ଏଇ ଭାରତରେ
ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍ ସରକାରୀସ୍ତରରେ କେଉଁଠି ଥା’ନ୍ତା, ତେବେ ତାହା ବିରୋଧରେ ଗଦା ଗଦା ଅଭିଯୋଗ ଆସିଯାଇଥାନ୍ତା। ହେଲେ କଶ୍ମୀରର ପାମ୍ପୋରରେ ଥିବା ଏମିତି ଏକ ସ୍କୁଲକୁ ଅଭିଭାବକମାନେ ଖୁସିରେ ପିଲାଙ୍କୁ ପଠାଉଛନ୍ତି। ଆଇନଜୀବୀ ନଦିମ କାଦ୍ରି ଏହି ସ୍କୁଲ ୨୦୧୯-୨୦ରେ ପ୍ରତିଷ୍ଠା କରିଥିଲେ। ଏହା ଏକ ନେଚର ସ୍କୁଲ ଏବଂ ପ୍ରତି ରବିବାର ଏହି ସ୍କୁଲ ଚାଲୁଛି। ଏଠାରେ ପିଲାମାନେ ଆର୍ଦ୍ରଭୂମି, ବନ୍ୟଜନ୍ତୁ, ପରିବେଶ ଓ ଯୋଗାଯୋଗ ସମ୍ପର୍କରେ ପାଠ ପଢ଼ୁଛନ୍ତି। ପାମ୍ପୋର ଏବଂ ଏହାର ଆଖପାଖ ଗାଁର ବିଭିନ୍ନ ସ୍କୁଲରେ ପଢ଼ୁଥିବା ପିିଲାମାନେ ଏଠାକୁ ଆସୁଛନ୍ତି। ସେମାନେ ନେଚର ସ୍କୁଲକୁ ଆସି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ବାର୍ତ୍ତାଳାପ କରିବା ସହ ପରିବେଶ ଓ ଜୀବଜନ୍ତୁ ବିଷୟରେ ଜାଣୁଛନ୍ତି। ସ୍କୁଲ ଆରମ୍ଭ ହେବା ପରଠାରୁ ଅନେକ ଶହ ପିଲା ଏଥିରୁ ଉପକୃତ ହେଲେଣି। ପ୍ରତି ରବିବାର ଏଠାକୁ ପାଖାପାଖି ୩୦ ପିଲା ଆସୁଛନ୍ତି ଏବଂ ସେମାନଙ୍କ ସହ କିଛି ବୟସ୍କ ମଧ୍ୟ ଯୋଗଦେଉଛନ୍ତି। ତେବେ ୩୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସାମିଲ କରାଯାଉନାହିଁ। ଏବେ ୧୦ ଜଣ ସ୍ବେଚ୍ଛାସେବୀ ଏହି ସ୍କୁଲ ଚଳାଉଛନ୍ତି। ସେମାନେ ପିଲାଙ୍କୁ ସ୍କୁଲ ଆଣିବା ଓ ଘରେ ଛାଡ଼ିବାଠାରୁ ଆରମ୍ଭକରି ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।