ଆସନ୍ତା ସପ୍ତାହରେ ପୁଣି ଏକ ଲଘୁଚାପ

Oct 28, 2026 - 12:58
ଆସନ୍ତା ସପ୍ତାହରେ ପୁଣି ଏକ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ସପ୍ତାହରେ ପୁଣି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ଉପକୂଳରୁ ବାତ୍ୟାର ପ୍ରଭାବ କମିବା ପରେ ପୁଣି ଏକ ଲଘୁଚାପ ସକ୍ରିୟ ହେବା ସମ୍ଭାବନା ରହିଛି । ତେବେ ଏହି ଲଘୁଚାପ ଟି କେତେ ପରିମାଣରେ ଘନୀଭୂତ ହେବ ଏବଂ ଏହାର ଗତିପଥ କେଉଁଆଡ଼େ ରହିବ, ସେ ନେଇ ସ୍ପଷ୍ଟ ଆକଳନ କରାଯାଇନାହିଁ ।  ଏହି ସମ୍ଭାବ୍ୟ ଲଘୁଚାପର ତୀବ୍ରତା ବା ଘନୀଭୂତ ହେବା ପ୍ରକ୍ରିୟା ଉପରେ ପାଣିପାଗ ବିଭାଗ ନଜର ରଖିଛି । ବାରମ୍ବାର ପାଣିପାଗରେ ପରିବର୍ତ୍ତନ ଓ ବର୍ଷା ଆଶଙ୍କା ଯୋଗୁଁ ରାଜ୍ୟର ଚାଷୀମାନେ ପୁଣି ଚିନ୍ତାରେ ପଡ଼ିଛନ୍ତି ।

ଏପଟେ ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ଷା ଓ ପବନକୁ ନେଇ ଚିନ୍ତା ବଢ଼ିଛି । ବିଶେଷକରି ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟାଜନିତ ପାଣିପାଗ ସ୍ଥିତି ଉପରେ ନଜର ରହିଛି । ବର୍ଷା ସହ ଝଟକା ପବନ, ତଳିଆ ଅଞ୍ଚଳରେ ପାଣି ଜମିବା ଏବଂ ଯାତାୟାତରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ।

ବାତ୍ୟାର ମୁଖ୍ୟ ପ୍ରଭାବ ଆନ୍ଧ୍ରପ୍ରଦେଶ ଉପକୂଳରେ ରହିଥିଲେ ମଧ୍ୟ ଏହା ସହ ଜଡ଼ିତ ବର୍ଷାବାଦଲ ଓଡ଼ିଶାର ପାଣିପାଗକୁ ପ୍ରଭାବିତ କରିପାରେ । ରାଜ୍ୟରେ ବାତ୍ୟା ପ୍ରଭାବରେ ମଙ୍ଗଳବାରଠାରୁ ପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ ଓ ବ୍ରହ୍ମପୁରରେ ମଝିରେ ମଝିରେ ବର୍ଷା ହୋଇଥିବା ବେଳେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିଛି । ଆଜି ରାଜ୍ୟର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।