ଆଶ୍ୱସ୍ତି! ବଢିଲା ୟୁପିଆଇ MDR ଚାର୍ଜ ଲାଗୁ ଅବଧି

Oct 13, 2026 - 15:00
ଆଶ୍ୱସ୍ତି! ବଢିଲା ୟୁପିଆଇ MDR ଚାର୍ଜ ଲାଗୁ ଅବଧି

ନନ୍ଦିଘୋଷ ବ୍ୟୁରୋ: UPIକୁ ନେଇ ଆସିଲା ବଡ଼ ଅପଡ଼େଟ । ଘୁଞ୍ଚିଲା ୟୁପିଆଇ MDR ଚାର୍ଜ ଲାଗୁ ଅବଧି । ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ MDR ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଘୁଞ୍ଚାଇ ଦେଇଛି ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ।

ଏନେଇ ମଙ୍ଗଳବାର NPCI ପକ୍ଷରୁ ଜାରି ଏକ ପ୍ରେସ୍ ନୋଟ୍‌ରେ ସୂଚନା ଦିଆଯାଇଛି । ଦୀପାବଳି ପରେ, ଅର୍ଥାତ୍ ନଭେମ୍ବର ଦ୍ୱିତୀୟ ସପ୍ତାହରେ ଏହି ଶୁଳ୍କ ଲାଗୁ କରାଯିବ ବୋଲି ସୂଚନା ମିଳିଛି । ତେବେ ନୂଆ ତାରିଖ ପରେ ଘୋଷଣା କରାଯିବ । ପୂର୍ବରୁ ଅକ୍ଟୋବର ୧୫ ତାରିଖରୁ ଏହି ଶୁଳ୍କ ଲାଗୁ ହେବା ନେଇ ଘୋଷଣା ହୋଇଥିଲା । ତେବେ NPCIର ଏହି ନିଷ୍ପତ୍ତି ପରେ ଆଶ୍ୱସ୍ତ ହୋଇଛନ୍ତି ୟୁପିଆଇ ବ୍ୟବହାରକାରୀ ।

NPCIର UPI ଓ ସର୍ଭିସେସ୍ ଷ୍ଟିୟରିଂ କମିଟି ବୈଠକରେ MDR ଲାଗୁ କରିବା ସମ୍ପର୍କିତ ବିଭିନ୍ନ ଆହ୍ୱାନ ଉପରେ ଆଲୋଚନା ହୋଇଥିଲା । ଏହାସହ ଚାଲିଥିବା ପାର୍ବଣ ଋତୁକୁ ମଧ୍ୟ ବିଚାରକୁ ନିଆଯାଇଥିଲା । ଏହି କାରଣରୁ ଅକ୍ଟୋବର ୧୫ ତାରିଖରେ ଲାଗୁ ହେବାକୁ ଥିବା MDR ସମ୍ପର୍କିତ ବ୍ୟବସ୍ଥାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି ।

ଗତ ସେପ୍ଟେମ୍ବର ୧୪ରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ସରକାର ୟୁପିଆଇ ପେମେଣ୍ଟ ଉପରେ ନୂଆ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ ସ୍ଥିର କରିଥିଲେ । ୨୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ନେଣଦେଣ ଉପରେ MDR ଜିରୋ ବା ଶୂନ୍ ରଖାଯାଇଥିଲା । ଏହାଠାରୁ ଅଧିକ ଟଙ୍କାରେ ପେମେଣ୍ଟ ନେଣଦେଣ ଉପରେ ସରକାର ୦.୪ ପ୍ରତିଶତ MDR ଲାଗୁ କରିବା ପାଇଁ ସ୍ଥିର କରିଥିଲେ । ୫ ଟଙ୍କା ଠାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଟ୍ରାଞ୍ଜାକସନ୍ ଉପରେ ଏହି ଚାର୍ଜ ଆଦାୟ କରାଯିବ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।