ଇଣ୍ଡୋ-ପ୍ୟାସିଫିକ୍‌ ଓ ଭାରତ

Oct 29, 2026 - 08:36
ଇଣ୍ଡୋ-ପ୍ୟାସିଫିକ୍‌ ଓ ଭାରତ

ଭାରତ ମହାସାଗରରୁ ପଶ୍ଚିମ ପ୍ରଶାନ୍ତମହାସାଗର (ପ୍ୟାସିଫିକ୍‌) ପର୍ଯ୍ୟନ୍ତ ବିସ୍ତୃତ ଇଣ୍ଡୋ-ପ୍ୟାସିଫିକ୍‌ ଅଞ୍ଚଳ ସମୁଦ୍ରପଥ, ଯୋଗାଣ ଶୃଙ୍ଖଳ, ସାମୁଦ୍ରିକ ଅର୍ଥନୀତି ଓ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାର ପ୍ରମୁଖ ପ୍ରସଙ୍ଗ ହୋଇଛି। ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ, ଇଣ୍ଡୋ-ପ୍ୟାସିଫିକ୍‌ ଶବ୍ଦକୁ ସର୍ବପ୍ରଥମେ ୧୯୨୦ ଦଶକରେ ଜର୍ମାନ ଭୂ-ରାଜନୀତିଜ୍ଞ କାର୍ଲ ହାଉସ୍‌ହୋଫର ପ୍ରଚଳନ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଶବ୍ଦକୁ ପ୍ରସିଦ୍ଧ କରିବାରେ ଭାରତୀୟ ନୌସେନା ଅଧିକାରୀ ଗୁରୁପ୍ରୀତ ଏସ୍‌. ଖୁରାନାଙ୍କ ଅବଦାନ ଅତୁଳନୀୟ ଏବଂ ଜାପାନର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପ୍ରମୁଖ ଭୂମିକା ରହିଛି।
ଭାରତର ଇଣ୍ଡିଆନ୍‌ କାଉନସିଲ୍‌ ଅଫ ୱାଲ୍ଡ୍‌ ଅIଫେୟାର୍ସ କହିବା ଅନୁସାରେ, ବର୍ତ୍ତମାନ ବିଶ୍ୱ ବାଣିଜ୍ୟର ପ୍ରାୟ ୬୫% ଇଣ୍ଡୋ-ପ୍ୟାସିଫିକ୍‌ ସାମୁଦ୍ରିକ ପଥ ଦେଇ ଚଳାଚଳ କରୁଥିବାରୁ ଏହି ଅଞ୍ଚଳ କେବଳ ଭୂ-ରାଜନୈତିକ ନୁହେଁ, ବିଶ୍ୱ ଅର୍ଥନୀତିର ଏକ ପ୍ରମୁଖ ଧମନୀ ।ବିଶ୍ୱର ମୋଟ ଘରୋଇ ଉତ୍ପାଦର ପ୍ରାୟ ୬୦% ଏହି ଅଞ୍ଚଳ ସହ ଜଡ଼ିତ। ଏକାଦଶ କ୍ୱାଡ୍‌ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଭାରତର ନୂଆଦିଲ୍ଲୀରେ ୨୦୨୬ରେ ମେ ୨୬ରେ ହୋଇଥିଲା; ଯାହା ସାମୁଦ୍ରିକ ନିରୀକ୍ଷଣ, ସୂଚନା ଆଦାନ ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ରଖେ। ଉଲ୍ଲେଖନୀୟ ଯେ, ଭାରତର ବୈଦେଶିକ ନୀତି ଶୀତଳ ଯୁଦ୍ଧ ସମୟରେ ଗୋଷ୍ଠୀ ନିରପେକ୍ଷ ନୀତିରୁ ପରିବର୍ତ୍ତିତ ହୋଇ ବହୁମୁଖୀ ସହଯୋଗ ନୀତି ଆଡ଼କୁ ଅଗ୍ରସର ହେଉଥିବା ସମୟରେ ଭାରତ ଏହାର ସଭ୍ୟତା ସୂତ୍ରରେ କେଉଁ ଆଦିମ ସମୟ ଯଥା ହରପ୍ପା ସଭ୍ୟତା, ମହେଞ୍ଜୋଦାରୋ ସଭ୍ୟତା ଓ ସର୍ବୋପରି ନୌବାଣିଜ୍ୟ ଜରିଆରେ ଦକ୍ଷିଣ ପଶ୍ଚିମ ଦେଶ (ଜାଭା ଓ ସୁମାତ୍ରା) ସହିତ ବାନ୍ଧି ରଖିଥିବା ସମ୍ପର୍କକୁ ଉଜ୍ଜୀବିତ କରିବା ପାଇଁ ଷ୍ଟ୍ରାଟେଜିକ ଅଟୋନୋମି ଉପରେ ଗୁରୁତ୍ୱାରୋପ କରିଆସୁଛି।
ଏଠାରେ ଓଡ଼ିଶାର ଭୂମିକା ଆଲୋଚନା କରିବା। ଭାରତର ଇଣ୍ଡୋ-ପ୍ୟାସିଫିକ୍‌ ଦୂରଦୃଷ୍ଟିକୁ ବୁଝିବା ପାଇଁ ଓଡ଼ିଶାର ସାମୁଦ୍ରିକ ଐତିହ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ବଙ୍ଗୋପସାଗର କୂଳରେ ଅବସ୍ଥିତ ଓଡ଼ିଶା ପ୍ରାଚୀନ କଳିଙ୍ଗ ଯୁଗରୁ ଦକ୍ଷିଣ-ପୂର୍ବ ଏସିଆ ସହ ସମୁଦ୍ରପଥରେ ବାଣିଜ୍ୟ ଓ ସାଂସ୍କୃତିକ ଯୋଗାଯୋଗ ରଖିଆସିଛି। ଓଡ଼ିଶା ସରକାରଙ୍କ ତଥ୍ୟ ଅନୁସାରେ, ଖ୍ରୀଷ୍ଟପୂର୍ବ ୪ର୍ଥ-୫ମ ଶତାବ୍ଦୀରୁ କଳିଙ୍ଗର ସାଧବମାନେ ଜାଭା, ସୁମାତ୍ରା, ବୋର୍ନିଓ ଓ ବାଲି ଆଦି ଅଞ୍ଚଳକୁ ସମୁଦ୍ରଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ କରୁଥିଲେ। ବାଲିଯାତ୍ରା ଓଡ଼ିଶାର ସାମୁଦ୍ରିକ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଜୀବନ୍ତ ପ୍ରତୀକ। କାର୍ତ୍ତିକ ପୂର୍ଣ୍ଣିମାରେ ପାଳିତ ବୋଇତ ବନ୍ଦାଣ ମାଧ୍ୟମରେ ଓଡ଼ିଆ ସମାଜ ଆଜି ମଧ୍ୟ ପ୍ରାଚୀନ ସାଧବମାନଙ୍କ ସମୁଦ୍ରଯାତ୍ରାକୁ ସ୍ମରଣ କରେ। ବର୍ତ୍ତମାନ ଇଣ୍ଡୋ-ପ୍ୟାସିଫିକ୍‌ ଓଡ଼ିଶାର ଭୂମିକାର ଏକ ପ୍ରମୁଖ ଆଧାର ହେଉଛି ପାରାଦୀପ ବନ୍ଦର। ବଙ୍ଗୋପସାଗର କୂଳରେ ଅବସ୍ଥିତ ପାରାଦୀପ ଓଡ଼ିଶାର ଏକମାତ୍ର ପ୍ରମୁଖ ବନ୍ଦର ଏବଂ ଏହା ଭାରତର ପୂର୍ବତଟର ଅନ୍ତର୍ଜାତୀୟ ଓ ଉପକୂଳୀୟ ବାଣିଜ୍ୟର ଏକ ପ୍ରମୁଖ ଗେଟ୍‌ୱେ ଭାବରେଜଣାଶୁଣା। ୨୦୧୫ରେ ସାଗର ସୂତ୍ରପାତ (ସେକ୍ୟୁରିଟି ଆଣ୍ଡ ଗ୍ରୋଥ୍‌ ଫର ଅଲ୍‌ ଇନ୍‌ ଦ ରିଜିଅନ), ୨୯ ନଭେମ୍ବର ୨୦୨୩ରେ ମହାସାଗର ଉଦ୍ୟୋଗର (ମେରିଟାଇମ୍‌ ହେଡ୍ସ ଫର ଆକ୍ଟିଭ ସେକ୍ୟୁରିଟି ଆଣ୍ଡ ଗ୍ରୋଥ୍‌ ଫର୍‌ ଅଲ୍‌ ଦ ରିଜିଅନ) ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୫ରେ ଏହି ଦୂରଦୃଷ୍ଟିକୁ ବିସ୍ତାର କରି ଏକ ନୂତନ ମେରିଟାଇମ୍‌ ଡକ୍ଟରାଇନ୍‌ ବା ରଣନୀତି ଭାବରେ (ମ୍ୟୁଚୁଆଲ ଆଣ୍ଡ ହୋଲିଷ୍ଟିକ ଆଡ୍‌ଭାନ୍ସମେଣ୍ଟ ଫର୍‌ ସେକ୍ୟୁରିଟି ଆଣ୍ଡ ଗ୍ରୋଥ୍‌ ଆକ୍ରସ ରିଜିଅନ୍‌ସ ସମ୍ପର୍କରେ ଆଲୋଚନା କରାଯାଇଥିଲା, ଯାହା ଗ୍ଲୋବାଲ୍‌ ସାଉଥ୍‌ର ସାମୁଦ୍ରିକ ସୁରକ୍ଷା ଓ ଅଭିବୃଦ୍ଧି ଉପରେ ପର୍ଯ୍ୟବସିତ।
ଚତୁର୍ଦ୍ଦଶ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ବ୍ୟାଙ୍କକ୍‌ ଠାରେ ଇଣ୍ଡୋ-ପ୍ୟାସିଫିକ୍‌ ଓପନ୍‌ ଇନିସିଏଟିଭ ନଭେମ୍ବର ୨୦୧୯ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତ ସାମୁଦ୍ରିକ କ୍ଷେତ୍ର ସଚେତନତା ସମ୍ବନ୍ଧରେ ପ୍ରାଧାନ୍ୟ ଦେଇଥିଲା। ଏଥିସହିତ ସାମୁଦ୍ରିକ ବାଣିଜି୍ୟକ ମାର୍ଗ ଦ୍ୱାରା ଏକ ମୁକ୍ତ ଇଣ୍ଡୋ-ପ୍ୟାସିଫିକ୍‌ ମହାସାଗରୀୟ କ୍ଷେତ୍ର ଏବଂ ଜଳପଥରେ ଯାତାୟାତ କରିବାର ଅଧିକାର ଉପରେ ଅଗ୍ରାଧିକାର ଦେଲା। ଉଦାହରଣ ସ୍ବରୂପ, ହର୍ମୁଜ ପ୍ରଣାଳୀ, ମଲକା ପ୍ରଣାଳୀ, ବାବ୍‌-ଏଲ୍‌-ମାନ୍ଦେବ୍‌ ପ୍ରଣାଳୀ, ଯାହା ସାମ୍ପ୍ରତିକ ସମୟରେ ଗୁରୁତ୍ୱପୂର୍ଣ୍ଣ କୌଶଳଗତ ଜଳପଥ ଉପରେ ପରିଗଣିତ ହୋଇଥାଏ। ୨୦୨୬ ପ୍ରାରମ୍ଭରେ ହର୍ମୁଜ୍‌ ସଙ୍କଟ ଭାରତର ଇଣ୍ଡୋ-ପ୍ୟାସିଫିକ୍‌ ଦୃଷ୍ଟିକୋଣରେ ସାମୁଦ୍ରିକ ସୁରକ୍ଷାର ଗୁରୁତ୍ୱକୁ ପୁନଃ ସ୍ପଷ୍ଟ କରିଛି। ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆକୁ ନେଇ ଗଠିତ ‘କ୍ୱାଡ୍‌’ ବୈଠକରେ ଏକ ‘ମୁକ୍ତ ଏବଂ ଖୋଲା ଇଣ୍ଡୋ-ପ୍ୟାସିଫିକ ଅଞ୍ଚଳ’ ଗଠନ ପାଇଁ ଆନୁଷ୍ଠାନିକ ଭାବରେ ୨୦୧୭ଠାରୁ ପଥ ଉନ୍ମୁକ୍ତ ହୋଇଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଏହି ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ଓ ସପ୍ଲାଇ ଚେନ୍‌ ସ୍ଥିରତା ଉପରେ ପ୍ରଚେଷ୍ଟା ରଖୁଛନ୍ତି। କିନ୍ତୁ ଉଲ୍ଲେଖନୀୟ ଯେ, ‘କ୍ୱାଡ୍‌’ ଶବ୍ଦଟିକୁ ପ୍ରଥମେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ୨୦୦୭ରେ ବ୍ୟବହାର କରିଥିଲେ। ବର୍ତ୍ତମାନ ଅତି ସଂକ୍ଷେପରେ ଇଣ୍ଡୋ-ପ୍ୟାସିଫିକ ଅଞ୍ଚଳରେ ଦେଖାଦେଉଥିବା ଆହ୍ବାନ ସମ୍ବନ୍ଧରେ ଆଲୋଚନା କରିବା। ପ୍ରଥମତଃ ଚାଇନା ତାର ‘ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌’ ମାଧ୍ୟମରେ ଶ୍ରୀଲଙ୍କା, ପାକିସ୍ତାନ ଏବଂ ମାଳଦ୍ୱୀପ ଭଳି ଛୋଟ ଦେଶଗୁଡ଼ିକୁ ବଡ଼ ଆକାରର ଋଣ ଦେଇ ନିଜ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛି। ଦ୍ୱିତୀୟତଃ ଏହି ଅଞ୍ଚଳରେ ସାଗରୀୟ ଜଳଦସ୍ୟୁତା, ମାନବ ଚାଲାଣ ଏବଂ ନିଶାଦ୍ରବ୍ୟ ଚୋରା ଚାଲାଣ ଏକ ବଡ଼ ସମସ୍ୟା। ତୃତୀୟରେ ଚାଇନା ଦକ୍ଷିଣ ଚାଇନା ସାଗରର ପ୍ରାୟ ସମସ୍ତ ଅଂଶ ଉପରେ ନିଜର ଦାବି ଜାହିର କରୁଛି ଏବଂ ସେଠାରେ କୃତ୍ରିମ ଦ୍ୱୀପ ତିଆରି କରି ସାମରିକ ଘାଟି ସ୍ଥାପନ କରୁଛି। ଏହା ଦ୍ୱାରା ଫିଲିପାଇନ୍ସ, ଭିଏଟ୍‌ନାମ୍‌ ଏବଂ ମାଲେସିଆ ଭଳି ପଡ଼ୋଶୀ ଦେଶଗୁଡ଼ିକ ସହିତ ବିବାଦ ବଢ଼ୁଛି। ଚତୁର୍ଥରେ ତାଇୱାନ ଉପରେ ଚାଇନାର ସାମରିକ ଚାପ ଏବଂ ଆକ୍ରମଣର ଭୟ ଏହି ଅଞ୍ଚଳର ଶାନ୍ତି ପ୍ରତି ଏକ ବଡ଼ ବିପଦ। ଏହି ପରିପ୍ରେକ୍ଷୀରେ ଭାରତ ବହୁମୁଖୀ ସହଯୋଗ ନୀତି ମାଧ୍ୟମରେ କ୍ୱାଡ୍‌ ଫୋରମ୍‌, ଏସିଆନ୍‌ (ଆସୋସିଏଶନ୍‌ ଅଫ୍‌ ସାଉଥ୍‌ ଇଷ୍ଟ ଏସିଆନ୍‌ ନେସନ୍ସ) ଓ ବିଭିନ୍ନ ରାଷ୍ଟ୍ରଗୁଡ଼ିକ ସହିତ ନୌସେନା ଅଭ୍ୟାସ ମଧ୍ୟରୁ ମାଲାବାର ନୌସେନା ଅଭ୍ୟାସ ଏକ ଉତ୍ତମ ନୌସେନା ସମ୍ପର୍କିତ ସହଯୋଗ, ଯାହା ଦ୍ୱାରା ଭାରତ ଏହାର ଆଗାମୀ ଦୂରଦୃଷ୍ଟି, ନୀଳ ଅର୍ଥନୀତି ଏବଂ ପରିବେଶଗତ ସ୍ଥାୟୀ ବିକାଶ ପାଇଁ ଅଭିପ୍ରେତ।

ସନ୍ତୋଷ କୁମାର ସାହୁ
ଅଧ୍ୟାପକ, ରାଜନୀତି ବିଜ୍ଞାନ,
ରାଜସୁନାଖଳା ମହାବିଦ୍ୟାଳୟ ମୋ:୮୨୪୯୦୮୦୩୧୯

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।