତରେ ଥିବା ତୋନାମ ପଞ୍ଚାୟତରେ ୨ ବୁଥ୍ରେ ଭୋଟ ଦେଇଛନ୍ତି। ୪ ନମ୍ବର ବୁଥ୍ରେ ଫାଟୁସିନେରୀ ଗ୍ରାମର ୧୧୩୦ ଭୋଟରଙ୍କ ମଧ୍ୟରୁ ଅପରାହ୍ନ ୨ଟା ମଧ୍ୟରେ ୫୨୩ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ୭ ନମ୍ବର ବୁଥ୍ରେ ଫଗୁଣସିନେରୀ ଗ୍ରାମର ୫୦୯ ଭୋଟରଙ୍କ ମଧ୍ୟରୁ ୨୧୫ ଭୋଟର ଭୋଟ ଦେଇଛନ୍ତି। ନେରେଡ଼ିବାଲସା ଗ୍ରାମର ୧୨୬୦ ଭୋଟରଙ୍କ ମଧ୍ୟରୁ ଆନ୍ଧ୍ର ସୀମା ଭିତରେ ଥିବା ସାରିକା ପଞ୍ଚାୟତର ୮ ନଂ. ବୁଥ୍ରେ ୩୯୮ ଭୋଟର ଭୋଟ ଦେଇଥିଲେ। ନେରେଡିବାଲସାର ୩୧.୫୮ ପ୍ରତିଶତ ଭୋଟର ମତଦାନ କରିଛନ୍ତି।
ଆନ୍ଧ୍ରର କୁରୁକୁଟି ପଞ୍ଚାୟତରେ ଓଡ଼ିଶାର ତାଡିବାଲସା ଓ କୁମ୍ବିମାଡ଼ା ଗ୍ରାମର ଭୋଟର ଯାଇ ମତଦାନ ସାବ୍ୟସ୍ତ କରିଛନ୍ତି। ନେରେଡିବାଲସା ଗ୍ରାମରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ନବରଙ୍ଗପୁର ପୂର୍ବତନ ଏମ୍ପି ପ୍ରଦୀପ ମାଝୀ ଓ ବିଜେଡି ନେତା ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ। ଅପରାହ୍ନ ୨ଟା ପରେ ରାଜନେତା, କର୍ମୀ, ଓକିଲ ସଂଘ ସଦସ୍ୟ ଓ ମହିଳା ଗୋଷ୍ଠୀ ସଦସ୍ୟ ପ୍ରମୁଖ ଫେରିଯାଇଥିଲେ। ପୂର୍ବତନ ଏମ୍ପି ଜୟରାମ ପାଙ୍ଗୀ ଖବର ଲେଖାହେବା ସୁଦ୍ଧା ସ୍ଥିତି ଅନୁଧ୍ୟାନ କରିଥିଲେ। କୋରାପୁଟ ଉପଜିଲାପାଳ ଫାବି ରସିଦ, ଏଡିଏମ୍ ତପନ ନାୟକ, ଏଡିଏମ୍ (ରାଜସ୍ବ) ନରେଶ ଚନ୍ଦ୍ର ଶବର, ନିୟମିତ ଅନ୍ୟ ଅଧିକାରୀ, ପୋଲିସ ପ୍ରଶାସନ ଓ ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋଜ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂଜାରୀ କହିଛନ୍ତି, ଯେଉଁ ଉଦ୍ଦେଶ୍ୟରେ କୋଟିଆର ସ୍ଥିତିକୁ ଦୃଷ୍ଟିରେ ରଖି ୩୦ରୁ ଊର୍ଦ୍ଧ୍ୱ ପ୍ଲାଟୁନ ଫୋର୍ସ ମୁତୟନ ସହ ୪୦ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ତାହା ସଫଳ ହୋଇଛି। ବର୍ତ୍ତମାନ ଜିଲା ସ୍ତରରୁ କୌଣସି ଖବର ନ ଆସିବା ଯାଏ ସୀମାରେ ରହି ସ୍ଥିତି ଅନୁଧ୍ୟାନ ଜାରି ରହିବ ବୋଲି ସେ କହିଛନ୍ତି। ଆନ୍ଧ୍ରର ପୋଲିଂ ନ ସରିବା ଯାଏ ସୀମାରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ ଜାରି ରହିବ ବୋଲି ଉପଜିଲାପାଳ ରସିଦ କହିଛନ୍ତି। ସେ ଜିଲାରେ ଥିବା ଯାଏ କୋଟିଆ ଲୋକଙ୍କ ସମସ୍ୟା ସାଉଁଟି ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।