ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

Sep 12, 2026 - 16:03
ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ ଘରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ତି ଜିଲା କର୍ଲାମୁଣ୍ତା ବ୍ଲକ ରିଷିଡା ବଡ଼ ବଜାର କୁହାଯାଉଥିବା ଶନିବାର ବଜାର ବସିଥିବା ସ୍ବତନ୍ତ୍ର ‘ତିହାରି ହାଟ’ (ପର୍ବ ବଜାର)ଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପର୍ବର ମୁଖ୍ୟ ଆକର୍ଷଣ ପାରମ୍ପରିକ ଭୋଜିଭାତ ପାଇଁ ଲୋକେ ସକାଳୁ ସକାଳୁ ବଜାରକୁ ଛୁଟି ଆସୁଛନ୍ତି। ତିହାରି ହାଟଗୁଡ଼ିକରେ ଖାସକରି ଦେଶୀ ପନିପରିବା, ସାରୁ, କାନ୍ଦୁଲ, ପୋଟଳ, ଭେଣ୍ଡି ଓ ବିଭିନ୍ନ ପ୍ରକାର ଶାଗ କିଣିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ଚାହିଦା ବଢ଼ିଥିବାରୁ ପନିପରିବା ଦର ସାମାନ୍ୟ ଚଢ଼ା ଥିଲେ ମଧ୍ୟ ପର୍ବର ଆନନ୍ଦ ଆଗରେ ତାହା ବାଧକ ସାଜିନାହିଁ। ଅନ୍ୟପଟେ ନୂଆଖାଇର ପରଦିନ ବା ‘ବାସି’ରେ ଆମିଷ ଭୋଜନର ପରମ୍ପରା ରହିଥିବାରୁ ଛେଳି ଓ ମେଣ୍ଡା ହାଟରେ ମଧ୍ୟ ବେପାର ଜମିଛି। ଜିଲା ପ୍ରମୁଖ ପଶୁ ହାଟଗୁଡ଼ିକରେ ଶହ ଶହ ସଂଖ୍ୟାରେ ଛେଳିମେଣ୍ଡା ବିକ୍ରି ପାଇଁ ଆସିଥିବା ବେଳେ ବେପାରୀ ଓ ଗ୍ରାହକଙ୍କ ଗହଳି ଦେଖିବାକୁ ମିଳୁଛି। ଦରଦାମ ଯାହା ହେଉନା କାହିଁକି, ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ମିଳିମିଶି ପର୍ବ ପାଳିବା ପାଇଁ ଲୋକେ ନିଜ ସାମର୍ଥ୍ୟ ମୁତାବକ କିଣାକିଣି କରୁଛନ୍ତି। ହାଟବଜାରରେ ପୂଜା ସାମଗ୍ରୀ, ମାଟି ହାଣ୍ଡି, ନୂଆ ବସ୍ତ୍ର ଏବଂ ମିଠା ଦୋକାନରେ ମଧ୍ୟ ଭିଡ଼ ଲାଗି ରହିଛି। ସବୁଠି ଏବେ କେବଳ ଗୋଟିଏ ସ୍ବର ‘ନୂଆଖାଇ ଜୁହାର’।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।