ଏନ୍ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି
ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ସଭାରେ ନଗର କଂଗ୍ରେସ ସଭାପତି ତଥା ଏନଏସି କାଉନସିଲର ଦୀପକ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ।
ସଭାରେ ଏନଏସି ଅଧ୍ୟକ୍ଷ ତଥା ନବ ନିଯୁକ୍ତ ପିସିସି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ପଣ୍ଡାଙ୍କୁ ନଗର କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାଳୁ ଚରଣ ପାଣିଗ୍ରାହୀ କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଥିଲେ। ନଗର କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ପିସିସି ସାଧାରଣ ସମ୍ପାଦକ ତାଙ୍କ ଉଦ୍ବୋଧନରେ ଦିଗପହଣ୍ଡି ସହର ତଥା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଉପସ୍ଥିତ ନଗର କଂଗ୍ରେସ କମିଟି କର୍ମକର୍ତ୍ତା ଓ ସଭ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। କଂଗ୍ରେସ ଦଳର ଆଭିମୁଖ୍ୟକୁ ଦିଗପହଣ୍ଡି ଏନଏସିର ସମସ୍ତ ୱାର୍ଡ ଅଧୀନ ସାହି ବସ୍ତିମାନଙ୍କରେ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ଗତ ଏନ୍ଏସି ୱାର୍ଡ ନିର୍ବାଚନରେ ଅଧ୍ୟକ୍ଷ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ଏବଂ ୬ଟି ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିପୁଳ ଭୋଟରେ ବିଜୟ ହାସଲ କରିଥିଲେ। ଅଧ୍ୟକ୍ଷ ପ୍ରଫୁଲ୍ଲଙ୍କ ନେତୃତ୍ୱରେ ସହରର ବହୁବିଧ ବିକାଶ ହୋଇପାରିଛି। ବିଗତ ୨୦ ବର୍ଷରେ ଯାହା ହୋଇପାରି ନ ଥିଲା ଗତ ୫ ବର୍ଷ ମଧ୍ୟରେ ତାହା ହୋଇପାରିଛି। ଏପରିକି ଅନେକ ଜନକଲ୍ୟାଣ ମୂଳକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ବୋଲି ନଗର କଂଗ୍ରେସ କମିଟି ସଭାପତି ଦୀପକ ମିଶ୍ର କହିଥିଲେ। ଆଗାମୀ ଏନ୍ଏସି ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଉପସ୍ଥିତ ଦଳୀୟ କର୍ମୀଙ୍କୁ ସେ ଆହ୍ବାନ ଦେଇଥିଲେ।
କଂଗ୍ରେସ ନେତା ଜଗବନ୍ଧୁ ମିଶ୍ର, କାଉନସିଲର ସୁନୀଲ ପଣ୍ଡା, ଜିଲା ସମ୍ପାଦକ ଏ.କେଶବ ରାଓ, ପୂର୍ବତନ କାଉନସିଲର ରସାନନ୍ଦ ରାଉତ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାଳୁ ଚରଣ ପାଣିଗ୍ରାହୀଙ୍କ ସମେତ ବହୁ ସଂଖ୍ୟକ କଂଗ୍ରେସ ନେତୃବୃନ୍ଦ ଉଦ୍ବୋଧନ ଦେଇ କଂଗ୍ରେସ ଦଳକୁ ଶକ୍ତିଶାଳୀ କରିବା ସହ ରାହୁଲ ଗାନ୍ଧୀଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ବାନ ଦେଇଥିଲେ।
ତୃଣମୂଳସ୍ତରରେ ଦଳକୁ ସଙ୍ଗଠିତ କରାଇବା ପାଇଁ ସଭାରେ ସଂକଳ୍ପ ନିଆଯାଇଥିଲା। ଶେଷରେ କାଉନସିଲର ସୁନୀଲ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ କାଉନସିଲର ମାମିନି ବେହେରା, ଇ.ଗାୟତ୍ରୀ, ପୂର୍ବତନ କାଉନସିଲର ଏମ୍.ତ୍ରିନାଥ, ଏମ୍.ବାଇନାଥ, ଭଗବାନ ସ୍ବାଇଁ, ବି. ଇଶ୍ୱରୀ ରେଡ୍ଡୀ, ବାଲ୍ମୀକି ବେହେରା, ଗଙ୍ଗାଧର ମହାନ୍ତି, ଲକ୍ଷ୍ମୀନାରାୟଣ ଦାସ, ଡି.ଅନ୍ତର୍ଯ୍ୟାମୀ, ଗୌରାଙ୍ଗ ପୂଜାରୀ, ରଞ୍ଜିତ କୁମାର ବେହେରା, ଶୁକ୍ରୁ ସେଠୀ, ଇ.ଶଙ୍କର, ଶଙ୍କର ମହାରଣା, ଶିବ ପ୍ରଧାନଙ୍କ ସମେତ ଦିଗପହଣ୍ଡି ଏନଏସିର ବିଭିନ୍ନ ୱାର୍ଡ ଅଧୀନ ସାହି ବସ୍ତିର ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।