ଇଚ୍ଛାପୁର ବ୍ରିଜ୍‌ରେ ବନ୍ୟାଜଳ: ଛତ୍ରପୁର ଷ୍ଟେଶନରେ ଅଟକିଲା ଯଶୋବନ୍ଦପୁର-ହାୱଡ଼ା ଟ୍ରେନ୍, ଫସିଲେ ହଜାର ହଜାର…

Oct 29, 2026 - 20:21
ଇଚ୍ଛାପୁର ବ୍ରିଜ୍‌ରେ ବନ୍ୟାଜଳ: ଛତ୍ରପୁର ଷ୍ଟେଶନରେ ଅଟକିଲା ଯଶୋବନ୍ଦପୁର-ହାୱଡ଼ା ଟ୍ରେନ୍, ଫସିଲେ ହଜାର ହଜାର…

ଛତ୍ରପୁର, ୨୯।୧୦ (ଦିଲ୍ଲୀପ ସାମଲ): ଇଚ୍ଛାପୁର ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁ ରେଳ ଚଳାଚଳ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବରେ ଯଶୋବନ୍ଦପୁର-ହାୱଡ଼ା ଟ୍ରେନ୍‌ ଗୁରୁବାର ସକାଳ ପ୍ରାୟ ୫ଟା ସମୟରୁ ଛତ୍ରପୁର ବଡ଼ରେଳ ଷ୍ଟେଶନରେ ଅଟକି ରହିଥିଲା। ଦୀର୍ଘ ସମୟ ଧରି ଟ୍ରେନ୍‌ ଅଟକି ରହିବା ଯୋଗୁ ଟ୍ରେନ୍‌ରେ ଥିବା ହଜାର ହଜାର ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଅଟକିଥିବା ଯାତ୍ରୀଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ପକ୍ଷରୁ ସହାୟତାର ହାତ ବଢ଼ାଯାଇଛି। ‘ୟୁଥ୍‌ ମାସ ସେବା ସଂଘ’ ପକ୍ଷରୁ ସୟଦ ମୁକ୍ତାରଙ୍କ ତତ୍ତ୍ୱାବଧାନରେ ଏବଂ ଯୁବ ସମାଜସେବୀ ଦୀପକ କୁମାର ମୁଦୁଲିଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ ଛତ୍ରପୁର ଷ୍ଟେସନରେ ପହଞ୍ଚି ଯାତ୍ରୀମାନଙ୍କୁ ପ୍ରାୟ ୫ ହଜାର ପ୍ୟାକେଟ୍‌ ବିସ୍କୁଟ ଓ ପାଣି ବୋତଲ ବଣ୍ଟନ କରିଥିଲେ। ଏହି ସେବା କାର୍ଯ୍ୟରେ ପୂର୍ବତନ କାଉନସିଲର ରାଜେଶ ସାହୁ, ରବୀନ୍ଦ୍ର ସାହୁ, ବି. ଗୋପାଳ ସ୍ୱାମୀ, ଭି. ମାଙ୍ଗେଳେଶ୍ୱର ରାଓଙ୍କ ସମେତ ସଂଘର ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।

ସେହିପରି ଛତ୍ରପୁର ମାର୍କେଟ୍‌ ରୋଡ୍‌ କାଳୀପୂଜା କମିଟି ପକ୍ଷରୁ ଅଟକିଥିବା ଯାତ୍ରୀମାନଙ୍କୁ ଗରମ ମସଲା ଉପମା ବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଛତ୍ରପୁର ପୌରପରିଷଦ ପକ୍ଷରୁ ମଧ୍ୟ ଯାତ୍ରୀମାନଙ୍କ ପାଇଁ ରନ୍ଧା ଖାଦ୍ୟ (ଭାତ ଓ ଡାଲମା)ର ବ୍ୟବସ୍ଥା କରାଯାଇ ଯୋଗାଇ ଦିଆଯାଇଥିଲା। ବିପଦ ସମୟରେ ସ୍ଥାନୀୟ ଅନୁଷ୍ଠାନ ଓ ପ୍ରଶାସନର ଏହି ମାନବୀୟ ସହାୟତା ଯାତ୍ରୀମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।