କାହ୍ନା କୁଣ୍ଡରେ ଭାସିଯାଇ ମହିଳା ନିଖୋଜ

Sep 18, 2026 - 11:20
କାହ୍ନା କୁଣ୍ଡରେ ଭାସିଯାଇ ମହିଳା ନିଖୋଜ

ସୁନ୍ଦରଗଡ଼ : ଭାଇ ଆଖି ସାମ୍ନାରେ ଭାସିଗଲେ ମହିଳା । ସୁନ୍ଦରଗଡ଼ ତଲସରା ଥାନା ଘୋଘର ନିକଟ ଇବ ନଦୀ କାହ୍ନା କୁଣ୍ଡରେ  ଘଟିଛି ଅଘଟଣ । ନିଖୋଜ ମହିଳା ଜଣକ ସୁନ୍ଦରଗଡ଼ ମହେଶଡ଼ିହି ଅଞ୍ଚଳର ପ୍ରଜ୍ଞାଶ୍ରୀ ପଣ୍ଡା ବୋଲି ସୂଚନା ମିଳିଛି । ଘଟଣା ପରେ ତଲସରା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି । ତେବେ ଏଯାଏ ନିଖୋଜ ମହିଳାଙ୍କର କୌଣସି ଖୋଜଖବର ମିଳିନାହିଁ । 

ଘଟନାନୁସାରେ , ଗୁରୁବାର ସନ୍ଧ୍ୟାରେ ପ୍ରଜ୍ଞାଶ୍ରୀ ପଣ୍ଡା ପରିବାର ସହିତ କାହ୍ନା କୁଣ୍ଡ ବୁଲିବାକୁ ଯାଇଥିଲେ । ଏହି ସମୟରେ ପ୍ରଜ୍ଞାଶ୍ରୀ ହାତ ଓ ମୁହଁ ଧୋଇବା ପାଇଁ ପାଣିକୁ ଓହ୍ଲାଇଥିବା ବେଳେ ହଠାତ୍ ଗୋଡ଼ ଖସିଯାଇଥିଲା । ଫଳରେ ସେ ପ୍ରଖର ଜଳସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ଗତକାଲି ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଓଡ୍ରାଫ ଟିମ୍ ଓ ପୋଲିସ । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ । ପୂର୍ବରୁ ମଧ୍ୟ ଏହି ସ୍ଥାନରେ ବୁଡି ୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେଣୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ପାଇଁ ଦାବି ହେଉଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।