ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

Sep 18, 2026 - 11:33
ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ ନମିଳିବା ବ୍ୟବସ୍ଥା ଆସିପାରେ। ଦେଶରେ ବହୁ ସଂଖ୍ୟକ ଗାଡ଼ି ବିନା ବୈଧ ବୀମାରେ ଚାଲୁଥିବା ନେଇ ଚିନ୍ତା ପ୍ରକାଶ କରି ସୁପ୍ରିମକୋର୍ଟ କେନ୍ଦ୍ରକୁ ଏକ ପାଇଲଟ ପ୍ରୋଜେକ୍ଟ ବିକଶିତ କରିବାକୁ କହିଛନ୍ତି।

ସୁପ୍ରିମକୋର୍ଟ ଇନ୍ସୁରାନ୍ସ ନିୟମ ପାଳନ ସୁନିଶ୍ଚିତ କରିବା ପାଇଁ ଇନ୍ସୁରାନ୍ସ ରେଗୁଲେଟର IRDAI ଓ ସଡ଼କ ପରିବହନ ମନ୍ତ୍ରଣାଳୟକୁ ମିଶି ଏକ ପାଇଲଟ ପ୍ରୋଜେକ୍ଟ ଉପରେ କାମ କରିବାକୁ କହିଛନ୍ତି। ପ୍ରସ୍ତାବିତ ବ୍ୟବସ୍ଥାରେ ଗାଡ଼ିର ଇନ୍ସୁରାନ୍ସ ସ୍ଥିତିକୁ ଇନ୍ଧନ କିଣିବା ସହ ଯୋଡ଼ାଯାଇପାରେ। ବୈଧ ଇନ୍ସୁରାନ୍ସ ନଥିଲେ ଇନ୍ଧନ ଦେବାକୁ ମନା କରାଯାଇପାରେ।

କୋର୍ଟରେ ଉପସ୍ଥାପିତ ତଥ୍ୟ ଅନୁସାରେ, ଭାରତରେ ପଞ୍ଜୀକୃତ ପ୍ରାୟ ୩୦.୪୮ କୋଟି ଗାଡ଼ି ମଧ୍ୟରୁ ପ୍ରାୟ ୧୬.୫୪ କୋଟି ଗାଡ଼ିର ବୈଧ ଇନ୍ସୁରାନ୍ସ ନାହିଁ। ଅର୍ଥାତ୍‌ ପ୍ରାୟ ୫୬ ପ୍ରତିଶତ ଗାଡ଼ି ବିନା ବୀମାରେ ଚାଲୁଥିବା ତଥ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ କୋର୍ଟ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

ପ୍ରସ୍ତାବିତ ବ୍ୟବସ୍ଥାରେ ପେଟ୍ରୋଲ ପମ୍ପରେ ଗାଡ଼ିର ନମ୍ବର ପ୍ଲେଟ ସ୍କାନ କରି ଇନ୍ସୁରାନ୍ସ ସ୍ଥିତି ଯାଞ୍ଚ କରାଯାଇପାରେ। ଏଥିପାଇଁ ANPR କ୍ୟାମେରା ଓ VAHAN ଏବଂ ଇନ୍ସୁରାନ୍ସ ଡାଟାବେସ୍କୁ ଯୋଡ଼ିବାର ବିକଳ୍ପ ଉପରେ ମଧ୍ୟ ଜୋର ଦିଆଯାଇଛି।

ଯଦି ଗାଡ଼ିର ଇନ୍ସୁରାନ୍ସ ଅବଧି ସରିଯାଇଥିବା ଜଣାପଡ଼େ, ତେବେ ପ୍ରସ୍ତାବିତ ପାଇଲଟ ବ୍ୟବସ୍ଥା ଅନୁସାରେ ବୀମା ନବୀକରଣ ନହେବା ପର୍ଯ୍ୟନ୍ତ ଇନ୍ଧନ ଦେବା ବନ୍ଦ କରାଯାଇପାରେ। ତେବେ ଏହା ଏବେ ସୁଦ୍ଧା ସମଗ୍ର ଦେଶରେ ଲାଗୁ ହୋଇଥିବା ନିୟମ ନୁହେଁ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।