କେସିଙ୍ଗା କଲେଜ ସମ୍ମୁଖରେ ଆଣ୍ଠୁଏ ଗାତ, ପିଡବ୍ଲ୍ୟୁଡି ବିଭାଗ ନିରବ: ଦୁର୍ଘଟଣା ଆଶଙ୍କା
କେସିଙ୍ଗା, ୧୮।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଦେଇ ଜୋରାଡବ୍ରା ଓ ଏମ୍. ରାମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କେସିଙ୍ଗା ମହାବିଦ୍ୟାଳୟ ସମ୍ମୁଖରେ ଦୀର୍ଘ ବର୍ଷ ହେଲା ଏକ ବଡ଼ ଗାତ ସୃଷ୍ଟି ହୋଇଛି। ରାସ୍ତାର ଏହି ଦୁରବସ୍ଥା ଯୋଗୁ ଦୈନିକ ଯାତାୟାତ କରୁଥିବା ହଜାର ହଜାର ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତଥାପି ରାସ୍ତା ମରାମତି ଦିଗରେ ପିଡବ୍ଲ୍ୟୁଡି ବିଭାଗର ଆଖି ପଡ଼ୁ ନ ଥିବା ଅଭିଯୋଗ ହୋଇଛି।
ଏହି ରାସ୍ତା ଦେଇ ମହାବିଦ୍ୟାଳୟର ହଜାର ହଜାର ଛାତ୍ରୀଛାତ୍ରଙ୍କ ସମେତ ତହସିଲ କାର୍ଯ୍ୟାଳୟ, ସ୍ଥାନୀୟ କୋର୍ଟ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଲୋକେ ଦୈନିକ ଯାତାୟାତ କରୁଛନ୍ତି। ରାସ୍ତାରେ ବଡ଼ ଗାତ ଥିବାରୁ ଏହା ନିକଟରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ବର୍ଷା ଦିନରେ ଗାତରେ ପାଣି ଜମି ରହୁଥିବାରୁ ଏହାର ଗଭୀରତା ଜଣାପଡ଼ୁନାହିଁ। ଫଳରେ ଲୋକେ ଗାତରେ ପଡ଼ି ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି।
କେସିଙ୍ଗା ସହରର ଜାତୀୟ ରାଜପଥ-୨୬ର ଆମ୍ବେଦକର ଛକଠାରୁ ପ୍ରାଥମିକ ବିଦ୍ୟାଳୟ ଦେଇ ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ଭରି ରହିଛି। ଏହି ରାସ୍ତା ଦେଇ ପିଡବ୍ଲ୍ୟୁଡି ବିଭାଗର ଏସ୍ଡିଓ, କୋର୍ଟର ମାଜିଷ୍ଟ୍ରେଟ, ତହସିଲଦାର, ଆର୍ଡି ବିଭାଗର କର୍ମଚାରୀ, ମିଶନ ଶକ୍ତିର ମହିଳା, ଅବକାରୀ ବିଭାଗ ଓ କେନ୍ଦ୍ରୀୟ କେନ୍ଦୁପତ୍ର ବିଭାଗର କର୍ମଚାରୀଙ୍କ ସମେତ ବହୁ ଲୋକ ଯାତାୟାତ କରୁଛନ୍ତି। ଏତେ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ମରାମତି ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ସେହିପରି କେସିଙ୍ଗା ବ୍ଲକର କିକିଆ-ଖଜୁରପଡ଼ା ପିଡବ୍ଲ୍ୟୁଡି ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ଥିବାରୁ ଲୋକେ ଖରା ଓ ବର୍ଷା ଦିନରେ ବହୁ କଷ୍ଟରେ ଯାତାୟାତ କରୁଛନ୍ତି। ଉଭୟ ରାସ୍ତାର ତୁରନ୍ତ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଅନ୍ୟପକ୍ଷରେ ପିଡବ୍ଲ୍ୟୁଡି ବିଭାଗର ଏସ୍ଡିଓ ବିଷ୍ଣୁ ପ୍ରସାଦ କର ପୂର୍ବରୁ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜେଇ ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ମହାବିଦ୍ୟାଳୟ ପରିସରରେ ଅତିରିକ୍ତ ଶ୍ରେଣୀଗୃହ ସମେତ ବିଭିନ୍ନ କୋଠା ନିର୍ମାଣ କାର୍ଯ୍ୟ ହୋଇଥିବା କୁହାଯାଉଛି। ତେବେ ପଦୋନ୍ନତି ପରେ ଅଞ୍ଚଳର ରାସ୍ତା ମରାମତି କାର୍ଯ୍ୟରେ ଆଶାନୁରୂପ ଅଗ୍ରଗତି ଦେଖାଯାଉ ନ ଥିବା ଅଭିଯୋଗ ହୋଇଛି।
ଏଥିସହ ବଦଳି ହେବା ପୂର୍ବରୁ ମିଥ୍ୟା ବିଲ୍ ଓ ଭାଉଚର ଜରିଆରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରାଯାଇଥିବା ନେଇ ଅଭିଯୋଗ ଉଠିଛି। ତେବେ ଏହି ଅଭିଯୋଗର ସତ୍ୟତା ସମ୍ପର୍କରେ କୌଣସି ଯାଞ୍ଚ ରିପୋର୍ଟ ଉପଲବ୍ଧ ହୋଇନାହିଁ।
ଏ ସମ୍ପର୍କରେ ପିଡବ୍ଲ୍ୟୁଡି ବିଭାଗର ଏସ୍ଡିଓ ବିଷ୍ଣୁ ପ୍ରସାଦ କରଙ୍କୁ ପଚାରିବାରୁ ସେ କହିଥିଲେ, “ମୋର ବଦଳି ହେଉଛି, ମୁଁ ଏବେ କ’ଣ କରିପାରିବି?” ରାସ୍ତାର ଦୁରବସ୍ଥା ଓ ମରାମତିରେ ବିଳମ୍ବକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।