କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ
କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରାୟ ୪୫ ଗାଁ ପାଣିଘେରକୁ ଆସିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରାୟ ୪,୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି।
ବର୍ଷା ପ୍ରଭାବରେ ଜିଲାର ଯୋଗାଯୋଗ ବ୍ୟବସ୍ଥା ବ୍ୟାହତ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ ଉପରେ ପାଣି ଚାଲିବା ଯୋଗୁ ଯାତାୟାତରେ ସମସ୍ୟା ଉପୁଜିଛି। କେତେକ ଅଞ୍ଚଳରେ ସଡ଼କ ଉପରେ ବର୍ଷାଜଳ ପ୍ରବାହିତ ହେବାରୁ ଯାତାୟାତ ପ୍ରଭାବିତ ହୋଇଛି। ରେଳପଥ ପ୍ରଭାବିତ ହେବାରୁ ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ କୋରାପୁଟ ରେଳଷ୍ଟେଶନରୁ ମାଗଣା ବସ୍ ସେବା ବ୍ୟବସ୍ଥା କରାଯାଇଛି। ରେଳ ଯୋଗାଯୋଗ ସ୍ବାଭାବିକ ନ ହେବା ଯାଏ ଏହି ସେବା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
କୋଟପାଡ଼ ବ୍ଲକର ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବ୍ଲକର ପ୍ରାୟ ୧୬ ଗାଁ ଏବେ ବି ପାଣି ଘେରରେ ରହିଛି। ଜଳସ୍ତର ଓ ଯୋଗାଯୋଗ ବ୍ୟବସ୍ଥା ଉପରେ ପ୍ରଶାସନ ନଜର ରଖିଛି। ଆବଶ୍ୟକସ୍ଥଳେ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ବର୍ଷା ଓ ବନ୍ୟା ପରିସ୍ଥିତିରେ ଲୋକଙ୍କ ଜୀବନ ଓ ଧନସମ୍ପତ୍ତିର ସୁରକ୍ଷାକୁ ପ୍ରଶାସନ ପ୍ରାଥମିକତା ଦେଇଛି। ଉଦ୍ଧାର କାର୍ଯ୍ୟ ସହ ଜଳମଗ୍ନ ଅଞ୍ଚଳରେ ଆବଶ୍ୟକ ସହାୟତା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି।
ଜିଲାପାଳ ମନୋଜ ସତ୍ୟବାନ ମହାଜନ ଶନିବାର ଦେଇଥିବା ସୂଚନା ଅନୁସାରେ ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି। ଜଳମଗ୍ନ ଗାଁଗୁଡ଼ିକରେ ଲୋକଙ୍କ ସୁରକ୍ଷା ଓ ଆବଶ୍ୟକ ସେବା ଯୋଗାଣ ପାଇଁ ପଦକ୍ଷେପ ଜାରି ରହିଛି। ରେଳ ଯାତାୟାତ ସ୍ବାଭାବିକ ହେବା ଯାଏ ଯାତ୍ରୀମାନଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବ। ପାଣି ଘେରରେ ଥିବା ଗାଁଗୁଡ଼ିକରେ ସ୍ଥିତି ସହ ରେଳ ଓ ସଡ଼କ ଯୋଗାଯୋଗ ପୁନର୍ବାର ସ୍ବାଭାବିକ କରିବାକୁ ଜିଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଚେଷ୍ଟା ଜାରି ରଖିଥିବା ଜିଲାପାଳ ସୂଚନା ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।