କଡ଼ା ବିରୋଧ ପରେ ପଛଘୁଞ୍ଚା: ନିଜ ସୀମାରେ ବୁଥ୍ କରି ଓଡ଼ିଶା ଭୋଟରଙ୍କୁ ହାତେଇଲା ଆନ୍ଧ୍ର, ୪୮% ମତଦାନ
ପଟ୍ଟାଙ୍ଗି,୫।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପୁଣି ଥରେ ଛକାପଞ୍ଜା ଦେଖାଦେଇଛି। ଜିଲା ପ୍ରଶାସନର ମିଳିତ ସହଯୋଗ ଓ ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳର କଡ଼ା ବିରୋଧ ଯୋଗୁ ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମା ଭିତରେ ବୁଥ୍ କରିବାରେ ସଫଳ ହୋଇପାରିନାହିଁ। ଏହି ସ୍ଥିତିକୁ ରୋକିବାରେ ଓଡ଼ିଶା ପ୍ରଶାସନ ଏକ ପ୍ରକାର ସଫଳ ହୋଇଥିବା ବେଳେ, ଆନ୍ଧ୍ର ପ୍ରଶାସନ ପଛଘୁଞ୍ଚା ଦେଇ ନିଜ ସୀମା ଭିତରେ ବୁଥ୍ ସ୍ଥାପନ କରି ଓଡ଼ିଶାର ଭୋଟରଙ୍କଠାରୁ ଭୋଟ୍ ହାତେଇବାକୁ ସକ୍ଷମ ହୋଇଛି। ଅନ୍ୟପଟେ ଦୁଇ ରାଜ୍ୟର କଡ଼ା ସୁରକ୍ଷା ବ୍ୟବସ୍ଥାକୁ ପଛରେ ପକାଇ ଆନ୍ଧ୍ର ସୀମା ଭିତରେ ହୋଇଥିବା ବୁଥ୍ଗୁଡ଼ିକରେ ଓଡ଼ିଶାର ଗ୍ରାମବାସୀମାନେ ନିଜର ମତଦାନ ସାବ୍ୟସ୍ତ କରିବାରେ ପଛଘୁଞ୍ଚା ଦେଇନାହାନ୍ତି।
ସୂଚନା ଅନୁଯାୟୀ, କୋଟିଆ ପଞ୍ଚାୟତ ଅଧୀନରେ ରହିଥିବା ଫାଟୁସିନେରୀ, ତଳସେମ୍ବି ଏବଂ ନେରିଡିବାଲସା ଆଦି ସ୍ଥାନଗୁଡ଼ିକରେ ଓଡ଼ିଶା ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ନେରିଡିବାଲସାଠାରେ ଓଡ଼ିଶା ପୋଲିସ୍ ପୋଷ୍ଟଠାରୁ ପ୍ରାୟ ୪୦୦ ମିଟର ଦୂରରେ ଆନ୍ଧ୍ର ପୋଲିସ୍ କଡ଼ା ସୁରକ୍ଷା ବ୍ୟବସ୍ଥା କରି ନିଜ ସୀମା ଭିତରକୁ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି କିମ୍ବା ରାଜନୈତିକ ଦଳର କୌଣସି ବ୍ୟକ୍ତିଙ୍କୁ ଛାଡ଼ି ନଥିଲେ। ଏହି ଛକାପଞ୍ଜା ଭିତରେ ଓଡ଼ିଶାର ଦୁଇ ସୀମାନ୍ତ ଗ୍ରାମ ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରମାନେ ଆନ୍ଧ୍ର ସୀମା ଭିତରେ ଥିବା ତୋନାମ୍ ପଞ୍ଚାୟତର ବୁଥ୍ରେ ଭୋଟ୍ ଦେଇଥିଲେ। ୦୪ ନମ୍ବର ବୁଥ୍ରେ ଫାଟୁସିନେରୀ ଗ୍ରାମର ୧୧୩୦ ଭୋଟରଙ୍କ ମଧ୍ୟରୁ ଅପରାହ୍ନ ୨ଟା ସୁଦ୍ଧା ୫୨୩ ଜଣ ଏବଂ ୦୭ ନମ୍ବର ବୁଥ୍ରେ ଫଗୁଣସିନେରୀ ଗ୍ରାମର ୫୦୯ ଭୋଟରଙ୍କ ମଧ୍ୟରୁ ୨୧୫ ଜଣ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି ପୂର୍ବରୁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ଠେଲାପେଲା ହୋଇଥିବା ନେରିଡିବାଲସା ଗ୍ରାମର ୧୨୬୦ ଭୋଟରଙ୍କ ମଧ୍ୟରୁ ଆନ୍ଧ୍ର ସୀମାର ସାରିକା ପଞ୍ଚାୟତର ୦୮ ନମ୍ବର ବୁଥ୍ରେ ୩୯୮ ଜଣ ଭୋଟ୍ ଦେଇଛନ୍ତି।

ଉକ୍ତ ନେରିଡିବାଲସା ଗ୍ରାମରୁ ଅପରାହ୍ନ ୨ଟା ପରେ ଓଡ଼ିଶାର ତିନି ଦଳର ବିଧାୟକ, ରାଜନେତା, କର୍ମୀ, ଓକିଲ ସଂଘର ସଦସ୍ୟ ଓ ମହିଳା ଗୋଷ୍ଠୀ ସଦସ୍ୟମାନେ ଫେରିଯାଇଥିଲେ। ତେବେ ପୂର୍ବତନ MP ଜୟରାମ ପାଙ୍ଗି ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାସହ ଉପଜିଲାପାଳ ଫାବି ରସିଦ୍, ଏଡିଏମ୍ ତପନ ନାୟକ, ଏଡିଏମ୍ (ରାଜସ୍ୱ) ନରେଶ ଚନ୍ଦ୍ର ଶବର ଏବଂ କୋରାପୁଟ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ।

ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ ପୂଜାରୀ ପ୍ରକାଶ କରିଛନ୍ତି ଯେ, କୋଟିଆର ସ୍ଥିତିକୁ ଦୃଷ୍ଟିରେ ରଖି ୩୦ ରୁ ଉର୍ଦ୍ଧ୍ୱ ପ୍ଲାଟୁନ୍ ଫୋର୍ସ୍ ମୁତୟନ କରାଯାଇଥିବା ସହ ୪୦ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ଏବଂ ଯେଉଁ ଉଦ୍ଦେଶ୍ୟରେ ନିୟୋଜିତ କରାଯାଇଥିଲା ତାହା ସଫଳ ହୋଇଛି। ଜିଲାସ୍ତରରୁ ନିର୍ଦ୍ଦେଶ ନଆସିବା ଯାଏଁ ସୀମାରେ ସ୍ଥିତି ଅନୁଧ୍ୟାନ ଜାରି ରହିବ। ଅପରପକ୍ଷରେ, ଉପଜିଲାପାଳ ରସିଦ୍ କହିଛନ୍ତି ଯେ ଆନ୍ଧ୍ରର ପୋଲିଂ ନସରିବା ଯାଏଁ ସେ ନିଜେ ସୀମାରେ ଉପସ୍ଥିତ ରହିବେ। ନିଜ ଚାକିରି କାଳର ଏହି ପ୍ରଥମ ଅନୁଭୂତିରୁ ଅନେକ କିଛି ଶିଖିବାକୁ ମିଳିଥିବା ବ୍ୟକ୍ତ କରିବା ସହ ଜିଲାରେ ରହିବା ପର୍ଯ୍ୟନ୍ତ କୋଟିଆର ଲୋକଙ୍କ ସମସ୍ୟା ବୁଝି ତାର ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।