ଏଆଇ ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ମହାବିପତ୍ତି ସୃଷ୍ଟି ହୋଇପାରେ
ନୂଆଦିଲ୍ଲୀ, ୧୦ା୯ (ପି.ଟି.): କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରର ପ୍ରମୁଖ ଗବେଷଣା ସଂସ୍ଥା ‘ଆନ୍ଥ୍ରୋପିକ୍’ର ଗବେଷକ ଜାକବ କୋକ୍ସନ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ‘ଓପନ୍ଏଆଇ’ ଏବଂ ଆନ୍ଥ୍ରୋପିକ୍ ଭଳି ବୃହତ୍ ପ୍ରଯୁକ୍ତି ସଂସ୍ଥାଗୁଡ଼ିକ ଅପରିଣାମଦର୍ଶୀ ଭାବେ ‘ସୁପରଇଣ୍ଟେଲିଜେନ୍ସ’ ବିକଶିତ କରିବା ଦୌଡ଼ରେ ମାନବଜାତିର ଜୀବନ ସହ ଖେଳୁଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ‘ଓପନ୍ଏଆଇ’ ଏବଂ ଆନ୍ଥ୍ରୋପିକ୍୍ରେ ଗତ ୩ ବର୍ଷ ଧରି ପ୍ରି-ଟ୍ରେନିଂ ଗବେଷଣା କରିଥିବା କୋକ୍ସନ କହିଛନ୍ତି, ଆବଶ୍ୟକ ସୁରକ୍ଷା କବଚ ବିନା ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଏକ ବିପଜ୍ଜନକ ପ୍ରତିଯୋଗିତା ଚାଲିଛି। ସାମାଜିକ ଗଣମାଧ୍ୟମ ‘X’ରେ ଏକ ପୋଷ୍ଟ ମାଧ୍ୟମରେ ସେ ସାଂଘାତିକ ଚେତାବନୀ ଦେଇଛନ୍ତି ଯେ, ଏଆଇ ପ୍ରଯୁକ୍ତି ଦ୍ରୁତଗତିରେ ଏପରି ଏକ ଶକ୍ତିଶାଳୀ ରୂପ ନେଉଛି, ଯାହା ସାଇବର୍ ହ୍ୟାକିଂ କରିବା ସହ ଯେକୌଣସି କ୍ଷେତ୍ରକୁ ରାତାରାତି ବଦଳାଇ ଦେବାର କ୍ଷମତା ରଖୁଛି। ଏହି କ୍ଷେତ୍ରରେ କାର୍ଯ୍ୟରତ ଅନେକ ବିଶେଷଜ୍ଞ ମାନୁଛନ୍ତି ଯେ, ଚଳିତ ଦଶନ୍ଧି (୨୦୩୦) ଶେଷ ସୁଦ୍ଧା ଏଆଇ ଯୋଗୁ ବିଶ୍ୱବ୍ୟାପୀ ମହାବିପତ୍ତି ସୃଷ୍ଟି ହୋଇପାରେ। ‘ଓପନ୍ଏଆଇ’ ହେଉ କି ଆନ୍ଥ୍ରୋପିକ୍, କୌଣସି ସଂସ୍ଥା ଦାୟିତ୍ୱବାନ ଭାବେ କାର୍ଯ୍ୟ କରୁନାହାନ୍ତି। ସେମାନେ ନିଜକୁ ସୁଧାରି ପାରୁଥିବା ସୁପରଇଣ୍ଟେଲିଜେନ୍ସ ସୃଷ୍ଟିକରିବା ଦୌଡ଼ରେ ସିଧାସଳଖ ମାନବଜାତିର ଜୀବନକୁ ବାଜି ଲଗାଉଛନ୍ତି। ‘ଓପନ୍ଏଆଇ’ର ଅନେକ କର୍ମଚାରୀ ଏହାର ଭୟାବହତାକୁ ଗାମ୍ଭୀର୍ଯ୍ୟର ସହ ନେଉନାହାନ୍ତି। ଅନ୍ୟପଟେ ଆନ୍ଥ୍ରୋପିକ୍ ଏହି ବିପଦ ବିଷୟରେ ଜାଣି ମଧ୍ୟ ପ୍ରଥମେ ପହଞ୍ଚିବା ଦୌଡ଼ରେ ଅନ୍ଧ ହୋଇଯାଇଛି ବୋଲି ଜାକବ୍ କହିଛନ୍ତି। ଜାକବ୍ଙ୍କ ଏହି ବିସ୍ଫୋରକ ବକ୍ତବ୍ୟକୁ ଆନ୍ଥ୍ରୋପିକ୍୍ର ‘ଏଲାଇନ୍ମେଣ୍ଟ ସାଇନ୍ସ’ ମୁଖ୍ୟ ଇଭାନ ହବିଙ୍ଗର ମଧ୍ୟ ସ୍ବୀକାର କରିଛନ୍ତି। ହବିଙ୍ଗର ‘X’ରେ ଲେଖିଛନ୍ତି, ଜାକବ୍ ଠିକ କହିଛନ୍ତି। ଆମେ ପ୍ରକୃତରେ ବିଶ୍ୱାସ କରୁ ଯେ ଏଆଇ ସମସ୍ତ ମାନବଜାତିକୁ ଧ୍ୱଂସ କରିପାରେ। ଆସନ୍ତା ଦଶନ୍ଧି ମଧ୍ୟରେ ଏପରି ଘଟିବା ସମ୍ଭାବନା ୧୦ ପ୍ରତିଶତରୁ ଅଧିକ ରହିଛି। ସେ ଆହୁର ସ୍ବୀକାର କରିଛନ୍ତି ଯେ ସୁପରଇଣ୍ଟେଲିଜେନ୍ସକୁ ନିୟନ୍ତ୍ରଣ କରିବା ପାଇଁ ଆନ୍ଥ୍ରୋପିକ୍ ନିକଟରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୁରକ୍ଷା ଯୋଜନା ନାହିଁ। ଅନ୍ୟପକ୍ଷରେ ସାମ୍ପ୍ରତିକ ‘ହଗିଂ ଫେସ୍’ ସାଇବର ସୁରକ୍ଷା ଉଲ୍ଲଂଘନ ଘଟଣାର ଉଦାହରଣ ଦେଇ ଜାକବ ପ୍ରମୁଖ ଆମେରିକୀୟ ଏଆଇ ଲାବରେଟୋରିଗୁଡ଼ିକ ମଧ୍ୟରେ ସୁରକ୍ଷା ଚୁକ୍ତି ଆବଶ୍ୟକ ବୋଲି ଦାବି କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।