କୃଷି କୃଷକର କଥା ଓ ବ୍ୟଥା
ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର ଅର୍ଥନୀତି ଏବଂ ଗ୍ରାମୀଣ ବିକାଶରେ କୃଷି ଏକ ମୁଖ୍ୟ ମେରୁଦଣ୍ଡ ଭାବେ କାର୍ଯ୍ୟ କରେ। ଓଡ଼ିଶା ଅର୍ଥନୀତି ସର୍ବେକ୍ଷଣ ୨୦୨୫-୨୬ର ତଥ୍ୟ ଆଧାରରେ କୃଷି ୪୮.୬ ପ୍ରତିଶତ ଶ୍ରମ ନିଯୁକ୍ତି ସୃଷ୍ଟି କରୁଥିବା ବେଳେ ଓଡ଼ିଶାର ମୋଟ୍ ଅର୍ଥନୀତିକୁ ଏହାର ୧୯.୬ ପ୍ରତିଶତ ଯୋଗଦାନ ରହୁଛି। ତେଣୁ ରାଜ୍ୟର ଅର୍ଥନୀତି ବିକାଶରେ ଉଭୟ କୃଷି ଓ କୃଷକର ଭୂମିକା ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ଉତ୍ତମ ଚାଷ, ମଧ୍ୟମ ବାଣିଜ୍ୟ, କନିଷ୍ଠ ଚାକିରି -ଏହାର ଅର୍ଥ ଆମ ସମାଜରେ କୃଷି କାମକୁ ସବୁଠାରୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଇଛି। କିନ୍ତୁ ସମଗ୍ର ବିଶ୍ୱକୁ ଖାଦ୍ୟ ଯୋଗାଉଥିବା ଚଷାପୁଅ ଆଜି ହତାଶ। ଚାଷ ଅଛି ଯାହାର କି ଆନନ୍ଦ ତାହାର କୁହାଯାଉଥିବା କଥାଟି ବିପରୀତ ହୋଇ ଚାଷ ଅଛି ଯାହାର କି ଦୁଃଖ ତାହାରରେ ପରିଣତ ହେଲାଣି। ଓଡ଼ିଆରେ ମୌସୁମୀର ଆଗମନ ହେବା ପରେ ସାରା ରାଜ୍ୟରେ ଚାଷ କାମ ଆରମ୍ଭ ହୋଇ ସରିବାକୁ ବସିଥିବା ବେଳେ, ଏହି ଦୁଇ ମାସ ଭିତରେ ପ୍ରାୟ ଚାରୋଟି ବନ୍ୟା ଓଡ଼ିଶାର ଚାଷୀମାନେ ସମ୍ମୁଖୀନ ହୋଇସାରିଲେଣି। ଏହି ବନ୍ୟା ଫଳରେ କିଛି ଜାଗାରେ ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି କହିଲେ ଭୁଲ୍ ହେବ ନାହିଁ। ସରକାରଙ୍କ ସୂଚନା ଅନୁଯାୟୀ ଚଳିତ ବନ୍ୟାରେ ରାଜ୍ୟରେ ୮୯,୮୨୯ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ଯାହା ଦ୍ୱାରା ଲକ୍ଷ ଲକ୍ଷ ଚାଷୀଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ସହ ଆଗାମୀ ଦିନରେ ଏହା ଓଡ଼ିଶାର ଅର୍ଥନୀତିକୁ ପ୍ରଭାବିତ କରିବାର ସମ୍ଭାବନା ଦେଖାଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ ନିମନ୍ତେ ସରକାର କ୍ଷତିପୂରଣ ସହାୟତା ଘୋଷଣା କରିଛନ୍ତି, ଯାହାକି ସମୁଦ୍ରକୁ ଶଙ୍ଖେ । ମିଳିଥିବା ସହାୟତାରେ ବର୍ଷକ ଯାକ ଘର ଚଳାଇବା କାଠିକର ପାଠ। ଏହା ଛଡ଼ା ରାଜ୍ୟରେ ଯେଉଁ ଜାଗାରେ ବନ୍ୟା ପ୍ରଭାବ କମ୍ ରହିଛି ବା ଧାନ ଚାଷ ହୋଇଛି, ରାସାୟନିକ ସାର ଓ କୀଟନାଶକର ମହଙ୍ଗା ମାଡ଼ ସେଠାକାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଅସ୍ଥିରତା ପାଇଁ ସାର ଆମଦାନୀ ଓ ଉତ୍ପାଦନ ହ୍ରାସ ପାଇଥିବାରୁ ସାର ଦର ବୃଦ୍ଧି ଦ୍ୱାରା ଚାଷ କାମ ପ୍ରଭାବିତ ହୋଇଛି। କିଛି ବ୍ୟବସାୟୀ ଏହାର ସୁଯୋଗ ନେଇ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଚାଷୀଙ୍କୁ ଚଢ଼ା ଦାମ୍ରେ ସାର ବିକୁଛନ୍ତି। ଏତିକିରେ ଚାଷୀର ଦୁଃଖ ସରିନି। ଅନେକ ସମୟରେ ସରକାରଙ୍କଠାରୁ ନକଲି ବିହନ କିଣି ଚାଷୀମାନେ ହଟହଟା ହେବା ଦୃଶ୍ୟ ଦେଖିବାକୁ ମିଳୁଛି।
ଚାଷ କାମ ଆରମ୍ଭରୁ ଶସ୍ୟ ଉତ୍ପାଦନ ଓ ବିକ୍ରି ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଚାଷୀ ଶୋଷଣର ଶିକାର ହେଉଛି। ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଘୋଷଣା କେବଳ ଧର୍ମକୁ ଆଖିଠାର। କାରଣ ଧାନ ବିକ୍ରି ପାଇଁ ହୋଇଥିବା ଟୋକନ୍ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଚଞ୍ଚକତା ସାମ୍ନାକୁ ଆସୁଛି । ଉପଯୁକ୍ତ ଚାଷୀଙ୍କୁ କମ୍ ଧାନ ବିକ୍ରି କରିବା ପାଇଁ ଅନୁମତି ମିଳୁଥିଲା ବେଳେ ଛଦ୍ମବେଶୀ ଚାଷୀଙ୍କୁ ଅଧିକ ଧାନ ବିକ୍ରି ପାଇଁ ଟୋକନ୍ ବଣ୍ଟନ କରାଯାଉଛି । ଏଥିସହିତ ଦୀର୍ଘ ଦିନ ଧରି ମଣ୍ଡିରେ ଧାନ ପଡ଼ିରହୁଛି। ଚାଷୀ ନିରୁପାୟ ହୋଇ ଖରା, ବର୍ଷା, ଶୀତ କାକରରେ ନିଜର କଷ୍ଟ ଅର୍ଜିତ ଶସ୍ୟକୁ ଜଗି ରହୁଛି। ଏତିକିରେ ମିଲର୍ସ ଓ ସରକାରୀ ବାବୁଙ୍କ ମନ ବୁଝୁନି ଯେ ବିଭିନ୍ନ ଆଳ ଦେଖାଇ କୁଇଣ୍ଟାଲ ପିଛା ୫ରୁ ୧୦ କିଗ୍ରା ପର୍ଯ୍ୟନ୍ତ କଟ୍ନି ଛଟ୍ନି କରୁଛନ୍ତି। ଫଳରେ ଚାଷୀ ବାଧ୍ୟ ହୋଇ ପଡ଼ୋଶୀ ଆନ୍ଧ୍ର ଓ ପଶ୍ଚିମବଙ୍ଗ ବେପାରୀଙ୍କୁ ଶାଗ ମାଛ ଦରରେ ନିଜର ଶସ୍ୟକୁ ବିକିବାକୁ ବାଧ୍ୟ ହେଉଛି। ଏହିସବୁ ସହ୍ୟ କରିବା ପରେ ଜଣେ ଚାଷୀର ଧୈର୍ଯ୍ୟ ରହିବ ତ।
ନିକଟରେ ଯୋଗାଣ ମନ୍ତ୍ରୀ ଦେଇଥିବା ମନ୍ତବ୍ୟରେ ପ୍ରକାଶ କରିଛନ୍ତି ଯେ ଭାରତୀୟ ଖାଦ୍ୟ ନିଗମ ଓଡ଼ିଶାରୁ ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ଚାଉଳ ଉଠାଉ ନାହିଁ। ଯଦି ପୁରୁଣା ଚାଉଳ ଗୋଦାମରୁ ଖାଲି ନ ହୁଏ, ତେବେ ଆଗାମୀ ଖରିଫ ଋତୁରେ ଚାଷୀଙ୍କଠାରୁ ନୂଆ ଧାନ କିଣି ରଖିବା ପାଇଁ ସ୍ଥାନର ଅଭାବ ଦେଖାଦେବ, ଯାହା ଦ୍ୱାରା ଚାଷୀମାନେ ପ୍ରଭାବିତ ହେବେ। ଯେଉଁଠି ସରକାର ନିଜେ ବିଫଳ ସେଠି ଚାଷୀଙ୍କ କଥା ବୁଝିବ କିଏ। ସେହିପରି ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବ କାରଣରୁ ଚାଷୀମାନେ ଅତ୍ୟଧିକ ଉତ୍ପାଦିତ ପନିପରିବାକୁ ଉପଯୁକ୍ତ ମୂଲ୍ୟରେ ବିକି ପାରୁନାହାନ୍ତି, ପଚିଯିବା ଭୟରେ ଶାଗ ମାଛ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି।
ଅନେକ ସମୟରେ ସରକାର କୃଷି ଓ କୃଷକର ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ମାତ୍ର ସେ ଯୋଜନାର କାର୍ଯ୍ୟକାରିତା ସରକାରଙ୍କ ବିଫଳତାକୁ ଦର୍ଶାଉଛି। ରାଜ୍ୟ ସରକାର ୨୦୩୬ ସୁଦ୍ଧା ରାଜ୍ୟକୁ ବିକଶିତ ଓଡ଼ିଶାରେ ପରିଣତ କରିବାକୁ ସ୍ବପ୍ନ ଦେଖୁଥିବା ବେଳେ କୃଷି ଓ କୃଷକର ଏମିତି ଦୁରବସ୍ଥା ନିଶ୍ଚିତ ରୂପେ ଚିନ୍ତାଜନକ। ଏହି ସବୁ କାରଣ ପାଇଁ ଚାଷୀର ପୁଅ ଆଉ ଚାଷ କରିବାକୁ ଇଚ୍ଛା ପ୍ରକାଶ କରୁନାହିଁ। ବିକାଶ ନଁାରେ ଜଙ୍ଗଲ ବିନାଶ କାରଣରୁ ହାତୀ, ବାର୍ହା ପରି ଜଙ୍ଗଲୀ ବନ୍ୟଜନ୍ତୁମାନେ ଖାଦ୍ୟ ଅନ୍ବେଷଣରେ ଆସି ବହୁ ପରିମାଣରେ ଫସଲ ନଷ୍ଟ କରୁଛନ୍ତି। ଫଳରେ ଅନେକ ସମୟରେ ହାତୀ ଓ କୃଷକ ସଂଘର୍ଷରେ ଅନେକ ଚାଷୀ ପ୍ରାଣ ହରାଉଛନ୍ତି। ଏହାସହ ଜଳବାୟୁ ପରିବର୍ତ୍ତନର ପ୍ରଭାବ କୃଷି ଉପରେ ପଡୁଛି । ତେଣୁ ଆଗାମୀ ଦିନରେ ଏହା କୃଷି ଉତ୍ପାଦନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ସମସ୍ତେ ଖାଲି ଜୟ ଯବାନ ଜୟ କିଷାନ୍ ସ୍ଲୋଗାନଟିକୁ ଲୋକ ଦେଖାଣିଆ କହିବାକୁ ଭଲ ପାଆନ୍ତି। ବାସ୍ତବରେ ଆଜି ବି ସମାଜରେ କୃଷକ ଉପଯୁକ୍ତ ସମ୍ମାନ ପାଇବାରୁ ବଞ୍ଚିତ।
ସରୋଜ କୁମାର ବିଶ୍ବାଳ
ମୋ: ୬୩୭୨୩୨୧୧୦୪
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।