ଆଶା ଓ ଆକାଶ; ରତ୍ନ ଭଣ୍ଡାର ମଣତି: ପ୍ରତିଶ୍ରୁତିର ପରୀକ୍ଷା
ଜାନକୀଶ ବଡ଼ପଣ୍ଡା
ସ୍ବୟଂ ଶ୍ରୀଜଗନ୍ନାଥ ଯୁଗେ ଯୁଗେ ରହସ୍ୟମୟ। ରତ୍ନ ଭଣ୍ଡାରକୁ ନେଇ ଜନମାନସରେ ଅନେକ ରହସ୍ୟ ଓ ଅନ୍ଧବିଶ୍ବାସ। କୁହାଯାଏ ଯେ, ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବ ବିଭିନ୍ନ ରାଜାଙ୍କୁ ପରାସ୍ତ କରି ସେମାନଙ୍କ ୪୬ଟି ମୁକୁଟ ଆଣି ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଥିଲେ। ୧୮୦୩ ଓ ୧୯୨୬ରେ ଅଳଙ୍କାର ଗଣତି ବେଳେ, ରତ୍ନ ଭଣ୍ଡାରରେ ୪୬ଟି ସୁନା ମୁକୁଟ ଥିଲା; ଯାହା ୧୯୭୮ ମସିହା ଗଣତି ବେଳକୁ ୩୪କୁ କମି ଯାଇଥିଲା। ଏହା ପରେ ରତ୍ନ ଭଣ୍ଡାରରୁ ବହୁ ଅଳଙ୍କାର ଚୋରି ହୋଇଥିବାର ଅଭିଯୋଗ ଆସିଥିଲେ ମଧ୍ୟ ସରକାର ନିରବ ରହି ସନ୍ଦେହକୁ ପୁଷ୍ଟ କରି ଆସିଥିଲେ। ରତ୍ନ ଭଣ୍ଡାରରେ ସାପ ରହିଥିବାର ବର୍ଣ୍ଣନା ଏବଂ ଅଲୌକିକତା ସମ୍ବନ୍ଧିତ ଆଲୋଚନା ଏହାକୁ ରହସ୍ୟମୟ କରି ରଖିଥିଲା। ରତ୍ନ ଭଣ୍ଡାର କିପରି ଖୋଲା ହେବ ନାହିଁ, ସରକାର ସେଥିପାଇଁ ଅଧିକ ଯତ୍ନବାନ ଓ ସକ୍ରିୟ ରହିଲା ଭଳି ମନେ ହେଉଥିଲା। ୨୦୧୮ ମସିହାରେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଏହି ସନ୍ଦେହକୁ ବଳ ଦେଇଥିଲା। ‘ଚାବି ହଜିବା’ ଘଟଣାର ତଦନ୍ତ ପାଇଁ ନ୍ୟାୟମୂର୍ତ୍ତି ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ଗଠିତ କମିସନ ରିପୋର୍ଟ ଦେଇଥିଲେ ମଧ୍ୟ, ତାହାକୁ ବିଧାନସଭାରେ ଉପସ୍ଥାପନ ନ କରି ଶୀତଳ ଭଣ୍ଡାରରେ ରଖି ଦିଆଗଲା। ଶ୍ରୀଜଗନ୍ନାଥଙ୍କ ପ୍ରତି ତଞ୍ଚକତା କାରଣରୁ ଗତ ସାଧାରଣ ନିର୍ବାଚନରେ ରତ୍ନ ଭଣ୍ଡାର ଅନ୍ୟତମ ପ୍ରମୁଖ ନିର୍ବାଚନ ପ୍ରସଙ୍ଗ ହେଲା ଏବଂ ଓଡ଼ିଶାବାସୀ ୨୪ ବର୍ଷ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳକୁ କ୍ଷମତାଚ୍ୟୁତ କରିଥିଲେ।
ନିର୍ବାଚନ ପ୍ରଚାର ବେଳେ ଭାଜପାର ଶୀର୍ଷ ନେତୃତ୍ବ ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇଥିଲେ। ସଂକଳ୍ପ ପତ୍ରରେ ରତ୍ନ ଭଣ୍ଡାର ସମ୍ପର୍କରେ କୁହାଯାଇଥିଲା ଯେ, କ୍ଷମତାସୀନ ହେଲେ ରତ୍ନ ଭଣ୍ଡାର ତାଲିକା ସାର୍ବଜନୀନ କରିବ। ଓଡ଼ିଶାରେ ସରକାର ଗଠନ କରିବାର ୬ ମାସ ଭିତରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ଯାଞ୍ଚ ରିପୋର୍ଟ ସାର୍ବଜନୀନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇ ଏହାକୁ ‘ମୋଦୀ ଗ୍ୟାରେଣ୍ଟି’ ବୋଲି କହିଥିଲେ।
କ୍ଷମତାକୁ ଆସିଲା ଭାଜପା। ୧୪ ଜୁଲାଇ ୨୦୨୪ରେ ରତ୍ନ ଭଣ୍ଡାର ଖୋଲାଗଲା। ରତ୍ନ ଭଣ୍ଡାର ଭିତରୁ ସୁସୁ ଗର୍ଜନ ଶୁଣାଯାଇ ନ ଥିଲା, କି ତାହା ଭିତରେ ସାପ ନ ଥିଲେ। ଭଣ୍ଡାର ଭିତରୁ ମିଳିଲା ନାହିଁ ମଣିଷ ଖପୁରୀ ଓ ନର କଙ୍କାଳ। ସବୁ ଅନ୍ଧ ବିଶ୍ବାସ ଓ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ଭିତର ରତ୍ନ ଭଣ୍ଡାରକୁ ଦୀର୍ଘ ୪୬ ବର୍ଷ ପରେ ଖୋଲି ସୁରକ୍ଷିତ ଭାବରେ ବାହାରକୁ ଫେରି ଆସିଥିଲେ ନ୍ୟାୟମୂର୍ତ୍ତି ରଥ ଓ ତାଙ୍କର ସମସ୍ତ ସଦସ୍ୟ। ସ୍ପଷ୍ଟ ହୋଇଗଲା ଯେ, ବହୁଳ ପ୍ରଚାରିତ କାହାଣୀଗୁଡ଼ିକ ଥିଲା ଅନ୍ଧବିଶ୍ବାସ।
୧୯୨୬ ମସିହାରେ ଯେଉଁ ଗଣତି ହୋଇଥିଲା, ସେହି ତାଲିକାକୁ ୧୯୫୪ ଶ୍ରୀମନ୍ଦିର ସ୍ବତ୍ବଲିପିରେ ଲିପିବଦ୍ଧ କରାଯାଇଥିଲା। ଏହା ପରେ ୧୯୭୮ ମସିହାରେ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ଏବଂ ବିଶ୍ୱଭୂଷଣ ହରିଚନ୍ଦନ ଆଇନମନ୍ତ୍ରୀ ଥିବାବେଳେ ଭିତର, ବାହାର ଓ ଚଳନ୍ତି ରତ୍ନ ଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ତଥା ଜନସାଧାରଣଙ୍କ ନିକଟରେ ରହିଛି। ଗଣତି ହୋଇଥିବା ମୂଲ୍ୟବାନ ହୀରା, ନୀଳା, ମଣି ଓ ମାଣିକ୍ୟ ଭଳି ରତ୍ନ ପଥର ସହିତ ସୁନା ତିଆରି ଅଳଙ୍କାର ସାମଗ୍ରୀର ଓଜନ ୧୪୯ କିଲୋ ୬୦୯ ଗ୍ରାମରୁ ଅଧିକ ଥିଲା। ସେହିପରି ରୁପା ସାମଗ୍ରୀର ଓଜନ ୨୫୮ କିଲୋ ୩୦୩ ଗ୍ରାମରୁ ଅଧିକ ରହିଥିଲା। ସରକାରୀ ତଥ୍ୟ ମୁତାବକ ସେତେବେଳେ ଆଉ ୧୪ଟି ସୁନା ଓ ରୂପା ତିଆରି ପଦାର୍ଥ ବିଭିନ୍ନ କାରଣରୁ ଓଜନ କରାଯାଇ ପାରି ନଥିଲା।
ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଏକ ସାଧାରଣ ଭଣ୍ଡାର ନୁହେଁ; ଏହା ଓଡ଼ିଆ ଜାତିର ଆଧ୍ୟାତ୍ମିକ ମନସ୍ତତ୍ତ୍ୱର ଏକ ଅମୂଲ୍ୟ ଅଂଶ। ସେଥିପାଇଁ ରତ୍ନ ଭଣ୍ଡାରକୁ ନେଇ ଓଡ଼ିଆଙ୍କ ଭାବପ୍ରବଣତା ସ୍ୱାଭାବିକ। ଏଥିରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଅଧିକାରବୋଧ ରହିଥାଏ। ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ଓ ରତ୍ନର ଗଣତି-ମଣତି କରି ସବିଶେଷ ତଥ୍ୟ ସାର୍ବଜନୀନ କରିବାର ପ୍ରତିଶ୍ରୁତିର ରାଜନୈତିକ ମୂଲ୍ୟ ଥିଲା। କାରଣ ଏହା ଥିଲା ଜନ ବିଶ୍ୱାସର ବିଷୟ। ନୂଆ ସରକାର ଗଠନ ପରେ ଏହା ଥିଲା ସେମାନଙ୍କ ପାଇଁ ପ୍ରଥମ ପରୀକ୍ଷା। ଗଣତି ମଣତି ପରେ, ତାଲିକାରେ ଅମେଳ ରହିଲେ, ରାଜ୍ୟରେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟିର ଆଶଙ୍କା ରହିଥିବାରୁ ସତର୍କତାର ସହିତ କାର୍ଯ୍ୟ ଆଗେଇ ଚାଲିଲା।
୧୭ ଡିସେମ୍ବର ୨୦୨୪ରୁ ରତ୍ନ ଭଣ୍ଡାରର ସଂରକ୍ଷଣ କାର୍ଯ୍ୟ କରାଯାଇ ୮ ଜୁଲାଇ, ୨୦୨୫ରେ ଶେଷ ହେଲାପରେ ୨୦୨୬ ମାର୍ଚ୍ଚ ୨୫ରୁ ଗଣତି ପ୍ରକ୍ରିୟା ଆରମ୍ଭ ହେଲା। ଲକ୍ଷ୍ୟ ରଖାଗଲା ଯେ ଗଣତି ସହିତ ଅଳଙ୍କାରଗୁଡ଼ିକର ତାଲିକା, ଓଜନ, ବିବରଣୀ ଓ ପୁରୁଣା ରେକର୍ଡ ସହ ତାହାର ସମ୍ପର୍କ ଲିପିବଦ୍ଧ କରିବା। ଫଟୋଗ୍ରାଫି, ଭିଡିଓଗ୍ରାଫି, ଡିଜିଟାଲ ରେକର୍ଡ, ସିସିଟିଭି ଓ ବିଶେଷଜ୍ଞଙ୍କ ସହାୟତା ନିଆଯାଇ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବାର ପ୍ରଚେଷ୍ଟା କରାଗଲା।
ସରକାର ଆସିବ ଏବଂ ବଦଳିବ। କିନ୍ତୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଓ ତାହା ସହ ଜଡ଼ିତ ଜନ ବିଶ୍ୱାସ ଅତୁଟ ରଖାଯିବା ପ୍ରତ୍ୟେକ ସରକାରଙ୍କ କର୍ତ୍ତବ୍ୟ। ତେଣୁ ଏହି ପ୍ରକ୍ରିୟାରେ କାହାର ବିଜୟ ବା ପରାଜୟ ଅପେକ୍ଷା ସତ୍ୟ ଧର୍ମ ଏବଂ ବିଶ୍ବାସର ବିଜୟ ଅଧିକ ଗୁରୁତ୍ବପୂର୍ଣ୍ଣ। ୧୯୭୮ ତାଲିକାରେ ୧୧୮ଟି ଅଳଙ୍କାର ଥିଲାବେଳେ, ଚଳନ୍ତି ଓ ବାହାର ରତ୍ନ ଭଣ୍ଡାର ଗଣତି ବେଳେ ୧୪୭ଟି ଅଳଙ୍କାର ମିଳିଲା। ଏହି କାରଣରୁ ଗଣତି ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି ମେଳକ।
ବିଧାନସଭା ନିର୍ବାଚନୀ ସଂକଳ୍ପରେ ରତ୍ନ ଭଣ୍ଡାରର ତଥ୍ୟ ସାର୍ବଜନୀନ କରିବାର କଥା ଥିଲା। ତେଣୁ, ଗଣତି ଶେଷ ହେବା ପରେ ସ୍ପଷ୍ଟ, ପ୍ରମାଣିତ ଓ ସହଜରେ ବୁଝିହେଉଥିବା ତାଲିକା ସାର୍ବଜନୀନ ହେବା ଜରୁରି। ଏହା ଯେତେ ସ୍ୱଚ୍ଛ ଓ ପାରଦର୍ଶୀ ହେବ, ଜନ ବିଶ୍ୱାସ ସେତେ ଦୃଢ଼ ହେବ। ରତ୍ନ ଭଣ୍ଡାରରେ ଗଚ୍ଛିତ ସୁନା, ରୁପା ଓ ରତ୍ନର ମୂଲ୍ୟ ହୁଏତ ଅପାର, କିନ୍ତୁ ଆମ ପାଇଁ ତାହାର ଭାବନାତ୍ମକ ଓ ଐତିହାସିକ ମୂଲ୍ୟ ତା’ଠାରୁ ବହୁ ଗୁଣ ଅଧିକ। ଏହା ମହାପ୍ରଭୁଙ୍କ ସମ୍ପତ୍ତି; ଯାହାର ରକ୍ଷକ ହେଉଛି ବ୍ୟବସ୍ଥା, ପ୍ରଶାସନ ଓ ସମାଜ। ଏଣୁ, ଗଣତି-ମଣତିକୁ ଜନ ବିଶ୍ୱାସର ପୁନର୍ନିର୍ମାଣ ପ୍ରକ୍ରିୟା କୁହାଯାଇ ପାରିବ। ରତ୍ନ ଭଣ୍ଡାରରେ ସଇତା ସବୁଠାରୁ ମୂଲ୍ୟବାନ ରତ୍ନ ହେଉଛି ବିଶ୍ୱାସ, ଯାହାର ଓଜନ କୌଣସି ତରାଜୁରେ ମାପି ହୁଏ ନାହିଁ। ଆଗାମୀ ଦିନରେ ଯେବେ ବି ପୁନଃଗଣତି ହେବ, ୨୦୨୬ର ତାଲିକା ଅମୂଲ୍ୟ ଦଲିଲ ହେବ। ଯେଉଁ ରାଜନୈତିକ ପ୍ରତିଶ୍ରୁତି ରତ୍ନ ଭଣ୍ଡାରର ଦ୍ୱାର ଖୋଲିପାରିଛି, ପାରଦର୍ଶିତା ହିଁ ତାହାର ଅନ୍ତିମ ଚାବି। ଏହାକୁ ହଜାଇ ଦେବା ନିର୍ବୋଧତା।
୨୦୦୯ ମସିହାଠାରୁ ସାମାଜିକ କର୍ମୀ ଦିଲ୍ଲୀପ ବରାଳଙ୍କ ଦ୍ବାରା ଅଣାଯାଇଥିବା ରତ୍ନ ଭଣ୍ଡାରରୁ ଚୋରି ଅଭିଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୨୬ର ତାଲିକା ଯଦି ୧୯୭୮ର ତାଲିକା ସହ ମେଳ ଖାଏ, ତେବେ ୨୦୦୯ ମସିହା ଫେବ୍ରୁଆରି ଓ ମାର୍ଚ୍ଚ ମାସର ଦ୍ବିତୀୟ ଶନିବାର ନିଶାର୍ଦ୍ଧରେ ଚୋରି ହୋଇଥିବା ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇପାରିବ। ଅନ୍ୟଥା, ଅଭିଯୋଗକୁ ଶ୍ରଦ୍ଧାଳୁମାନେ ସତ୍ୟ ମଣିବେ। ଆଗାମୀ ଦିନରେ ଅଦାଲତ ମଧ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିବା ନିଶ୍ଚିତ।
ଦ୍ବିତୀୟରେ, ପୂର୍ବ ସରକାର ଅମଳରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପାଳନ କରିବାକୁ ୧୭ ଜଣିଆ ଦଳ ଗଠନ କରି ରତ୍ନ ଭଣ୍ଡାର ଖୋଲିବା ନାଟକ ମଞ୍ଚସ୍ଥ ହୋଇଥିଲା। ଚାବି ହଜିଯାଇଥିବାର ବାହାନା କରାଯାଇଥିଲା। ଏଥିରେ, ଲୋକଙ୍କ ସନ୍ଦେହ ବଢ଼ିଥିଲା। ତୃତୀୟରେ, ଚାବି ହଜିବା ପ୍ରସଙ୍ଗରେ ନ୍ୟାୟମୂର୍ତ୍ତି ରଘୁବୀର ଦାସ ଯାଞ୍ଚ ରିପୋର୍ଟକୁ ଆଜିଯାଏଁ ସାର୍ବଜନୀନ କରାଗଲା ନାହିଁ। ଫଳରେ ପୂର୍ବ ଭଳି ଭାଜପା ସରକାରଙ୍କ ଉପରେ ମଧ୍ୟ ଜନସାଧାରଣ କ୍ଷୁବ୍ଧ। ଚତୁର୍ଥରେ, ନ୍ୟାୟମୂର୍ତ୍ତି ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ସଦସ୍ୟଙ୍କ ‘ମୁଣ୍ଡ ଜାଣିବ, ତୁଣ୍ଡ ଖୋଲିବନି’ ବକ୍ତବ୍ୟ କିଛି ଲୁଚାଯାଉଥିବା ସନ୍ଦେହକୁ ଦୃଢ଼ୀଭୂତ କରିଛି। ଏଥିରେ ଯୋଡ଼ି ହୋଇ ଯାଇଛି ‘ମୋଦୀ ଗ୍ୟାରେଣ୍ଟି’କୁ ପଦାଘାତ କରି ‘ଚାବି ଖୋଜା’ ପ୍ରତିଶ୍ରୁତି ପାଳନ ନକରିବା।
ପଞ୍ଚମରେ ମାନ୍ୟବର ଆଇନମନ୍ତ୍ରୀଙ୍କ ବିସ୍ଫୋରକ ବୟାନ ମଧ୍ୟ ଜଗନ୍ନାଥ ଭକ୍ତସମାଜକୁ ଅଶେଷ ଯନ୍ତ୍ରଣା ଦେଇଛି। ଗତ ୧୦ ତାରିଖରେ ଆଇନମନ୍ତ୍ରୀ ବୟାନ ଦେଇଥିଲେ ଯେ ନୂଆ ତାଲିକାର ସବିଶେଷ ବିବରଣୀ ‘ଗୁପ୍ତ ନୀତି’ ହୋଇଥିବାରୁ ସାଧାରଣ ଲୋକଙ୍କ ପାଇଁ ପ୍ରକାଶ କରାଯିବ ନାହିଁ। ଅଳଙ୍କାରର ସଂଖ୍ୟା, ସୁନାରୁପାର ଓଜନ, ଅଳଙ୍କାରର ନାମକରଣ, ୧୯୭୮ର ତାଲିକା ସହ ମେଳକ କଲା ପରେ ତଥ୍ୟକୁ ଗୋପନ ରଖିବାକୁ ‘ଗୁପ୍ତ ନୀତି’ ବୋଲି କହି ଘଣ୍ଟ ଘୋଡ଼ାଇବାର ଅପଚେଷ୍ଟା ଅଯୌକ୍ତିକ ଓ ନିନ୍ଦନୀୟ। ମନରେ ପ୍ରଶ୍ନ ଆସେ ଯେ ୧୯୨୬ ଓ ୧୯୭୮ ମସିହାରେ ସମ୍ପୂର୍ଣ୍ଣ ତାଲିକା ସାର୍ବଜନୀନ କରାଯାଇଥିଲା ବେଳେ କାହିଁକି ୨୦୨୬ ତାଲିକାକୁ ‘ଗୁପ୍ତ ନୀତି’ ବୋଲି କୁହାଯାଉଛି? ଅଳଙ୍କାରର ସଂଖ୍ୟା, ସୁନାରୁପାର ଓଜନ, ଅଳଙ୍କାରର ନାମକରଣ, ୧୯୭୮ର ତାଲିକା ସହ ମେଳକ- ଏହି ସମସ୍ତ ତଥ୍ୟକୁ ‘ଗୁପ୍ତନୀତି’ କହି ଗୋପନ ରଖିବାର ଅପଚେଷ୍ଟା ଅଯୌକ୍ତିକ ଏବଂ ଅଗ୍ରହଣୀୟ।
ଠାକୁରଙ୍କୁ ବାଳୁତ ମନେ କରି ତଞ୍ଚକତାପୂର୍ଣ୍ଣ ଆଚରଣ କଲେ, ଲୋକ କ୍ଷମା ଦେବେନାହିଁ। ଆଶା, ଆସନ୍ତା ମାର୍ଗଶିର ମାସ ଶେଷ ସୁଦ୍ଧା ଗଣତି ସାରି ମଣତି କରିବା ବେଳେ, ସ୍ବୟଂ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ତାଲିକାକୁ ସାର୍ବଜନୀନ କରିବାର ସାହସ ପ୍ରଦର୍ଶନ କରିବେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।