ଓଡିଶା ବନ୍ଦ ସତ୍ତ୍ୱେ ଜାରି ରହିବ DElEd ପରୀକ୍ଷା
ଭୁବନେଶ୍ୱର : ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ସତ୍ତ୍ୱେ D.El.Ed. (ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେଶନ) ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜାରି ରହିବ। ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ଏହି ସୂଚନା ସ୍ପଷ୍ଟ କରିବା ସହ ପରୀକ୍ଷା ବାତିଲ କିମ୍ବା ଘୁଞ୍ଚିବା ନେଇ ହେଉଥିବା ଗୁଜବ ଉପରେ ବିରାମ ଲଗାଇଛି । ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ସ୍ୱାଭାବିକ ଭାବେ ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ରାଜ୍ୟର ୩୦ଟି ଯାକ ଜିଲ୍ଲାର ୬୪ ଟି କେନ୍ଦ୍ରରେ ୧୨ ହଜାର ୧୨୫ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ପରୀକ୍ଷା ଅକ୍ଟୋବର ୩ରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଚାଲିବ ।
ଆଜି FC-୧ (C/E) ପେପର୍ ପରୀକ୍ଷା ହେବ । ପରୀକ୍ଷା ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ । ବନ୍ଦ ପାଳନ ଯୋଗୁଁ ପରୀକ୍ଷାର୍ଥୀମାନେ ଯାତାୟାତରେ ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ସକାଳ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପରାମର୍ଶ ଦେଇଛି। ବନ୍ଦ ଯୋଗୁଁ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ ହୋଇନଥିବାରୁ ପରୀକ୍ଷାର୍ଥୀମାନେ ଧାର୍ଯ୍ୟ ସମୟରେ କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେବାକୁ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।