ଆସିବ ନିର୍ବାଚନ ଫଳାଫଳ: ନେତାଙ୍କ ଛାତି ଧଡଧଡ !
ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଭୋଟ ଗଣତି । ନିର୍ଦ୍ଧାରିତ ହେବ ଚାରି ରାଜ୍ୟର ଭାଗ୍ୟ । କିଏ ମାରିବ ବାଜି, ତାହା ଉପରେ ଅଟକିଛି ସମସ୍ତଙ୍କ ନଜର । ଆଜି ଘୋଷଣା ହେବ ଦେଶର ୪ ରାଜ୍ୟରେ ହୋଇଥିବା ବିଧାନସଭା ଏବଂ ଲୋକସଭା ଉପନିର୍ବାଚନର ଫଳାଫଳ । ଅକ୍ଟୋବର ୬ ତାରିଖରେ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ଉପନିର୍ବାଚନ ପାଇଁ ଭୋଟ୍ ପଡିଥିଲା । ଏଥିରେ ପାଞ୍ଚଟି ବିଧାନସଭା ଆସନ ଏବଂ ଆସାମର ଗୋଟିଏ ନାଗାଓଁ ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା । ଯାହାର ଫଳାଫଳ ଆଜି ଜଣାପଡିବ । ତେବେ ସକାଳ ୮ଟାରୁ ଭୋଟ ଗତଣି ଆରମ୍ଭ ହୋଇସାରିଛି । ବିଭିନ୍ନ ରାଜ୍ୟରେ ବଦଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ ଏହି ଉପନିର୍ବାଚନର ଫଳାଫଳ ରାଜନୈତିକ ଦଳଗୁଡିକ ପାଇଁ ଗୁରୁତ୍ବପୂର୍ଣ୍ଣ ସଙ୍କେତ ପ୍ରଦାନ କରିପାରେ ।
ଯଦି ଦେଖିବା, ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଏବଂ ରାଜନଗର ବିଧାନସଭା ଉପନିର୍ବାଚନର ଫଳାଫଳ ବର୍ତ୍ତମାନ ରାଜନୈତିକ ଦୃଶ୍ୟପଟର ଏକ ଝଲକ ପ୍ରଦାନ କରିବାର ସମ୍ଭାବନା ରହିଛି । ଯଦିଓ ଅକ୍ଟୋବର ୬ରେ ହୋଇଥିବା ଦୁଇଟି ଉପନିର୍ବାଚନ ଚାରି ମାସର ପୁରୁଣା ବିଜେପି ସରକାର ଉପରେ କୌଣସି ଜନମତ ସଂଗ୍ରହ କରିନାହିଁ ତଥାପି ବିରୋଧୀ ଦଳରୁ କ୍ଷମତାକୁ ଆସିବା ପରେ ଦଳର ନିର୍ବାଚନୀ ଶକ୍ତିର ମୂଲ୍ୟାଙ୍କନ ଏବଂ ବିରୋଧୀ ଶିବିରର ସ୍ଥିତି ଆକଳନ କରିବା ପାଇଁ ଫଳାଫଳ ଉପରେ କଡା ନଜର ରଖାଯାଇଛି । ଏଥିରେ ନନ୍ଦିଗ୍ରାମ ପୂର୍ବରୁ ହିଁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । ୨୦୨୧ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ଏହି ଆସନରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ । ସେହିପରି ୨୦୨୬ ବିଧାନସଭା ନିର୍ବାଚନରେ ମଧ୍ୟ ଏହି ଆସନରେ ଜିତିଥିଲା । କିନ୍ତୁ ଭବାନୀପୁର ଆସନ ବଜାୟ ରଖିବା ଫଳରେ ନନ୍ଦିଗ୍ରାମ ଆସନ ଖାଲି ପଡିଥିଲା । ଫଳରେ ଉପନିର୍ବାଚନର ଆବଶ୍ୟକ ହୋଇଥିଲା । ସେହିଭଳି ରାଜନଗରରେ ପୋଲିସ ସହ ସଂଘର୍ଷ ପରେ ଆମ୍ ଜନତା ପାର୍ଟିର ମୁଖ୍ୟ ହୁମାୟୁନ କବୀରଙ୍କୁ ଗିରଫ କରାଯାଇଥିଲା । ଫଳରେ କଂଗ୍ରେସ ଉଭୟ ବିଧାନସଭା ଆସନରେ ପୁନଃନିର୍ବାଚନ ଦାବି କରିଥିଲା । ଯେଉଁଠାରେ ଆମ୍ ଜନତା ପାର୍ଟିର ମୁଖ୍ୟ ହୁମାୟୁନ କବୀରଙ୍କ ପୁଅ ଗୁଲାମ ନବୀ ଆଜାଦ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ଅନ୍ୟପଟେ ତାମିଲନାଡୁର ମଦୁରନ୍ତକମ୍ ଏବଂ ଧାରାପୁରମ୍ ବିଧାନସଭା ଉପନିର୍ବାଚନରେ ତ୍ରିସ୍ତରୀୟ ସୁରକ୍ଷା କବଚ ମଧ୍ୟରେ ଭୋଟ୍ ଗଣତି ଚାଲିଛି । ମେ ମାସରେ ଟିଭିକେ କ୍ଷମତାକୁ ଆସିବା ପରେ ଏହି ଗୁରୁତ୍ବପୂର୍ଣ୍ଣ ଉପନିର୍ବାଚନକୁ ଏହାର ଲୋକପ୍ରିୟତାର ପରୀକ୍ଷା ଭାବରେ ଦେଖାଯାଉଛି । ଯେତେବେଳେ କି ଏଆଇଏଡିଏମକେ ଟିଭିକେ ଠାରୁ ବିଧାନସଭା ନିର୍ବାଚନ ହାରିବା ପରେ ଏବେ ପୁନର୍ବାର ଆସନ ଫେରିପାଇବାକୁ ଆଶା ରଖିଛି । ସେପଟେ ଆସାମର ନଗାଓଁ ଲୋକସଭା ଆସନରେ ବିଜେପି, କଂଗ୍ରେସ୍ ଏବଂ ଏଆଇୟୁଡିଏଫ୍ ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି । ବିଜେପି ପୂର୍ବତନ ବ୍ୟୁରୋକ୍ରାଟ ଦେବାଶିଷ ଶର୍ମାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଶିବମଣି ବୋରା ଏବଂ ଏଆଇୟୁଡିଏଫ୍ ତରଫରୁ ଦଳର ମୁଖ୍ୟ ବଦରୁଦ୍ଦିନ ଅଜମଲ ମୈଦାନରେ ଅଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।