କେତେବେଳେ ସାମ୍ବାଦିକ, କେତେବେଳେ ମତ୍ସ୍ୟ ଅଧିକାରୀ; ଧରାପଡ଼ିଲା ଠକ ଗ୍ୟାଙ୍ଗ

Sep 13, 2026 - 12:07
କେତେବେଳେ ସାମ୍ବାଦିକ, କେତେବେଳେ ମତ୍ସ୍ୟ ଅଧିକାରୀ; ଧରାପଡ଼ିଲା ଠକ ଗ୍ୟାଙ୍ଗ

ନନ୍ଦିଘୋଷ ବ୍ୟୁରୋ : କେତେବେଳେ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଟଙ୍କା ଆଦାୟ କରୁଥିଲେ, ତ ଆଉ କେତେବେଳେ ମତ୍ସ୍ୟ ଅଧିକାରୀ ସାଜୁଥିଲେ। ନକଲି ସାମ୍ବାଦିକ ଓ ମତ୍ସ୍ୟ ଅଧିକାରୀ ପରିଚୟ ଦେଇ ମାଛ ଚାଷୀମାନଙ୍କଠାରୁ ୨ ଲକ୍ଷ ଟଙ୍କାରୁ ଅଧିକ ଆଦାୟ କରୁଥିବା ଏକ ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ବରେଲି ପୋଲିସ। ଏହି ମାମଲାରେ ଗ୍ୟାଙ୍ଗର ଦୁଇ ସଦସ୍ୟ ସାଜିଦ ଓ ଆଜମଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ୩ ଅଭିଯୁକ୍ତ ଫେରାର୍ ଥିବାବେଳେ ସେମାନଙ୍କୁ ଖୋଜା ଚାଲିଛି। ନକଲି ଅଧିକାରୀ କିମ୍ବା ସାମ୍ବାଦିକ ପରିଚୟ ଦେଇ ମାଛ ଚାଷୀଙ୍କୁ ଧମକ ଦେବା ସହ ଟଙ୍କା ଆଦାୟ କରୁଥିଲେ ଗ୍ୟାଙ୍ଗର ସଦସ୍ୟମାନେ।

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ମାଛ ଚାଷୀମାନଙ୍କୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ଜେଲ୍ ଧମକ ଦେଇ ଟଙ୍କା ଆଦାୟ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ। ଗ୍ୟାଙ୍ଗର ସଦସ୍ୟମାନେ କେତେବେଳେ ସାମ୍ବାଦିକ, ତ କେତେବେଳେ ମତ୍ସ୍ୟ ବିଭାଗର ଅଧିକାରୀ ପରିଚୟ ଦେଇ ମାଛ ଚାଷୀଙ୍କ ପାଖକୁ ଯାଉଥିଲେ। ପୋଖରୀରେ ମାଛ ଚାଷ ନିଷିଦ୍ଧ ବୋଲି କହି ମାମଲା ରୁଜୁ ଓ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଟଙ୍କା ଆଦାୟ କରୁଥିଲେ। ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ଫେରାର୍ ଅଛନ୍ତି। ପୋଲିସ ଅନୁଯାୟୀ, ଭୋଜିପୁରାର ମାଛ ଚାଷୀ ସଲିମ ରଜା ସେପ୍ଟେମ୍ବର ୯ରେ ଏକ ଫୋନ୍ କଲ୍ ପାଇଥିଲେ। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ମତ୍ସ୍ୟ ବିଭାଗର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ପରେ କିଛି ଲୋକ ତାଙ୍କ ପୋଖରୀରେ ପହଞ୍ଚି ଫଟୋ ଉଠାଇବା ସହ ମାମଲା ରୁଜୁ କରିବାର ଧମକ ଦେଇ ୭୦ ହଜାର ଟଙ୍କା ଆଦାୟ କରିଥିଲେ। ପରେ ଟଙ୍କା ନେବାକୁ ଆସିଥିବା ଅଭିଯୁକ୍ତ ସାଜିଦକୁ ଧରି ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ତା’ର ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ ଖସିଯାଇଥିଲେ। ସଲିମଙ୍କ ଅଭିଯୋଗ ଆଧାରରେ ଭୋଜିପୁରା ଥାନାରେ ଏଫଆଇଆର ରୁଜୁ କରାଯାଇଛି।

ଦେବରାନିଆରେ ମଧ୍ୟ ୧୩ ହଜାର ଟଙ୍କା ଠକେଇ, ଦ୍ୱିତୀୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ;

ତଦନ୍ତ ବେଳେ ଦେବରାନିଆ ଥାନା ଅଞ୍ଚଳରୁ ସମାନ ଠକେଇର ଅଭିଯୋଗ ସାମ୍ନାକୁ ଆସିଥିଲା। ଭୁଲା ଭୁଲାନିଆ ଗାଁର ପ୍ୟାରେ ଲାଲଙ୍କ ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୬ରେ କିଛି ଲୋକ ନିଜକୁ ମତ୍ସ୍ୟ ଅଧିକାରୀ ପରିଚୟ ଦେଇ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ତାଙ୍କଠାରୁ ୧୩ ହଜାର ଟଙ୍କା ଆଦାୟ କରିଥିଲେ। ଏହି ମାମଲାରେ ଦେବରାନିଆ ପୋଲିସ ଅଭିଯୁକ୍ତ ମହମ୍ମଦ ଆଜମକୁ ଦେବରାନିଆ ରେଳ ଷ୍ଟେସନ ନିକଟରୁ ଗିରଫ କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତମାନେ କେତେବେଳେ ଅଧିକାରୀ ଓ କେତେବେଳେ ସାମ୍ବାଦିକ ପରିଚୟ ଦେଇ ମାଛ ଚାଷୀଙ୍କୁ ଠକୁଥିବା ଏବଂ ଆଦାୟ ଟଙ୍କାକୁ ପରସ୍ପର ମଧ୍ୟରେ ବାଣ୍ଟି ନେଉଥିବା ସ୍ୱୀକାର କରିଥିବା ପୋଲିସ କହିଛି।

ଏହି ଗ୍ୟାଙ୍ଗ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରିସାରିଛି, ଅନ୍ୟ ତିନି ଜଣଙ୍କୁ ଖୋଜା ଚାଲିଛି।

ମତ୍ସ୍ୟ ବିଭାଗର ସହକାରୀ ନିର୍ଦ୍ଦେଶକ ଗାୟତ୍ରୀ ପାଣ୍ଡେଙ୍କ କହିବା ଅନୁଯାୟୀ, ଦେବରାନିଆ, ଭୋଜିପୁରା ଓ ମିରଗଞ୍ଜ ଅଞ୍ଚଳରୁ ନକଲି ଅଧିକାରୀ ସାଜି ଟଙ୍କା ଆଦାୟ ନେଇ ଅନେକ ଅଭିଯୋଗ ଆସିଛି। ଏକ ଭିଡିଓ ମିଳିବା ପରେ ସ୍ଥାନୀୟ ପୋଲିସକୁ ଏନେଇ ସତର୍କ କରାଯାଇଥିଲା। ମାମଲା ସମ୍ପର୍କରେ ପୋଲିସ ଅଧୀକ୍ଷକ (ନଗର) ମୁକେଶ ଚନ୍ଦ୍ର ମିଶ୍ର କହିଛନ୍ତି, ଗିରଫ ଅଭିଯୁକ୍ତଙ୍କ ପଚରାଉଚରା ଏବଂ ଅନଲାଇନ୍ କାରବାର, ୟୁପିଆଇ ଓ ସ୍କ୍ରିନ୍‌ସଟ୍‌ରୁ ମିଳିଥିବା ପ୍ରମାଣ ଆଧାରରେ ଅନ୍ୟ ୩ ଗ୍ୟାଙ୍ଗ ସଦସ୍ୟ ରିଜୱାନ ଖାନ (କରମାପୁର ଚୌଧୁରୀ ନିବାସୀ), ବସନ୍ତ ଶର୍ମା (କାସଗଞ୍ଜ ନିବାସୀ) ଓ ଅରବିନ୍ଦଙ୍କୁ ଖୋଜା ଚାଲିଛି

 

 

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।