ଆସନ୍ତାକାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ।
କଳାହାଣ୍ଡି: ଆସନ୍ତାକାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାଦ୍ୟର ଗର୍ଜନରେ ପ୍ରକମ୍ପିତ ହେଉଛି ପରିବେଶ । ପରମ୍ପରା ଅନୁଯାୟୀ, ମହାଷ୍ଟମୀର ମଧ୍ୟରାତ୍ରିରେ ମାଙ୍କ ବିଜୟ ପ୍ରତିମା ଛତରକୁ ଫାଶୀଡଙ୍ଗରର ଜେନାଖାଲକୁ ନିଆଯାଇଥାଏ । ସେଠାରେ ଗୁପ୍ତପୂଜା ଓ ସନ୍ଧିପୂଜା ସମ୍ପନ୍ନ ହେବା ପରେ ମହାଷ୍ଟମୀ ଦିନ ଭୋରରୁ ଆରମ୍ଭ ହୁଏ ମା’ଙ୍କ ବିଜୟ ପ୍ରତିମା ଛତରର ମନ୍ଦିର ଅଭିମୁଖେ ଯାତ୍ରା । ବର୍ଷକୁ ଥରେ ଏହି ଛତରଯାତ୍ରାରେ ମା’ଙ୍କ ବିଜୟ ପ୍ରତିମା ଛତରର ଦର୍ଶନ ମିଳିଥାଏ । ତେଣୁ ଏହି ଦିନକୁ ଅପେକ୍ଷା କରିଥାନ୍ତି ଅସଂଖ୍ୟ ଭକ୍ତ।
ବଳିପ୍ରଥା ଯୋଗୁଁ ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ରକ୍ତରଞ୍ଜିତ ହୋଇଥାଏ । ମାନସିକଧାରୀ ଦେବୀଙ୍କ ପାଖରେ ବୋଦା, ଛେଳି ଓ କୁକୁଡ଼ା ବଳି ଦେଇଥାନ୍ତି। ଏହାସହ ଶାନ୍ତିର ପ୍ରତୀକ ଭାବେ ଶହ ଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ରହିଛି। ଛତର ଯାତ୍ରାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ସିସିଟିଭି ଓ ଡ୍ରୋନ୍ ଯୋଗେ ସମଗ୍ର ଯାତ୍ରା ଉପରେ ନଜର ରଖାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।