ଐତିହାସିକ ରେକର୍ଡ କଲେ ଏହି କ୍ରିକେଟର୍: ବିଶ୍ୱର ପ୍ରଥମ ଅଧିନାୟକ ଭାବେ କଲେ ଏମିତି କାରନାମା
ରାଉଲପିଣ୍ଡି,୧୪।୧୦: ପାକିସ୍ତାନ କ୍ରିକେଟ ଟିମ୍ର ନୂଆ ଟି-୨୦ ଅଧିନାୟକ ସାହିବଜାଦା ଫରହାନ ରଚିଛନ୍ତି ଇତିହାସ। ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ର ପ୍ରତ୍ୟେକ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରି ସେ ଏକ ବିରଳ ରେକର୍ଡ ନିଜ ନାଁରେ କରିଛନ୍ତି। ଦ୍ୱିପାକ୍ଷିକ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ର ତିନୋଟି ଯାକ ମ୍ୟାଚ୍ରେ ଲଗାତାର ଅର୍ଦ୍ଧଶତକ ମାରିବାରେ ସେ ବିଶ୍ୱର ପ୍ରଥମ ଅଧିନାୟକ।
୨୮ ବର୍ଷୀୟ ଫରହାନ ସଲମାନ ଅଲି ଆଗାଙ୍କ ସ୍ଥାନରେ ପାକିସ୍ତାନ ଟି-୨୦ ଦଳର ନେତୃତ୍ୱ ନେଉଛନ୍ତି। ଏହି ସିରିଜ୍ରେ ଅଧିନାୟକ ଓ ଓପନର ଭାବେ ତାଙ୍କର ପ୍ରଦର୍ଶନ ଚମତ୍କାର ରହିଛି। ତେବେ ତୃତୀୟ ମ୍ୟାଚ୍ରେ ତାଙ୍କର ଲଢ଼ୁଆ ଇନିଂସ ସତ୍ତ୍ୱେ ପାକିସ୍ତାନ ପରାଜୟର ସାମ୍ନା କରିଥିଲା। ଅକ୍ଟୋବର ୯ ତାରିଖରେ ରାଉଲପିଣ୍ଡିରେ ଫୁଲ୍ଟାଇମ ଅଧିନାୟକ ଭାବେ ପ୍ରଥମ ମ୍ୟାଚ ଖେଳିଥିଲେ ଫରହାନ। ଏହି ମ୍ୟାଚ୍ରେ ସେ ଆକ୍ରମଣାତ୍ମକ ବ୍ୟାଟିଂ କରି ୮୯ ରନ୍ରଇନିଂସ ଖେଳିଥିଲେ। ତାଙ୍କ ଏହି ପ୍ରଦର୍ଶନ ବଳରେ ପାକିସ୍ତାନ ବଡ଼ ବିଜୟ ହାସଲ କରିଥିଲା।
ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ତାଙ୍କ ବ୍ୟାଟ୍ରୁ ରନ ବର୍ଷା ହୋଇଥିଲା। ସେ ୪୪ଟି ବଲ୍ରୁ ୭୩ ରନ କରି ପାକିସ୍ତାନର ସ୍କୋରକୁ ୨୦୦ ରନ ପାର୍ କରାଇବାରେ ବଡ଼ ଭୂମିକା ନେଇଥିଲେ। ସେହିପରି ସିରିଜ୍ର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ରେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଗୋଟିଏ ପଟେ ନିୟମିତ ଉଇକେଟ ପତନ ଜାରି ରହିଥିବା ବେଳେ ଅନ୍ୟ ପଟେ ଅଧିନାୟକ ଫରହାନ ଦଳର ମଙ୍ଗ ଧରିଥିଲେ। ସେ ୪୭ଟି ବଲ୍ରୁ ୭ଟି ଚୌକା ଓ ୩ଟି ଛକା ସହ ୭୬ ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।