କୋଟିଆ ଓଡ଼ିଶାର ହୋଇ ରହିବ - ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର : ବିବାଦୀୟ କୋଟିଆ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା । କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ସବୁଦିନ ପାଇଁ ଓଡ଼ିଶାର ହୋଇ ରହିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ମଙ୍ଗଳାବାର ଲୋକସେବା ଭବନରେ କୋଟିଆ ପ୍ରସଙ୍ଗକୁ ନେଇ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, କୋଟିଆ ହେଉଛି ଓଡ଼ିଶାର ଅସ୍ମିତା ଓ ଅଭିମାନ । ଏହାର ସୁରକ୍ଷା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ। କୋଟିଆ ଅଞ୍ଚଳର ବିକାଶ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ଏହାର ବିକାଶ ଜରୁରୀ ଅଟେ । କୋଟିଆ ଉପରେ ଆନ୍ଧ୍ର କାହିଁକି ଆଖି ପକାଉଛି । ସୁପ୍ରିମକୋର୍ଟଙ୍କ ନିଷେଧାଦେଶକୁ ଅବମାନନା କରି କୋଟିଆ ଅଞ୍ଚଳରେ ନିର୍ବାଚନ କରିବା ଭଳି ବେଆଇନ କାର୍ଯ୍ୟରୁ ଆନ୍ଧ୍ରପ୍ରଦେଶ କ୍ଷାନ୍ତ ରହିବା ଉଚିତ । କୌଣସି ପରିସ୍ଥିତିରେ କୋଟିଆକୁ ଆନ୍ଧ୍ରକୁ ଦିଆଯିବ ନାହିଁ ।
ସେହିପରି କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରଶ୍ନର କଡା ଜବାବ ଦେଇ ମନ୍ତ୍ରୀ କହିଛନ୍ତି , ଓଡ଼ିଶାର ଭୌଗଳିକ ଅଖଣ୍ଡତା ଏବଂ ସ୍ୱାର୍ଥର ସୁରକ୍ଷା ପାଇଁ କୌଣସି ପ୍ରକାରେ ବୁଝାମଣା କରାଯିବ ନାହିଁ । ଓଡ଼ିଶାର ସ୍ୱାର୍ଥ ଓ ସମ୍ମାନ ପାଇଁ ସମସ୍ତ ଦଳକୁ ଏକାଠି ନେଇ ଏବଂ କୋରାପୁଟର ବିଧାୟକମାନଙ୍କ ସହ ଆଲୋଚନା କରି ମିଳିତ ଭାବେ ଲଢ଼େଇ କରାଯିବ ବୋଲି ସେ କହିଛନ୍ତି ।
ଗତ ଦୁଇ ବର୍ଷ ମଧ୍ୟରେ କୋଟିଆରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି । ଏହି ଅଞ୍ଚଳରେ ପ୍ରାୟ ୯୨୧ଟି ବାସଗୃହ ମଞ୍ଜୁର କରାଯାଇଥିବା ବେଳେ ୬୪୧ଟି ସମ୍ପୂର୍ଣ୍ଣ ହୋଇଛି । ଏହାଛଡ଼ା ୨,୦୭୦ଟି ରେସନ କାର୍ଡ ବଣ୍ଟନ ସହ ମନରେଗା (MGNREGA) ଓ ଭତ୍ତା ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଯାଇଛି ।
କୋଟିଆ ଅଞ୍ଚଳ ଏବଂ ସୀମାନ୍ତରେ ଆନ୍ଧ୍ରର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳ ଓ ଏସପି (SP) ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ନିୟମିତ ଭାବେ ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।