ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…
ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ କରିଥିବା ନିବେଦନକୁ ସୁପ୍ରିମକୋର୍ଟ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି। ନଭେମ୍ବର ୩୦ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଭି. ମୋହନାଙ୍କ ଖଣ୍ଡପୀଠ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ରିପୋର୍ଟ ଦାଖଲରେ କମିଟି ବିଫଳ ହେଲେ ନୂଆ କମିଟି ଗଢ଼ାଯିବ ବୋଲି ଖଣ୍ଡପୀଠ ଚତାବନୀ ଦେଇଛନ୍ତି। କମିଟିକୁ ଦିନରାତି କାମକରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଆରାବଳୀ ପର୍ବତମାଳାର ସଂଜ୍ଞାକୁ ନେଇ ବିବାଦ ଦେଖାଦେବା ପରେ ଗତ ଡିସେମ୍ବରରେ ସୁପ୍ରିମକୋର୍ଟ ନିଜଆଡୁ ଏହାକୁ ବିଚାରକୁ ନେଇଥିଲେ। ଆରାବଳୀ ପର୍ବତ ସଂଜ୍ଞା ନିର୍ଦ୍ଧାରଣ ପାଇଁ ସର୍ବୋଚ୍ଚ ଅଦାଲତ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏକ ବ୍ୟାପକ ଓ ଯୁକ୍ତିଯୁକ୍ତ ଆକଳନ ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ଦର୍ଶାଇ କମିଟି ଚୂଡ଼ାନ୍ତ ରିପୋର୍ଟ ଦାଖଲ ଲାଗି ସମୟସୀମା ୬ ମାସ ବଢ଼ାଇବାକୁ ନିବେଦନ କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।