କୁସ୍ତିରେ ସ୍ବର୍ଣ୍ଣ ଜିତିଲେ ସୁଜିତ

Oct 03, 2026 - 17:41

ନା​‌ଗୋୟା: ଚଳିତ ଏସୀୟ କ୍ରୀଡ଼ାରେ କୁସ୍ତିରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତାଇଛନ୍ତି ସୁଜିତ କାଲ୍‌କଲ। ଶୁକ୍ରବାର ପୁରୁଷ ୬୫ କିଗ୍ରା ଫ୍ରିଷ୍ଟାଇଲ୍ କୁସ୍ତି ଫାଇନାଲରେ ସୁଜିତ କାଜକିସ୍ତାନର ଅବ୍‌ଦୁଲମାଜିଦ୍ କୁଦିୟେଭଙ୍କୁ ପରାସ୍ତକରି ଏହି ସଫଳତା ହାସଲ କରିଛନ୍ତି। ଏକ ରୋମାଞ୍ଚକର ଫାଇନାଲରେ ସୁଜିତ ୧୦-୯ ପଏଣ୍ଟରେ କୁଦିୟେଭଙ୍କୁ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡରେ ୨-୯ ପଏଣ୍ଟରେ ପଛୁଆ ରହିବା ପରେ ସୁଜିତଙ୍କ ପରାଜୟ ନିଶ୍ଚିତ ଲାଗୁଥିଲା। ହେଲେ ୨ୟ ରାଉଣ୍ଡରେ ସୁଜିତଙ୍କର ଏକ ନୂଆ ରୂପ ଦେଖିବାକୁ ମିଳିଥିଲା। ସୁଜିତ କାଲ୍‌କଲ ୨ୟ ରାଉଣ୍ଡରେ ପ୍ରତିପକ୍ଷ କୁଦିୟେଭଙ୍କୁ କୌଣସି ପଏଣ୍ଟ ନ ଦେଇ କ୍ରମାଗତ ୮ ପଏଣ୍ଟ ହାସଲ କରି ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ଭାରତୀୟ ମଲ୍ଲଯୋଦ୍ଧା ସୁଜିତ ଏହି ସ୍ବର୍ଣ୍ଣ ପଦକକୁ ତାଙ୍କ ସଫଳ ପଦକ ତାଲିକାରେ ଯୋଡ଼ିଛନ୍ତି; ଯେଉଁଥିରେ ପୂର୍ବରୁ ଏସୀୟ ଚାମ୍ପିଅନ୍‌ସିପ୍ ସ୍ବର୍ଣ୍ଣ ଏବଂ ବିଶ୍ବ ୨୩ ବର୍ଷରୁ କମ୍‌ ଚାମ୍ପିଅନ୍‌ସିପ୍ ସ୍ବର୍ଣ୍ଣ ସାମିଲ ଅଛି। ଶୁକ୍ରବାର ଫାଇନାଲରେ ସୁଜିତ ୨-୯ରେ ପଛୁଆ ରହିବା ପରେ ପ୍ରତ୍ୟାକ୍ରମ କରି ପଏଣ୍ଟ ପରେ ପଏଣ୍ଟ ହାସଲ କରି ଚାଲିଥିଲେ। ଫଳରେ କ୍ରମାଗତ ୬ ପଏଣ୍ଟ ହାସଲକରି ସୁଜିତ ସ୍କୋର୍‌କୁ ୮-୯ ପଏଣ୍ଟ କରି ପାରିଥିଲେ। ଲଢ଼େଇ ସରିବାକୁ ଶେଷ ୧୦ ସେକେଣ୍ଡ ବାକି ଥିବାବେଳେ ସୁଜିତ କୁଦିୟେଭଙ୍କ ଡିଫେନ୍‌ସକୁ ଭାଙ୍ଗିବାରେ ସଫଳ ହୋଇଥି ଏକ ଟେକ୍‌ଡାଉନ୍ ଜରିଆରେ ୨ ପଏଣ୍ଟ ହାସଲ କରି ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।