ଓଡ଼ିଶାରେ ନିବେଶ ସୁଯୋଗ: ‘ଇଣ୍ଡିଆ କେମ୍ ୨୦୨୬’ ର ସିଇଓ ଗୋଲଟେବୁଲ୍‌ ବୈଠକରେ ରାଜ୍ୟ ସରକାରଙ୍କ ବଡ଼ ପ୍ରତିଶୃତି

Oct 23, 2026 - 10:08
ଓଡ଼ିଶାରେ ନିବେଶ ସୁଯୋଗ: ‘ଇଣ୍ଡିଆ କେମ୍ ୨୦୨୬’ ର ସିଇଓ ଗୋଲଟେବୁଲ୍‌ ବୈଠକରେ ରାଜ୍ୟ ସରକାରଙ୍କ ବଡ଼ ପ୍ରତିଶୃତି

ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇରେ ଆୟୋଜିତ ‘ଇଣ୍ଡିଆ କେମ୍ ୨୦୨୬’ ର ସିଇଓ ଗୋଲଟେବୁଲ ବୈଠକରେ ଓଡ଼ିଶା ସରକାର ରାଜ୍ୟର ରସାୟନ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଥିବା ବିପୁଳ ନିବେଶ ସୁଯୋଗକୁ ବିଶ୍ୱ ସମୁଖରେ ଉପସ୍ଥାପନ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୋଲଟେବୁଲ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଶ୍ୱର ପ୍ରମୁଖ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ଉତ୍ପାଦନ ୟୁନିଟ୍ ସ୍ଥାପନ ଏବଂ ଡାଉନ୍‌ଷ୍ଟ୍ରିମ୍ ଶିଳ୍ପର ପ୍ରସାର ପାଇଁ ଆମନ୍ତ୍ରଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାକୁ ଏକ ଖଣିଜ-ଭିତ୍ତିକ ଅର୍ଥନୀତିରୁ ରସାୟନ-ଭିତ୍ତିକ ଶିଳ୍ପ ଅର୍ଥନୀତିରେ ରୂପାନ୍ତରିତ କରିବାକୁ ସଂକଳ୍ପ ଅଛି।

ରାଜ୍ୟର ବିଶାଳ ସମୁଦ୍ର ଉପକୂଳ, ଉତ୍କୃଷ୍ଟ ବନ୍ଦର ସଂଯୋଗୀକରଣ, ରିଫାଇନାରୀ ଭିତ୍ତିଭୂମି, କଞ୍ଚାମାଲର ସୁଲଭତା, ନିରବଚ୍ଛିନ୍ନ ବିଦ୍ୟୁତ ଓ ଜଳ ଯୋଗାଣ ଏବଂ ପଡ଼ୋଶୀ ମାର୍କେଟ୍‌ ସହ ସଂଯୋଗୀକରଣ ନିବେଶକମାନଙ୍କ ପାଇଁ ଶ୍ରେଷ୍ଠ ଅନୁକୂଳ ପରିବେଶ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।
ନିବେଶକମାନଙ୍କ ପ୍ରକୃତ ସହଯୋଗୀ ଭାବେ ରାଜ୍ୟ ସରକାର କାମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଜମି ଚିହ୍ନଟ, ଭିତ୍ତିଭୂମି ଯୋଜନା, ଆବଶ୍ୟକୀୟ ସରକାରୀ ମଞ୍ଜୁରୀଠାରୁ ଆରମ୍ଭ କରି ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ବାଣିଜ୍ୟିକ ଉତ୍ପାଦନ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।