ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସଂସ୍କରଣକୁ ନେଇ ଏବେଠାରୁ ଆରମ୍ଭ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସଂସ୍କରଣକୁ ନେଇ ଏବେଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଇପିଏଲ୍ ୨୦୨୭ ପୂର୍ବରୁ ଗତ ସଂସ୍କରଣର ସମସ୍ୟା ଓ ଆୟୋଜନଗତ ତ୍ରୁଟିର ସମୀକ୍ଷା କରିବାକୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏକ ବଡ଼ ପଦକ୍ଷେପ ନେଇଛି। ଏଥିପାଇଁ ଆସନ୍ତା ଅକ୍ଟୋବର ୧୫ ତାରିଖରେ ମୁମ୍ବାଇରେ ସମସ୍ତ ପ୍ରମୁଖ ଅଂଶୀଦାରଙ୍କୁ ନେଇ ଏକ ମିଳିତ ବୈଠକ ଡକାଯାଇଛି।
ଆଇପିଏଲ୍ ୨୦୨୭ ଲିଗ୍ର ୨୦ତମ ସଂସ୍କରଣ ହେବାକୁ ଥିବାରୁ ଏହାକୁ ଅଧିକ ସଫଳ ଓ ସୁବ୍ୟବସ୍ଥିତ କରିବା ଉପରେ ବିସିସିଆଇ ଗୁରୁତ୍ୱ ଦେଉଛି। ବୈଠକରେ ରାଜ୍ୟ କ୍ରିକେଟ୍ ସଂଘ, ବିଭିନ୍ନ ଫ୍ରାଞ୍ଚାଇଜ୍ର ମାଲିକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବୋର୍ଡର ଅଧିକାରୀ ଏବଂ ପ୍ରସାରଣକାରୀ ସଂସ୍ଥାର ପ୍ରତିନିଧିମାନେ ଯୋଗଦେବେ। ଆଗାମୀ ସିଜିନ୍ର ଯୋଜନା ପ୍ରସ୍ତୁତି ସହ ଆୟୋଜନ, ଷ୍ଟାଡିୟମ୍ ପରିଚାଳନା ଓ ମ୍ୟାଚ୍ ଦିନର ସମନ୍ୱୟ ଉପରେ ଆଲୋଚନା ହେବ।ବିସିସିଆଇ ସଚିବ ଦେବଜିତ୍ ସାକିଆ ଏକ ପତ୍ରରେ କହିଛନ୍ତି ଯେ, ବିଗତ ସିଜିନ୍ର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବା, ରହିଥିବା ସମସ୍ୟାର ସମାଧାନ କରିବା ଏବଂ ୨୦୨୭ ସିଜିନ୍ ପାଇଁ ଉପଯୁକ୍ତ ଯୋଜନା ଓ ସମନ୍ୱୟ ଉପରେ ବିଚାର କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ଆଇପିଏଲ୍ ଆୟୋଜନରେ ରାଜ୍ୟ ସଂଘଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କ ମତାମତକୁ ବିଶେଷ ଗୁରୁତ୍ୱ ଦିଆଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।