ଏସିଆନ ଗେମ୍ସରେ ଇତିହାସ ରଚିଲେ ରୋଶିବିନା ଦେବୀ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

Sep 24, 2026 - 09:19
ଏସିଆନ ଗେମ୍ସରେ ଇତିହାସ ରଚିଲେ ରୋଶିବିନା ଦେବୀ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ଆଇଚି-ନାଗୋୟା,୨୪।୯: ଏସିଆନ ଗେମ୍ସ ୨୦୨୬ରେ ଭାରତ ପାଇଁ ଆଉ ଏକ ପଦକ ଜିତିଛନ୍ତି ୱୁଶୁ ଖେଳାଳି ରୋଶିବିନା ଦେବୀ। ମହିଳା ୬୦ କିଲୋଗ୍ରାମ ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ମଣିପୁରର ୨୫ ବର୍ଷୀୟ ରୋଶିବିନାଙ୍କ ମୁକାବିଲା ଚାଇନାର ଝାଙ୍ଗ ଜିଆଉଙ୍କ ସହ ହୋଇଥିଲା। ଫାଇନାଲରେ ରୋଶିବିନା ୦-୨ରେ ପରାସ୍ତ ହୋଇଥିଲେ। ଏହା ସହିତ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ସ୍ବର୍ଣ୍ଣ ପଦକ ଜିତିବାରେ ରୋଶିବିନା ବିଫଳ ହୋଇଥିଲେ ମଧ୍ୟ ଏସିଆନ ଗେମ୍ସରେ ସେ ଏକ ବଡ଼ ଇତିହାସ ରଚିଛନ୍ତି। ୱୁଶୁରେ ଏସିଆନ ଗେମ୍ସରେ ଲଗାତାର ତିନିଟି ସଂସ୍କରଣରେ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି।

୨୦୨୬ ଏସିଆନ ଗେମ୍ସରେ ରୌପ୍ୟ ପଦକ ପୂର୍ବରୁ ରୋଶିବିନା ୨୦୨୩ ଏସିଆନ ଗେମ୍ସରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ। ଏହା ପୂର୍ବରୁ ୨୦୧୮ ଏସିଆନ ଗେମ୍ସରେ ସେ କାଂସ୍ୟ ପଦକ ହାସଲ କରିଥିଲେ। ରୋଶିବିନାଙ୍କ ଏସିଆନ ଗେମ୍ସ ଯାତ୍ରାର ଆଉ ଏକ ବିଶେଷ ଦିଗ ରହିଛି। ସ୍ବର୍ଣ୍ଣ ପଦକ ହାସଲ କରିବା ରାସ୍ତାରେ ପ୍ରତିଥର ତାଙ୍କ ସାମ୍ନାରେ ଚାଇନାର ଖେଳାଳି ବାଧା ହୋଇଛନ୍ତି। ୨୦୨୬ର ଫାଇନାଲରେ ମଧ୍ୟ ତାଙ୍କୁ ଚାଇନା ଝାଙ୍ଗ ଜିଆଉଙ୍କଠାରୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଗତ ଦୁଇଟି ଏସିଆନ ଗେମ୍ସରେ ମଧ୍ୟ ଚାଇନା ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ରୋଶିବିନାଙ୍କୁ କଠିନ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା।

ଏସିଆନ ଗେମ୍ସ ୨୦୨୬ରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ରୋଶିବିନା ଦେବୀ ମଣିପୁରର ଦ୍ୱିତୀୟ ଖେଳାଳି। ତାଙ୍କ ପୂର୍ବରୁ ମଣିପୁରର ଷ୍ଟାର୍‌ ଭାରୋତ୍ତୋଳକ ମୀରାବାଇ ଚାନୁ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ। ତେବେ ଏସିଆନ ଗେମ୍ସ ୨୦୨୬ ପାଇଁ ପ୍ରାରମ୍ଭିକ ଭାବେ ଚୟନ ହୋଇଥିବା ଭାରତୀୟ ୱୁଶୁ ଦଳରେ ରୋଶିବିନା ଦେବୀଙ୍କ ନାମ ନ ଥିଲା। ଦିବ୍ୟାଂଶୁ ଚୌଧୁରୀ ଆହତ ହୋଇ ଦଳରୁ ବାଦ ପଡ଼ିବା ପରେ ରୋଶିବିନାଙ୍କୁ ସୁଯୋଗ ମିଳିଥିଲା।

ମିଳିଥିବା ଏହି ସୁଯୋଗକୁ ସେ ଜାପାନର ଆଇଚି-ନାଗୋୟାରେ ପୂରାପୂରି ଉପଯୋଗ କରିଛନ୍ତି। ରୌପ୍ୟ ପଦକ ଜିତିବା ସହ ଏସିଆନ ଗେମ୍ସରେ ଲଗାତାର ତୃତୀୟ ଥର ପଦକ ହାସଲ କରି ଭାରତୀୟ ୱୁଶୁ ଇତିହାସରେ ନିଜ ନାମ ଲେଖାଇଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।