ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ
ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ଜିଲାର ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଖୋର୍ଦ୍ଧା ଜିଲାପାଳ ତଥା ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ)ର ଅଧ୍ୟକ୍ଷଙ୍କ ପକ୍ଷରୁ ୨୫ ଜାରି ଆଦେଶ ପତ୍ର ସଂଖ୍ୟା ୨୦୬୪୬/୨୫ ଅନୁଯାୟୀ, କୌଣସି ଅଧିକାରୀ ସକ୍ଷମ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।
ସେହିପରି ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ପୂର୍ବରୁ ମଞ୍ଜୁର ହୋଇଥିବା ଛୁଟି ବାତିଲ କରାଯାଇଛି। ଛୁଟିରେ କିମ୍ବା ମୁଖ୍ୟାଳୟ ଛାଡ଼ି ରହିଥିବା କର୍ମଚାରୀମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଆଦେଶରେ କୁହାଯାଇଛି। ଅକ୍ଟୋବର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଛୁଟି ବାତିଲ ନିର୍ଦ୍ଦେଶ ବଳବତ୍ତର ରହିବ।
ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଜିଲାପାଳ ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ (ସାଧାରଣ), ଅତିରିକ୍ତ ଜିଲାପାଳ (ରାଜସ୍ବ), ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲାପାଳ, ଜିଲାର ସମସ୍ତ ବିଭାଗୀୟ ଅଧିକାରୀ, ବିଡିଓ, ତହସିଲଦାର ଏବଂ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଠାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।