କେସିଙ୍ଗା ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ: ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରୀଛାତ୍ର
କେସିଙ୍ଗା, ୬।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ଓ କୃତିତ୍ୱ ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର ସଭାପତିତ୍ୱ କରିଥିବା ବେଳେ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସମ୍ପତି ଛୁରା, ସୋମନାଥ ମଙ୍ଗରାଜ, ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ପ୍ରଧାନଶିକ୍ଷକ ହେମାନନ୍ଦ ବରିହା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର କୁମାର ଦୋରା, ପ୍ରଧାନଶିକ୍ଷକ ହେମନ୍ତ ବାଗ ଏବଂ ନୋଡାଲ ସିଆରସିସି ରୋହିତ କୁମାର ସାହୁ ମଞ୍ଚାସୀନ ଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଶିଶୁମାନଙ୍କ ଅନ୍ତଃନିର୍ହିତ ପ୍ରତିଭା ଓ ଗୁଣର ବିକାଶ ସହ ‘ସୁରଭି’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।
ବ୍ଲକସ୍ତରୀୟ ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଭାଗ ନେଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ବିଶେଷକରି ସାଂସ୍କୃତିକ ବିଭାଗରେ ୧୩ଟି ଦଳ ପାରମ୍ପରିକ ଓ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଗୋବିନ୍ଦ ବ୍ରହ୍ମା, ନଳିନୀକାନ୍ତ ଦାଶ ଓ ଗୋବିନ୍ଦ ବାଗ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ମଞ୍ଚ ପରିଚାଳନା ଦାୟିତ୍ୱରେ ଥିବା ତପନ କୁମାର ଦାଶ, ଜି. କୃଷ୍ଣା ରେଡ୍ଡୀ, ହେମନ୍ତ କୁମାର ମାଝୀ, ୧୩ଟି କ୍ଲଷ୍ଟରର ସିଆରସିସି, ବିଭିନ୍ନ ବିଦ୍ୟାଳୟର ଶିକ୍ଷୟିତ୍ରୀ-ଶିକ୍ଷକ ଓ ଛାତ୍ରୀଛାତ୍ର ସହଯୋଗ କରିଥିଲେ। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ଜିଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ପାଇଁ ମନୋନୀତ ହୋଇଛନ୍ତି। ସେହିପରି ସାଂସ୍କୃତିକ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା ପଷ୍ଟିକୁଡ଼ି କ୍ଲଷ୍ଟରର ଦଳ ଶୁକ୍ରବାର ଜିଲାସ୍ତରୀୟ ‘ସୁରଭି’ ମହୋତ୍ସବରେ ଯୋଗଦେବେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।