କାହାନ୍ତି ସେ ସାଆନ୍ତାଣୀ
‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ ଆତ୍ମୀୟ ହୋଇଯାଏ ଏବଂ ତା’ର ଗ୍ରହୀତା ଗଭୀର ଆତ୍ମଶ୍ଳାଘା ଅନୁଭବ କରନ୍ତି ତଥା କର୍ତ୍ତାଙ୍କର ଅଭୀଷ୍ଟ ସିଦ୍ଧି ହୁଏ। ଆମର ସାମାଜିକ ଓ ପାରିବାରିକ ଜୀବନରେ ଅନେକ ଭାବାବେଗ ସହିତ ଜଡିତ ଏହି ଶବ୍ଦଟି ଏବେ ପ୍ରାୟ ଲୋପ ପାଇଗଲାଣି। ଆଜିକାଲି କେହି କାହାକୁ ଏପରି କହୁନାହାନ୍ତି କି କହିବାକୁ ପସନ୍ଦ କରୁନାହାନ୍ତି। ଏବେ ଯିଏ ଯାହା ହାତରେ ଚଉଦପାଆ। ସାଆନ୍ତାଣୀ ଶବ୍ଦଟି (ଏବଂ ତତ୍ତୁଲ୍ୟ ଶବ୍ଦ ଯଥା ମହାତ୍ମାଣୀ, ଗୋସାମଣୀ, ମାଲିକାଣୀ, ଗୋସେଇଁମା, ନାନୀ ଗୋସେଇଁ, ବଡଘରବୋହୂ ଇତ୍ୟାଦି) ଏକ ସାମନ୍ତବାଦୀ ଚିନ୍ତାଧାରାର ପରିଚାୟକ, ଯାହା ଦିନେ ମଧ୍ୟଯୁଗୀୟ ସଂସ୍କୃତିର ନିଦର୍ଶନ ଓ ଖାନ୍ଦାନୀର ପରିଚୟ ଥିଲା । ଆଗେ ଜମିଦାର, ରାଜ କର୍ମଚାରୀ, ସର୍ବରାକାର, ଗ୍ରାମ ଓ ସାହିର ମୁଖ୍ୟ, ଉଚ୍ଚ ଶ୍ରେଣୀୟ ତଥା ବିତ୍ତଶାଳୀ ପରିବାରର ଗୃହିଣୀ, ଝିଅ ଓ ବୋହୂମାନଙ୍କ ଉଦ୍ଦେଶ୍ୟରେ ଏହି ଶବ୍ଦଟିର ବ୍ୟବହାର ପ୍ରଚଳିତ ଥିଲା। ସେ ସବୁ ପରିବାରରେ ରହୁଥିବା, ଆଶ୍ରା ପାଇଥିବା କିମ୍ବା କାମ କରୁଥିବା ନିରାଶ୍ରୟା, ପୋଇଲି, ପରିବାରୀ, ସେବକ, ହଳିଆ, ମୂଲିଆ, କୋଠିଆ, ବାରମାସିଆ, ବେଠିଆ, ବେଗାରିଆ, ଚାକିରିଆ, ବୋଲକରା, ମଜୁରିଆ ଇତ୍ୟାଦି ଶ୍ରେଣୀର ପୁରୁଷ ଓ ନାରୀ ସମ୍ପୃକ୍ତ ଘରର ମହିଳାମାନଙ୍କୁ ସମ୍ମାନର ପ୍ରତୀକ ସ୍ବରୂପ ଏହି ଭାଷାରେ ସମ୍ବୋଧନ କରୁଥିଲେ। ତା’ଛଡା ଦରିଦ୍ର ଏବଂ ଅନ୍ୟ ଶ୍ରେଣୀୟ ସହବାସିନ୍ଦା, ଯୋଗୀ, ଭିକାରି, ପଥଚାରୀ, ଅଜଣା ଲୋକ,କେଳା,ସବାଖିଆ, ଅଣଓଡିଆ ଚୁଡ଼ିବାଲା, ପସରାରେ ବିଭିନ୍ନ ପଣ୍ୟ ଦ୍ରବ୍ୟ ମୁଣ୍ଡେଇ ବା କାଖେଇ ସାହି, ଗଳି, କନ୍ଦିରେ ବୁଲି ବିକ୍ରି କରୁଥିବା ସ୍ତ୍ରୀ ଲୋକମାନେ ଘରେ ଘରେ ଏହି ଡାକରେ ଡାକୁଥିଲେ।
ଆଉଟିକେ ପଛକୁ ଫେରି ଚାହିଁଲେ ସାଆନ୍ତାଣୀ ଶବ୍ଦର ଯେଉଁ ବାସ୍ତବତା ମାନସ ଚକ୍ଷୁରେ ଭାସି ଉଠେ ତାହା ହେଉଛି ଶାନ୍ତ, ନିରୀହ, ଧାର୍ମିକ, ସହାନୁଭୂତିଶୀଳ, ପର ଦୁଃଖରେ ଦୁଃଖୀ, ଦୟାଳୁ ଆଦି ସୂକ୍ଷ୍ମ ଚରିତ୍ରର ବାଙ୍ମୟ ପ୍ରତିମାଟିଏ ଯିଏ ଯୁଗେ ଯୁଗେ ମଣିଷର ହୃଦୟକୁ ବିଗଳିତ କରି ଆସିଅଛି। ସେମିତି ଏକ ଚରିତ୍ର ଥିଲେ ମହାରାଜା ଦଶରଥଙ୍କର ପାଟରାଣୀ କୌଶଲ୍ୟା, ଯିଏ ଆପଣାର ପତି, ପୁତ୍ର ଓ ସପତଣୀ ସମସ୍ତଙ୍କର ଦୁଃଖଦ ବିଚାରଧାରାକୁ ମୁଣ୍ଡପାତି ସହି ନେଇଥିଲେ, ଯୁବରାଣୀ ଭାନୁମତୀ ଯିଏ ଅହଙ୍କାରୀ ଯୁବରାଜ ଦୁର୍ଯ୍ୟୋଧନର ସମସ୍ତ କୁକର୍ମର ନୀରବଦ୍ରଷ୍ଟା ଥିଲେ, ମହାରାଣୀ କୁନ୍ତୀ ଯିଏ ନିଜ ଜ୍ୟେଷ୍ଠପୁତ୍ର ଯୁଧିଷ୍ଠିରଙ୍କର ଅବିମୃଶ୍ୟକାରିତା ଓ ଦେଢଶୁର ଧୃତରାଷ୍ଟ୍ରଙ୍କର ଅନ୍ୟାୟ ଦେଖି ବି ଚୁପ୍ ରହିଥିଲେ ଇତ୍ୟାଦି । ଯେତେ ଦୁଃଖ କଷ୍ଟ ଭୋଗିଲେ ବି କେବେ ମୁହଁ ନ ଖୋଲିବା ଏମାନଙ୍କ ସ୍ବଭାବର ବିଶେଷତ୍ୱ ଥିଲା। ଅନ୍ୟାୟ ନିଷ୍ପତ୍ତିରୁ ବିରତ ହେବା ପାଇଁ ନିଜ ପତିଙ୍କୁ ବାରମ୍ବାର ପରାମର୍ଶ ଦେଉଥିବା ସୁଜ୍ଞାନୀ ମହିଳାଙ୍କ ଭିତରେ ମନ୍ଦୋଦରୀ ଓ ତାରା ଅଗ୍ରଗଣ୍ୟା ।
ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଦୃଢ ପ୍ରତିବାଦ ଜାରି ରଖି ଆତ୍ମବଳୀ ଦେଇଥିବା ମହୀୟସୀ ମହିଳା ଭାବରେ ଲକ୍ଷ୍ମୀବାଈ, ଦୁର୍ଗାବତୀ, ଅହଲ୍ୟା ବାଈ, ଶୁକଦେଈ ଇତ୍ୟାଦିଙ୍କ ନାମ ତ ଅମର ହୋଇ ରହିଛି।
ଦିନେ ସାଆନ୍ତାଣୀ ଶବ୍ଦଟି ଏତେ ଲୋକପ୍ରିୟ ଥିଲା ଯେ ତତ୍କାଳୀନ ଭାଷା ଓ ସାହିତ୍ୟକୁ ଏହା ଅନେକାଂଶରେ ପ୍ରଭାବିତ କରିଥିଲା ଯେପରି ଘରେ ଘରେ ପରିଚିତ ଲକ୍ଷ୍ମୀ ପୁରାଣ ଓ ସୁଦଶା ବ୍ରତ ବହିରେ ସ୍ବୟଂ ଲକ୍ଷ୍ମୀଙ୍କଠାରୁ ସାଧବାଣୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି ଶବ୍ଦଟି ଏକାଧିକ ବାର ବ୍ୟବହୃତ ହୋଇଛି। ଆଧୁନିକ ଓଡ଼ିଆ ସାହିତ୍ୟ ତ ସାଆନ୍ତାଣୀ ଶବ୍ଦ ପାଇଁ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଛି। ସାଧାରଣତଃ ହୃଦୟହୀନ, ନିର୍ଦ୍ଦୟ ଓ ନିଷ୍ଠୁର ଜମିଦାରଙ୍କ ପତ୍ନୀ ହୋଇଥିଲେ ବି ସାଆନ୍ତାଣୀ ଭାବରେ ଜଣାଶୁଣା ଏଭଳି ମହିଳାମାନେ ସ୍ବଭାବତଃ ବିପରୀତ ଚରିତ୍ରର ଅଧିକାରିଣୀ। ସେମାନେ ନିଜ ଓ ପର ସମସ୍ତଙ୍କର ମଙ୍ଗଳ କାମନା କରନ୍ତି, ଭୋକୀ ଶୋଷୀଙ୍କୁ ଅନ୍ନଜଳ ଦିଅନ୍ତି, ଦୁଃଖୀ ରଙ୍କିଙ୍କୁ ସାହାଯ୍ୟ କରନ୍ତି ଏବଂ ଅନ୍ୟ ପାଇଁ ସର୍ବଦା ସେମାନଙ୍କର ହୃଦୟ କାନ୍ଦେ। ଏହାର କେତେକ ଲୋକପ୍ରିୟ ଦୃଷ୍ଟାନ୍ତ ହେଉଛି କଥା ସମ୍ରାଟ ଫକୀର ମୋହନଙ୍କ ଅନବଦ୍ୟ କୃତି ‘ଛଅ ମାଣ ଆଠଗୁଣ୍ଠ’ର ସାଆନ୍ତାଣୀ ଚରିତ୍ର ଓ ସାଆନ୍ତାଣୀ ଡାକ ଶୁଣିବା ପାଇଁ ଖଳନାୟିକା ଚମ୍ପାର ଅବସୋସ। ତାଙ୍କ ରଚିତ ଗଳ୍ପ ‘ପେଟେଣ୍ଟ୍ ମେଡିସିନ୍’ ରେ ପତି ସୋହାଗିନୀ ଶାନ୍ତ ସରଳ ପତ୍ନୀଟିଏ ଆବଶ୍ୟକ ପଡିଲେ କିପରି କଠୋର ହୋଇପାରେ ତା’ର ଉଦାହରଣ ହୋଇ ରହିଯାଇଛନ୍ତି ସାଆନ୍ତାଣୀ ସୁଲୋଚନା। ଔପନ୍ୟାସିକ କାହ୍ନୁ ଚରଣଙ୍କ ‘ଶାସ୍ତି’ ରେ ଧୋବୀବୋଉ ଆଜ୍ଞାବହ ସାଆନ୍ତାଣୀ ଭୂମିକାର ଏକ ନୀରବ ବାର୍ତ୍ତାବହ। ସାଆନ୍ତାଣୀ ଚରିତ୍ରର ଏକ ନିଚ୍ଛକ ଚିତ୍ରଣ ପଲ୍ଲୀକବି ନନ୍ଦ କିଶୋରଙ୍କ ଲୋକପ୍ରିୟ କାବ୍ୟ ପଲ୍ଲୀଚିତ୍ରରେ ମିଳେ ଏବଂ ତାହା ହେଲା ଏହିପରି, ”ସାଆନ୍ତାଣୀ ସଦା ଭକ୍ତିମତୀ, ଭୋକୀ ଶୋଷୀ ରୋଗୀଙ୍କୁ ଲୋଡନ୍ତି, ପାଆନ୍ତି ଜଳ ତୁଳସୀ, ଭାଗବତ ଘରେ ବସି, ଶୁଣନ୍ତି ଭାରତ ରାମାୟଣ ଭାଗବତ, ପରିବାର ମଙ୍ଗଳରେ ଅହୋରାତ୍ର ରତ“।
ମାତ୍ର ପରିତାପର ବିଷୟ ଏବେ ଆଉ ସାଆନ୍ତାଣୀ ନାହାନ୍ତି। ସାଆନ୍ତାଣୀ ବା ତତ୍ତୁଲ୍ୟ ଶବ୍ଦ ତା’ର ପାରମ୍ପରିକତା ହରେଇ ଏକ ପାରିବାରିକ ଲଘୁ ମନ୍ତବ୍ୟ ରୂପରେ କାଁଭାଁ ତିଷ୍ଠି ରହିଛି ଯେପରି ଅଳସୀ ଝିଅ, ବୋହୂ, କାମରେ ହେଳା କରୁଥିବା କାମବାଲି, ବୋଲ ମାନୁ ନ ଥିବା ସନ୍ତତି, ଡେରିରେ ଉଠୁଥିବା ଗୃହିଣୀ, ବିଳମ୍ବରେ ବୁଝୁଥିବା ମହିଳା ଇତ୍ୟାଦିଙ୍କୁ ଥଟ୍ଟା, ତାମସା, ତାଚ୍ଛଲ୍ୟ, ଟିପ୍ପଣୀ, ଉଦାସୀନତା ଅର୍ଥରେ ‘ମା ସାଆନ୍ତାଣୀ’, ‘ଗୋସାମଣୀ’,‘ମହାରାଣୀ’ ଇତ୍ୟାଦି କୁହଯାଏ।
ଅଲେଖ ଚନ୍ଦ୍ର ମିଶ୍ର
ସାରଦାଶ୍ରୀ ୯୦୪, ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ର
ମୋ:୯୪୩୮୬୭୩୮୯୮
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।