କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

Sep 26, 2026 - 13:29
କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ ବିଜେପୁର ବନବିଭାଗ ଅନ୍ତର୍ଗତ ବେଥିଆପଡ଼ା ଗ୍ରାମର ଡ୍ରିମ୍ବା ମାଝୀ (୪୫) ଅଟେ। କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀଙ୍କ ଉପଦ୍ରବ ହେଉଥିବା ବେଳେ ଲୋକଙ୍କ ଧନଜୀବନ ସମେତ ଚାଷବାସ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି।

ସୂଚନାନୁସାରେ, ଶନିବାର ସକାଳେ ଡ୍ରିମ୍ବା ମାଝୀ ନିକଟସ୍ଥ ପ୍ରାୟ ଅଧା କିଲୋମିଟର ଦୂର ଚାଷଜମିକୁ କପାଚାଷ ଦେଖିବା ପାଇଁ ଯାଇଥିଲା ବେଳେ ଚାଷଜମି ନିକଟରେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ଏବଂ ଦନ୍ତାହାତୀ ଡ୍ରିମ୍ବାଙ୍କୁ ଘୋଷାଡ଼ି ନେଇ ଦଳିଦେଇଥିଲା। ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗାଁର କିଛି ମହିଳା ସେହି ରାସ୍ତାରେ ଯାଉଥିବା ବେଳେ ରାସ୍ତା ଉପରେ ମୃତଦେହ ପଡ଼ିଥିବା ଦେଖିଥିଲେ ଏବଂ ଦୁଇଟି ହାତୀକୁ ଦେଖିଥିଲେ। ଗାଁକୁ ଯାଇ ପରିବାର ଓ ଗାଁଲୋକଙ୍କୁ ଖବର ଦେଇଥିଲେ। ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁଲୋକେ ବିଜେପୁର ବନବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଖବର ପ୍ରକାଶିତ ପର୍ଯ୍ୟନ୍ତ ବନବିଭାଗ କର୍ମଚାରୀ ପହଞ୍ଚି ନ ଥିବା ଜଣାପଡ଼ିଛି ।
ସୂଚନା ଥାଉକି ଗତ ବର୍ଷ ଫେବୃଆରୀ ୧ ତାରିଖ ଶନିବାର ବିଳମ୍ବିତ ରାତିରେ ଏକ ଦାନ୍ତ ହାତୀ ଲାଖବାହାଲି ପଞ୍ଚାୟତର କାଦମାଳି ଗ୍ରାମର ଦୁଇ ବୃଦ୍ଧ ଦମ୍ପତି ମୁଗୁନା ମାଝୀ (୭୦) ଓ ସ୍ତ୍ରୀ ଗାଦ( ୬୬) ଦୁହେଁ ଘର ଭିତରେ ଶୋଇଥିବା ବେଳେ ଘର ଭିତରକୁ ପଶି ଦୁହିଁଙ୍କୁ ଦଳି ଚକଟି ମାରିଦେଇଥିବା ବେଳେ ରକ୍ତମୁଖା ଗଜରାଜ ଦୁହିଁଙ୍କ ଶରୀରକୁ ଘୋଷାଡ଼ି ଘୋଷାଡ଼ି ମାଡ଼ି ଚକଟି ଶରୀରର ବିଭିନ୍ନ ଅଂଶ ଛିନ୍ନ ବିଚ୍ଛିନ୍ନ କରି ବିଭିନ୍ନ ଜାଗାରେ ପକାଇଥିବା ଦେଖିବାକୁ ମିଳିଥିଲା।ଗତ ଜୁଲାଇ ମାସ ୧୯ ତାରିଖ ରବିବାର ବିଳମ୍ବିତ ରାତିରେ ଦନ୍ତା ହାତୀ ମୂଷାନାଳ ବନବିଭାଗ ଅଧୀନରେ ଥିବା ଗୋଇଚର୍ଚ୍ଚା ଗ୍ରାମରେ ପଶି ଚାଷୀ ଗୋପୀନାଥ ଦୋରାଙ୍କ ବାସଗୃହ ଭାଙ୍ଗିବା ସହ ଘରେ ଥିବା ଆବାସ ପତ୍ର ଓ ରାଶନ ସାମଗ୍ରୀ ମାଡ଼ି ଚକଟି ନଷ୍ଟ କରିଥିଲା ଏବଂ ଗ୍ରାମର ଆରାଧ୍ୟ ଦେବୀ ଠାକୁରାଣୀ ମନ୍ଦିରକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେବା ପରେ ଗୋପୀନାଥଙ୍କ ଚାଷଜମିକୁ ଯାଇ ଜମିରେ ଥିବା ଧାନ ପଲା ଘାରିକୁ ଦଳିଚକଟି ଉଜାଡ଼ି ଦେଇଥିଲା।

ସେହିଭଳି ପୁଣି ଗତ ୨୦ ତାରିଖ ସୋମବାର ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଧଡେଲ ଗାଁର ନୀଳ ମାଝୀ ଓ କ୍ରିଷ୍ଣା ମାଝୀଙ୍କ ଘର ଭାଙ୍ଗି ନଷ୍ଟ କରିଦେଇଥିଲେ। ସେହିଭଳି ଗତ ଜୁଲାଇ ମାସ ୩୧ ତାରିଖ ଶୁକ୍ରବାର ବିଳମ୍ବିତ ରାତିରେ କୁମଖାଲ ପଞ୍ଚାୟତର ପୀଡେଲବାଜୁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧା ତିଲାଏ ହରିଜନ (୬୧)ଙ୍କୁ ଦଳିଚକଟି ମାରିଦେଇଥିବା ବେଳେ ତାଙ୍କର ପୁଅ ଓ ବୋହୂ ସମେତ ୫ ଜଣ ଘରେ ଥିବା ବେଳେ ଜୀବନ ବିକଳରେ ୪ ଜଣ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।