ଆସୁଛି କି ଖାଦ୍ୟ ସଙ୍କଟ?

Oct 05, 2026 - 21:57
ଆସୁଛି କି ଖାଦ୍ୟ ସଙ୍କଟ?

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ଚାଲିଛି । ପ୍ରଭାବିତ ହୋଇଛି ଆମଦାନୀ । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ତ ଆସନ୍ତା ମାସରୁ ଖାଦ୍ୟ ସଙ୍କଟ ଆଡ଼େ ଇଙ୍ଗିତ କଲେଣି । କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବି ଅର୍ଥନୈତିକ ଅସ୍ଥିରତା ଆଡ଼କୁ ସଙ୍କେତ ଦେଇଛି । ଯେଉଁଥି ପାଇଁ ଏକ ଟଙ୍କା ଭାରତୀୟ ମୁଦ୍ରାକୁ ଏକ ଡଲାର ସହ ମେଳ ନ କରିବାକୁ ୨୦ ବିଲିୟନ ଡଲାର ବିକ୍ରି କଲାଣି । ସୁପର ଏଲନିନୋ ଯୋଗୁଁ ଫସଲ ନଷ୍ଟ ହେଲାଣି । ହେଲେ ଓଡ଼ିଶା ସରକାର କେଉଁ ଆଧାରରେ କଣ୍ଟିଜେନସି ପ୍ଲାନ ମହଜୁଦ ରଖିଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି । କାରଣ ଚଳିତ ବର୍ଷ ଓଡ଼ିଶା ନନଷ୍ଟପ ପାଞ୍ଚଟି ବନ୍ୟା ଦେଖିଲାଣି । ବର୍ଷା ଦିନରେ ଖରା ଦାଉ ସାଧୁଛି । ଯେଉଁଥି ପାଇଁ ରବି ଫସଲ ବି ପ୍ରଭାବିତ ହେବାକୁ ବସିଲାଣି । ଏପରି ସ୍ଥିତିରେ କଣ୍ଟିଜେନସି ପ୍ଲାନ ସାର୍ବଜନୀନ ନ କଲେ ବି ପ୍ରସ୍ତୁତ ଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ହେଲେ ଏହା ଅକ୍ଟୋବର ମାସ । ଓଡ଼ିଶାର ବାତ୍ୟା ଓ ବାତ୍ୟା ପରବର୍ତ୍ତି ବନ୍ୟା ପାଇଁ ଅନୁକୁଳ ପାଗ । ଯଦି ଏଥର ବି ଏହି ପ୍ରାକୃତିକ ଦୁର୍ବିପାକ ଦେଖା ଦିଏ, ତାହା ସ୍ଥିତି ବିଗାଡ଼ି ପାରେ ।

ଅନ୍ୟପଟେ ଜନସାଧାରଣଙ୍କୁ ଭୟଭୀତ ନକରିବାକୁ ବ୍ୟବସାୟୀମାନେ ଖାଦ୍ୟ ସଙ୍କଟକୁ ଏଡ଼ାଉଛନ୍ତି । ହେଲେ ସରକାରଙ୍କ କର୍ପୋରେଟ ପ୍ରୀତିକୁ ଟାର୍ଗେଟ କରୁଛନ୍ତି । କାରଣ ଚଳିତ ବର୍ଷ କମ ଉତ୍ପାଦନ ହୋଇଥିବା ନେଇ ବ୍ୟବସାୟୀମାନେ ସ୍ୱୀକାର କରୁଛନ୍ତି । ତାହା ବି ଆବଶ୍ୟକଠାରୁ ୧୫ ରୁ ୨୦% କମ ଧାନ, ଶସ୍ୟ ଉତ୍ପାଦନ ହୋଇଥିବାରୁ ଖାଦ୍ୟ ଉପରେ ପ୍ରଭାବ ପଡ଼ିଛି । ଖାଦ୍ୟ ଶସ୍ୟ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଓ ବିଦେଶ ଉପରେ ନିର୍ଭରଶୀଳ । ହେଲେ ଆଗାମୀ ବର୍ଷେରୁ ଦୁଇ ବର୍ଷ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ମହଜୁଦ ଅଛି । ଖାଦ୍ୟ ସଙ୍କଟକୁ ବ୍ୟବସାୟୀ ସିଧାସଳଖ ଏଡ଼ାଉ ନାହାନ୍ତି । ତେବେ କର୍ପୋରେଟ ସଂସ୍ଥାଙ୍କୁ ନିୟନ୍ତ୍ରଣକୁ ନ ଆଣିଲେ, ଅଭାବ ଦେଖା ଯିବାର ସମ୍ଭାବନା ରହିଥିବାର ଆଶଂକା ସେମାନେ ପ୍ରକାଶ କରିଛନ୍ତି ।

ଖାଦ୍ୟ ସଙ୍କଟର ପ୍ରାକୃତିକ କାରଣ ହେଉଛି ବାତ୍ୟା, ବନ୍ୟା, ମରୁଡ଼ି ପରି ଜଳବାୟୁ ପରିବର୍ତ୍ତନ । ସେହିପରି ମାନବକୃତ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି, ଚାଷ ଜମି କମିବା ଓ ଖାଦ୍ୟ ଅପଚୟ । କାରଣ ଭାରତରେ ପ୍ରତିବର୍ଷ ୪୦% ଖାଦ୍ୟ ନଷ୍ଟ ହୁଏ । ତେବେ ଯୁଦ୍ଧ ଓ ମୁଦ୍ରାସ୍ଫୀତି ବି ଏହାର ଏକ ବଡ଼ କାରଣ ଅଟେ । ଆର୍ଥିକ କାରଣରେ ଦର ବୃଦ୍ଧି ଓ ଗରିବୀ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।