ଆପୋଷ ମିଳାମିଶାରେ ମାମଲା ସମାଧାନ ପାଇଁ ମାଜିଷ୍ଟ୍ରେଟଙ୍କ ଗୁରୁତ୍ୱାରୋପ: ବିବାଦ ସମାଧାନରେ…

Sep 10, 2026 - 10:32
ଆପୋଷ ମିଳାମିଶାରେ ମାମଲା ସମାଧାନ ପାଇଁ ମାଜିଷ୍ଟ୍ରେଟଙ୍କ ଗୁରୁତ୍ୱାରୋପ: ବିବାଦ ସମାଧାନରେ…

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବିଭିନ୍ନ ବିବାଦର ସମାଧାନରେ ମଧ୍ୟସ୍ଥିଙ୍କ ଭୂମିକା ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।

କମିଟିର ଅଧ୍ୟକ୍ଷା ତଥା ସିଭିଲ ଜଜ ସିନିୟର ଡିଭିଜନ ମହାଶ୍ୱେତା ପରିଜା ସଭାରେ ଅଧ୍ୟକ୍ଷତା କରି ପାରିବାରିକ ଓ ବୈବାହିକ ବିବାଦ, ଜମିଜମା ଓ ବିଭାଗ ବଣ୍ଟନଜନିତ ବିବାଦ ସମେତ ବିଭିନ୍ନ ମାମଲାରେ ଉଭୟ ପକ୍ଷ ଆପୋଷ ଆଲୋଚନା ମାଧ୍ୟମରେ କୋର୍ଟରେ ଚାଲିଥିବା ମକଦ୍ଦମାର ସମାଧାନ କରିପାରିବେ ବୋଲି କହିଥିଲେ।

ସେହିପରି କୋର୍ଟରେ ରହିଥିବା ଛୋଟମୋଟ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ବିଭିନ୍ନ କୋର୍ଟରେ ଥିବା ମଧ୍ୟସ୍ଥତା କେନ୍ଦ୍ରରେ ନିଯୁକ୍ତ କର୍ତ୍ତୃପକ୍ଷ ଓ ମଧ୍ୟସ୍ଥିଙ୍କ ଭୂମିକା ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ସଭାରେ ଉପସ୍ଥିତ ଆଇନଜୀବୀ, ସେୱଚ୍ଛାସେବୀ, ଅଙ୍ଗନୱାଡ଼ି କର୍ମୀ ଓ ଜନସାଧାରଣଙ୍କୁ ଏନେଇ ସଚେତନ କରାଇଥିଲେ।

ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (JMFC) ନିଳିମା ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ନିରପେକ୍ଷ ମଧ୍ୟସ୍ଥିଙ୍କ ଭୂମିକା ମାଧ୍ୟମରେ ପକ୍ଷ ଓ ପ୍ରତିପକ୍ଷଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହେବା ସହ ସେମାନଙ୍କ ମଧ୍ୟରେ ପୁନଃ ସୁସମ୍ପର୍କ ପ୍ରତିଷ୍ଠା ହୋଇପାରିବ। ଏହାଦ୍ୱାରା ଉଭୟ ପକ୍ଷର ବିଜୟ ହୋଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ।

ଆଇନ ସହାୟତା କମିଟିର ସମ୍ପାଦକ ତଥା କୋର୍ଟ କର୍ମଚାରୀ ପ୍ରଦୀପ ପୁରୋହିତଙ୍କ ସଂଯୋଜନାରେ ଆୟୋଜିତ ଏହି ସଚେତନତା ସଭାରେ ଓକିଲ ସଂଘର ବହୁ ସଦସ୍ୟ, ପାରା ଆଇନ ସେୱଚ୍ଛାସେବୀ (PLV) ସଦସ୍ୟା ଓ ସଦସ୍ୟ, ସ୍ଥାନୀୟ ବହୁ ବୁଦ୍ଧିଜୀବୀଙ୍କ ସମେତ କୋର୍ଟ କର୍ମଚାରୀ ଶିବରାମ ସାହୁ, ସସ୍ମିତା ମହାରଣା, ଅଶ୍ୱିନୀ ପଟ୍ଟନାୟକ, ଅଞ୍ଜଳି ମହାରଣା, ସଂଗ୍ରାମ କେଶରୀ ପଣ୍ଡା, ବାଲ୍ୟକୃଷ୍ଣ ପଣ୍ଡା, ପିଲଚୁ ହେମ୍ବ୍ରମ, ରୁଦ୍ର ପ୍ରସାଦ ତାଣ୍ଡିଆ, ଆକାଶ କୁମାର ପାଢ଼ୀ, ପପୁନ କୁମାର ମହାରଣା ମହାରଣା, ନିରଞ୍ଜନ ଶବର, ବିକ୍ରମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।