ଇନ୍ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…
ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୨୨୬/୨୬ ବିଏନଏସ ର ଧାରା – ୨୯୬/୬୯/୩୧୮(୪) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୨୦୨୫ ନଭେମ୍ବରରେ କହ୍ନେଇ ଇନ୍ଷ୍ଟାଗ୍ରାମରେ ମହିଳାଙ୍କ ସହ ସମ୍ପର୍କ ଯୋଡିଥିଲେ। ମହିଳାଙ୍କ ୧୧ ବର୍ଷ ବୟସର ଜଣେ ଝିଅ ଘରେ ରହୁଥିବା ଅଭିଯୁକ୍ତ ଜଣକ ଜାଣିଥିଲେ ମଧ୍ୟ ମହିଳାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କୁ ଖମାରି ଗାଁସ୍ଥିତ ଶ୍ରୀ ଉଜ୍ଜଳେଶର ଶୈବପୀଠକୁ ବୁଲାଇବା ବାହାନାରେ ଡ଼ାକି ନେଇ କିଛି ଦୂରରେ ଏକ ନିଛାଟିଆ ଜାଗାରେ ତାଙ୍କ ଇଚ୍ଛା ବିରୋଧରେ ବଳାତ୍କାର କରିଥିଲେ। ପରେ ମହିଳାଙ୍କଠାରୁ ସେ ୬ ହଜାର ଟଙ୍କା ମାଗି ନେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଗତ ଏପ୍ରିଲ ମାସରେ ତାଙ୍କୁ ସ୍ତ୍ରୀର ମର୍ଯ୍ୟାଦା ଦେଇ ଏକ ଭଡ଼ା ଘରେ ଏକାଠି ରହିବାର ପ୍ରତିଶ୍ରୁତି ଦେଇ ମହିଳାଙ୍କଠାରୁ ୩ ଲକ୍ଷ ଟଙ୍କା ନେଇଥିଲେ। କିଛିଦିନ ପରେ ମହିଳା ଜଣଙ୍କ ବାରମ୍ବାର ଫୋନ କଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ତାଙ୍କୁ ଧରାଛୁଆଁ ଦେଇନଥିଲେ। ପୀଡ଼ିତା ଜଣକ ଅଭିଯୁକ୍ତଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସମସ୍ତ ଘଟଣା ଜଣାଇବାରୁ ଅଭିଯୁକ୍ତ ତାଙ୍କୁ ଗାଳି କରି ଧମକ ଦେଇଥିଲେ।
ପୀଡ଼ିତା ନିରୁପାୟ ହୋଇ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ବିଶ୍ୱଜିତ ନାୟକ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଥାନାରେ ମହିଳା ପୋଲିସ ଅଧିକାରୀ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ମାଜିଷ୍ଟ୍ରେଟ ପୀଡ଼ିତାଙ୍କ ବୟାନ ଲିପିବଦ୍ଧ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସ.ଆଇ ଅଭିଷେକ ପାଣ୍ଡବ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ବ୍ରହ୍ମପୁର ବଡ ଡାକ୍ତରଖାନାରେ ଅଭିଯୁକ୍ତ ଏବଂ ପୀଡ଼ିତା ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ପରେ ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।