ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ଆଶଙ୍କା , ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ

Sep 02, 2026 - 16:51
ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ଆଶଙ୍କା , ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ପୁଣି ଥରେ ଦେଖାଦେଇଛି ବନ୍ୟା ଆଶଙ୍କା । ସୁବର୍ଣ୍ଣରେଖା ଏବଂ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଶହ ଶହ ଗ୍ରାମ ଜଳମଗ୍ନ ହୋଇଛି। ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ନଦୀଟି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଜଳସ୍ତର ବିପଦ ସଂକେତ ଉପରେ ରହିବାର ସମ୍ଭାବନା ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜ୍‌ର ୧୩ଟି ଗେଟ୍ ଦେଇ ୫,୦୩୯ କ୍ୟୁସେକ୍ ଜଳ ନିଷ୍କାସନ ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ରାଜଘାଟ ଠାରେ ନଦୀର ସତର୍କ ସଙ୍କେତ ୯.୪୫ ମିଟର ଏବଂ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ, ସକାଳ ୭ଟା ସୁଦ୍ଧା ଏହା ୧୧.୫୪ ମିଟରରେ ପ୍ରବାହିତ ହେଉଥିଲା। ଚଳିତ ଋତୁରେ ଏହା ହେଉଛି ତୃତୀୟ ବନ୍ୟା ।

ଏହି ବନ୍ୟା ଦ୍ୱାରା ମୁଖ୍ୟତଃ ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ରାଜ୍ୟର ଅନ୍ୟ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ । ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲେ ବି ଏବେ ତାହା କମିବାରେ ଲାଗିଛି। ସେହିପରି ମହାନଦୀ ଅବବାହିକାରେ ବର୍ଷା କମିଥିବାରୁ ସ୍ଥିତିରେ ସୁଧାର ଆସିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।