ଗଜଲକ୍ଷ୍ମୀ ପୂଜାକୁ ନେଇ ବିବାଦ, ଅନଶନରେ ଆୟୋଜକ

Oct 23, 2026 - 20:09
ଗଜଲକ୍ଷ୍ମୀ ପୂଜାକୁ ନେଇ ବିବାଦ, ଅନଶନରେ ଆୟୋଜକ

କଟକ ସଦର, ୨୩ା୧୦ (ସୁଶାନ୍ତ କୁମାର ଜେନା): ୪୨ ମୌଜା ଥାନା ଅନ୍ତର୍ଗତ କଳପଡ଼ା ଗ୍ରାମରେ ଚଳିତ ବର୍ଷ ଏକ ଗୋଷ୍ଠୀ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଆୟୋଜନ କରାଯାଇଥିଲା। ଏଥିପାଇଁ ପୋଲିସର ଅନୁମତି ନିମନ୍ତେ ମଧ୍ୟ ଆବେଦନ କରାଯାଇଥିଲା। ମାତ୍ର ସ୍ଥାନୀୟ ପୋଲିସ ଅନୁମତି ନ ଦେଇ ପୂଜା ଆୟୋଜନ ବନ୍ଦ କରିବାକୁ ଆୟୋଜକମାନଙ୍କୁ ତାଗିଦ୍ କରିଥିଲା। ଏହାର ପ୍ରତିବାଦରେ ଆୟୋଜକମାନେ କଳପଡ଼ାଠାରେ ପୂଜାସ୍ଥଳୀରେ ଧାରଣା ଓ ଅନଶନରେ ବସିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆୟୋଜନ କମିଟିର ସଂଯୋଜକ ଦେବୀ ପ୍ରସାଦ ପତି କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ନୂଆ ସ୍ଥାନରେ ଗଜଲକ୍ଷ୍ମୀ ପୂଜା କରିବାକୁ ଏକ ଗୋଷ୍ଠୀ ନିଷ୍ପତ୍ତି ନେଇଥିଲେ। ମାତ୍ର ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରି ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ପୂଜା ବନ୍ଦ କରିବାକୁ ତାଗିଦ୍ କରିଥିଲା। ପୂଜା ଆୟୋଜନ ପାଇଁ ଗୋଚର ଜମି ବ୍ୟବହାର କରାଯାଉଥିବାରୁ କଟକ ସଦର ତହସିଲଦାରଙ୍କ ନିକଟରେ ଅନୁମତି ପାଇଁ ଆବେଦନ କରାଯାଇଥିଲା।

ପୂଜା ଆରମ୍ଭ ହେବାକୁ ଆଉ ଦୁଇ ଦିନ ବାକି ଥିବାବେଳେ ତହସିଲଦାର ଅନୁମତିପତ୍ର ପ୍ରଦାନରେ ବିଳମ୍ବ କରିବା ଦୁଃଖଦାୟକ ବୋଲି ଶ୍ରୀ ପତି କହିଛନ୍ତି। ଏହାଦ୍ୱାରା ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଉଥିବା ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ତହସିଲଦାର ଅନୁମତି ପ୍ରଦାନ କଲେ ପୂଜା ଆୟୋଜନରେ କୌଣସି ଅସୁବିଧା ନାହିଁ ବୋଲି ୪୨ ମୌଜା ଥାନା ଅଧିକାରୀ ହେମନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ତେବେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଅନୁମତିପତ୍ର ମିଳି ନ ଥିବା ଜଣାପଡ଼ିଛି।

ସ୍ୱଳ୍ପ ସମୟ ପାଇଁ ପୂଜା ଆୟୋଜନ କରିବାକୁ ରାଜସ୍ୱ ବିଭାଗର ଅନୁମତି ନେବାକୁ ପଡ଼ୁଥିବା ଘଟଣାକୁ ନେଇ ଆୟୋଜକମାନେ ଦୃଢ଼ ପ୍ରତିବାଦ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।