କନ୍ଧମାଳ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ , ପରିବାରର ୩ମୃତ

Oct 31, 2026 - 16:50
କନ୍ଧମାଳ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ , ପରିବାରର ୩ମୃତ

କନ୍ଧମାଳ : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ସୀମାନ୍ତ ଗାଙ୍ଗୁବାଲି ପାହାଡ଼ରୁ ଏକ ବଡ଼ ଧରଣର ଭୂସ୍ଖଳନ ଘଟି ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ପ୍ରାଣହାନି ଘଟିଛି । ଏହି ମୃତକଙ୍କ ମଧ୍ୟରେ ଜଣେ ୯ ମାସର ଶିଶୁ ମଧ୍ୟ ରହିଛି। ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ଡାଙ୍ଗେସି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ଗୁରୁବାର ଦିନ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗ୍ରାମ ପାର୍ଶ୍ୱବର୍ତ୍ତୀ ପାହାଡ଼ରୁ ହଠାତ୍ ବିରାଟ ମାଟି ଅତଡ଼ା ଖସି ଆସି ଏକ ଘର ଉପରେ ପଡ଼ିଥିଲା। ଏଥିଯୋଗୁଁ ଘରେ ଥିବା ସମସ୍ତ ସଦସ୍ୟ ଭଗ୍ନାବଶେଷ ତଳେ ଜୀବନ୍ତ ପୋତି ହୋଇ ରହିଯାଇଥିଲେ । ମୃତକମାନେ ହେଲେ ଅଚ୍ୟୁତ ପ୍ରଧାନ, ତାଙ୍କ ପତ୍ନୀ ଅନୀଷା ପ୍ରଧାନ ଏବଂ ତାଙ୍କର ୯ ମାସର ଶିଶୁ । କନ୍ଧମାଳ ଜିଲ୍ଲା ପ୍ରଶାସନ ଘଟଣା ଉପରେ ନଜର ରଖିଛି । ଭଗ୍ନାବଶେଷ ଓ କାଦୁଅ ମାଟି ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ ତାହା ଯାଞ୍ଚ କରିବା ଏବଂ ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ହୋଇଛି । ପଞ୍ଚାୟତିରାଜ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି । ତେବେ ୩ ଜଣଙ୍କ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।