ଗଣତନ୍ତ୍ରର ରାଜତନ୍ତ୍ରୀକରଣ
ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ଓ ମନ୍ଦିର ନିର୍ମାଣ କରିବ ବୋଲି ଘୋଷଣା କରିଛି। ଏହି ଅନୁଷ୍ଠାନର ସଦସ୍ୟ ରାଜନ ସିଂ ଏହା ପାଟନାରେ ୫ ଏକର ଜମିରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ କରାଯିବ ବୋଲି କହିଛନ୍ତି। ପୁନଶ୍ଚ ୨୦ ଅଗଷ୍ଟ ୨୦୨୬ରେ ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଏହି ସମ୍ପ୍ରଦାୟ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ରାମବେଶରେ ସଜ୍ଜିତ ଏକ ପ୍ରତିକୃତିକୁ ଆରତି କରାଯାଇ ମୋଦି ଚାଳିଶା ପାଠ କରାଯାଇଛି। ଅବଶ୍ୟ ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆ ସ୍ପଷ୍ଟ କରିଛି ଯେ ଏଭଳି ଆରତି ଓ ଚାଳିଶା ପାଠ କରିବାକୁ କୌଣସି ଅନୁମତି ଦିଆଯାଇ ନ ଥିଲା। ଏବେ ପୁଣି ରାଜାନ ସିଂ ଘୋଷଣା କରିଛନ୍ତି, ମୋଦିଙ୍କ ପ୍ରତିମୂର୍ତ୍ତି ସୁନାରେ ନିର୍ମାଣ ହେବ। ଗଣତନ୍ତ୍ରରେ ରୁଚି ଓ ଆସ୍ଥା ଅନୁସାରେ ଯେକୌଣସି ବ୍ୟକ୍ତିର ପ୍ରତିମୂର୍ତ୍ତି ନିର୍ମାଣକରି ତାଙ୍କୁ ପୂଜାକରିବା ଓ ତାଙ୍କର ସ୍ତୁତି କରିବା ଆମର ଅଧିକାର ଅଛି। ଅତୀତରେ ରାଜତନ୍ତ୍ରରେ ଏଭଳି ପ୍ରଥା ପ୍ରଚଳିତ ଥିଲା। ମାତ୍ର ସମ୍ପ୍ରତି ଆମେ ରାଜତନ୍ତ୍ରକୁ ବିଦାୟ ଦେଇ ଗଣତନ୍ତ୍ରକୁ ଗ୍ରହଣ କରିସାରିବା ପରେ ଆମର ଶାସକମାନଙ୍କୁ ଏକ ଦୈବସ୍ତରକୁ ଉନ୍ନୀତକରି ପୂଜାକରିବା, ସ୍ତୁତିପାଠ କରିବା ଏବଂ ସେମାନଙ୍କ ଜୀବିତାବସ୍ଥାରେ ପ୍ରତିମୂର୍ତ୍ତି ନିର୍ମାଣ କରିବା କେତେଦୂର ଯୁକ୍ତିଯୁକ୍ତ ଓ ଗ୍ରହଣୀୟ ତା’ ହେଉଛି ଆଜିର ବିଚାର୍ଯ୍ୟ ବିଷୟ।
ପ୍ରାଚୀନ କାଳରେ ରାଜାଙ୍କୁ ଈଶ୍ୱରଙ୍କ ପ୍ରତିନିଧି ଭାବରେ ବିବେଚନା କରାଯାଉଥିଲା। ତାଙ୍କ କ୍ଷମତା ଥିଲା ସର୍ବୋଚ୍ଚ ଓ ପବିତ୍ର। ତାଙ୍କର ଆଦେଶ ମାନିବା ଥିଲା ପ୍ରଜାଙ୍କ ଧାର୍ମିକ କର୍ତ୍ତବ୍ୟ। ରାଜାଙ୍କୁ ବିରୋଧକରିବା ଅର୍ଥ ଈଶ୍ୱରଙ୍କୁ ବିରୋଧ କରିବା। ମଧ୍ୟଯୁଗୀୟ ୟୁରୋପରେ ଏହି ସିଦ୍ଧାନ୍ତ ପ୍ରଭାବଶାଳୀ ଥିଲା। ରାଜାଙ୍କୁ ଦୈବସ୍ଥାନ ଦିଆଯାଉଥିବାରୁ ଅନେକ ରାଜ୍ୟରେ ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଥିଲା। ପ୍ରାଚୀନ ମିଶରର ଶାସକ ଖାଫ୍ରେ, ମେନକାଉରେ, ଆଖେନାଟେନ୍, ରାମେସିଜ, ଦ୍ୱିତୀୟ ତୃତୀୟ ଆଦି ଫେରୋମାନଙ୍କ ପ୍ରତିମୂର୍ତ୍ତି ସେମାନଙ୍କ ଜୀବନକାଳରେ ନିର୍ମିତ ହୋଇଥିଲା (ଖ୍ରୀ.ପୂ ୩୧୦୦-୩୦)। ସେହିଭଳି ଟଲେମି ଦ୍ୱିତୀୟ (ଖ୍ରୀ.ପୂ. ୨୮୪-୨୪୬), ଏଣ୍ଟି ଏକୋଶ୍ ୪ର୍ଥ (ଖ୍ରୀ.ପୂ. ୧୭୫-୧୬୪), ଆଲେକ୍ଜାଣ୍ଡାର (ଖ୍ରୀ.ପୂ. ୩୫୬-୩୨୩), ରୋମର ଅଗଷ୍ଟସ୍ (ଖ୍ରୀ.ପୂ. ୬୩-ଖ୍ରୀଷ୍ଟାବ୍ଦ ୧୪) ଆଦି ଶାସକଙ୍କ ପ୍ରତିମୂର୍ତ୍ତି ନିର୍ମିିତ ହୋଇଥିଲା। ରାଜାଙ୍କ ଜୀବନକାଳରେ ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ ଭାରତରେ କ୍ୱଚିତ ଦେଖିବାକୁ ମିଳେ। ୧୯୧୧ରେ ପୁରାତତ୍ତ୍ୱବିତ୍ ରାୟବାହାଦୁର ପଣ୍ଡିତ ରାଧାକୃଷ୍ଣଙ୍କ ଦ୍ୱାରା ମଥୁରାର ମାଟ୍ଠାରେ ରାଜା କନିଷ୍କଙ୍କ ଏକ ମୁଣ୍ଡବିହୀନ ପ୍ରତିମୂର୍ତ୍ତି ଆବିଷ୍କୃତ ହେଲା। ସେଥିରେ ଲେଖାଅଛି ମହାରାଜା ରାଜାଧିରାଜ ଦେବପୁତ୍ର କନିଷ୍କ। ଏହା ତାଙ୍କ ଜୀବନକାଳରେ ନିର୍ମିତ ହୋଇଥିଲା ବୋଲି ଐତିହାସିକମାନେ ଅନୁମାନ କରୁଛନ୍ତି। ସେ ଯାହାହେଉ, ସେଥିରେ ରାଜାଙ୍କୁ ଦେବପୁତ୍ର ବୋଲି କୁହାଯାଇଛି। ଏହିଭଳି ଅନ୍ୟତ୍ର ଜୀବନକାଳରେ ନିର୍ମିତ ରାଜାଙ୍କ ପ୍ରତିମୂର୍ତ୍ତି ମିଳେନାହିଁ। ସ୍ବାଧୀନ ଭାରତରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ନିଜେ ଜୀବିତ ବ୍ୟକ୍ତିଙ୍କର ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରୁଥିଲେ, ତଥାପି ନେହେରୁଙ୍କ ସମୟରେ ତାଙ୍କ ନିଜର ପ୍ରତିମୂର୍ତ୍ତି ହୋଇଥିଲା। କେ. କାମରାଜ ମାଡ୍ରାସ୍ର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ପ୍ରତିମୂର୍ତ୍ତି ନେହେରୁ ଉନ୍ମୋଚନ କରିଥିଲେ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ମାୟାବତୀ ନିଜ ପ୍ରତିମୂର୍ତ୍ତି ନିଜେ ଉନ୍ମୋଚନ କରିଥିଲେ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିମୂର୍ତ୍ତି ଯଦି ନିର୍ମାଣ କରାଯାଏ, ତା’ହେଲେ ଏହି ଧାରାର ପରିସମାପ୍ତି ଘଟିନାହିଁ ବୋଲି କହିବାକୁ ହେବ।
ଆମେ ଗଣତନ୍ତ୍ରକୁ ଗ୍ରହଣ କରିଛୁ। ଗଣତନ୍ତ୍ରରେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସରକାର ଲୋକମାନଙ୍କ ପାଇଁ କାମ କରନ୍ତି। ସମାନତା ଏହାର ମୂଳମନ୍ତ୍ର। ଏଠାରେ ଶାସକ ଓ ଶାସିତ ମଧ୍ୟରେ ଦୂରତା ନ ଥାଏ। ପ୍ରଶାସକକୁ ଈଶ୍ୱରଙ୍କ ପ୍ରତିନିଧି ଭାବରେ ବିଚାର ନ କରି ଜନସାଧାରଣଙ୍କ ପ୍ରତିନିଧି ଭାବରେ ଗ୍ରହଣ କରାଯାଏ। ପ୍ରଶାସକ ନିଜ ଇଚ୍ଛା ଅନୁସାରେ ଅଖଣ୍ଡ କ୍ଷମତା ପ୍ରୟୋଗ କରିପାରନ୍ତି ନାହିଁ। ସମୂହ ନିଷ୍ପତ୍ତିରେ ଶାସନ ଚାଲେ। ଏଥିରେ ରାଜକୀୟ ଆଡ଼ମ୍ବର ଓ ଅହଂକାରର ସ୍ଥାନ ନ ଥାଏ। ଏଣୁ ଗଣତନ୍ତ୍ରକୁ ସର୍ବୋତ୍ତମ ଶାସନ ପ୍ରଣାଳୀ ବୋଲି କୁହାଯାଏ। ମାତ୍ର ଜନତାଙ୍କ ଦ୍ୱାରା ନିର୍ବାଚିତ ନେତା ବା ଶାସକ କ୍ରମେ ନିଜକୁ ସର୍ବଶକ୍ତିମାନ ଓ ଅପ୍ରଶ୍ନନୀୟ ଭାବରେ ପ୍ରତିଷ୍ଠା କରିବାକୁ ଚେଷ୍ଟାକଲେ ଗଣତାନ୍ତ୍ରିକ ସଂସ୍ଥା ଭୁଶୁଡ଼ିପଡ଼େ। ପୁନଶ୍ଚ କାଳକ୍ରମେ ଯଦି ନେତାଙ୍କ ପରିବାର ବା ବଂଶର ଲୋକେ ପୁରୁଷାନୁକ୍ରମେ ନେତା ହୁଅନ୍ତି, ତାହା ମଧ୍ୟ ରାଜତନ୍ତ୍ର ଅନୁରୂପ ହୋଇଯାଏ। ଗଣତନ୍ତ୍ର ବ୍ୟକ୍ତିପୂଜା ବିରୋଧୀ। ଜନତା ଯଦି ଜଣେ ନେତା ପ୍ରତି ଅନ୍ଧଭକ୍ତି ପ୍ରଦର୍ଶନ କରନ୍ତି ସଂସଦ, ନ୍ୟାୟପାଳିକା, ଗଣମାଧ୍ୟମ ଦୁର୍ବଳ ହୋଇଯିବା ସ୍ବାଭାବିକ। ଭାରତର ଏସବୁ ବିଲକ୍ଷଣଗୁଡ଼ିକ ପରିଲକ୍ଷିତ ହେବାକୁ ବସିଲାଣି। ବଂଶାନୁକ୍ରମେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ବିଧାୟକ ହେବା ସାଧାରଣ ଘଟଣା ହେଲାଣି। କେନ୍ଦ୍ରରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କଠାରୁ ଏହି ଧାରା ଆରମ୍ଭ ହୋଇଛି। ଉତ୍ତରାଧିକାରୀ କ୍ରମେ ଅଖିଳେଶ ଯାଦବ, ଏମ୍.କେ. ଷ୍ଟାଲିନ, ଓମାର ଅବଦୁଲ୍ଲା, ନବୀନ ପଟ୍ଟନାୟକ, ଉଦ୍ଧବ ଠାକ୍ରେ ପ୍ରମୁଖ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ହୁଏତ ଯୋଗ୍ୟତା ଦୃଷ୍ଟିରୁ ନିର୍ବାଚିତ ହୋଇଥାଇପାରନ୍ତି, ମାତ୍ର ସମସ୍ତଙ୍କ କ୍ଷେତ୍ରରେ ସେଭଳି ହୋଇନାହିଁ। ଭାରତରେ ଗଣତନ୍ତ୍ରର ରାଜତନ୍ତ୍ରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳ, ନୀତି ଓ ପ୍ରତିଷ୍ଠାନ ଅପେକ୍ଷା ଜଣେ ନେତାଙ୍କ ବ୍ୟକ୍ତିତ୍ୱ ଓ ଲୋକପ୍ରିୟତାକୁ ଗୁରୁତ୍ୱ ଦିଆଯାଇଛି। ଦଳର ନାମ ଅପେକ୍ଷା ନେତାଙ୍କ ନାମରେ ନିର୍ବାଚନ ପ୍ରଚାର ହେଉଛି। ନେତାଙ୍କ ଛବି ଓ ବ୍ୟକ୍ତିତ୍ୱକୁ ନିର୍ବାଚନର ମୁଖ୍ୟ ଆଧାର କରାଯାଇଛି। ଦଳୀୟ ନୀତିଠାରୁ ନେତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ପ୍ରଭାବଶାଳୀ ମନେହେଉଛି। ଦଳ ଜିତିଲେ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ନିର୍ବାଚନ ପୂର୍ବରୁ ଘୋଷଣା କରାଯାଉଛି। ଫଳରେ ଗଣତନ୍ତ୍ର ବ୍ୟକ୍ତିତନ୍ତ୍ରରେ ପରିଣତ ହେଉଛି।
ସାଧାରଣ ଜୀବନରୁ ଆସିଥିବା ଲୋକେ ଶାସନ କଲେଣି, ମାତ୍ର ରାଜତନ୍ତ୍ରର ବିଳାସ ଯାଇନାହିଁ। ମନ୍ତ୍ରୀମାନେ ଯେପରି ବାଦ୍ୟଯନ୍ତ୍ରର ବିକଟ ଧ୍ୱନି ଓ ନୃତ୍ୟ ମାଧ୍ୟମରେ ବ୍ୟୟବହୁଳ ଶୋଭାଯାତ୍ରା କରୁଛନ୍ତି ତାହା ରାଜତନ୍ତ୍ରର ଭ୍ରମ ସୃଷ୍ଟିକରୁଛି। ଅତୀତରେ ରାଜା ରଥରେ ଗଲାବେଳେ ଯେପରି ମହାଡମ୍ବରରେ ପାତ୍ରମନ୍ତ୍ରୀ, ପାରିଷଦବର୍ଗଙ୍କ ଗହଣରେ ଯାଉଥିଲେ ଆଜି ବି ମନ୍ତ୍ରୀମାନେ ନିଜର ଅନୁଚରବର୍ଗ ଓ ଅଧୀନ କର୍ମଚାରୀଙ୍କ ଗହଣରେ ଯାଉଛନ୍ତି। ରଥ ସିନା ନାହିଁ, ତା’ର ଆକୃତି ବଦଳି ଦୁର୍ମୂଲ୍ୟ କାର୍ ଆସିଛି।
ଏ କଥା ମଧ୍ୟ ସ୍ମରଣ କରିବାକୁ ହେବ ଯେ ପ୍ରତିମୂର୍ତ୍ତି ନିର୍ମାଣକରି ଆମେ କାହାକୁ ଅମର କରିପାରିବା ନାହିଁ। ଏମିତି ଦିନ ଆସିବ ସମୟର କରାଳ ସ୍ରୋତରେ ପ୍ରତିମୂର୍ତ୍ତି ଲୁପ୍ତହୋଇଯିବ। ମିଶରର ଶାସକ ରାମସେଜ୍ ଦ୍ୱିତୀୟ ନିଜର ଅନେକ ମନ୍ଦିର ଓ ପ୍ରତିମୂର୍ତ୍ତି ନିର୍ମାଣ କରାଇଥିଲେ। କାଳର କରାଳ ସ୍ରୋତରେ ସେସବୁ ନିଶ୍ଚିହ୍ନ ହେବାକୁ ଯାଉଛି। ଏହାକୁ ଆଧାରକରି ଇଂରେଜ କବି ଶେଲୀ ‘ଓଜିମାଣ୍ଡିଆସ୍’ ଶୀର୍ଷକରେ ତାଙ୍କର ଗୋଟିଏ ଖଣ୍ଡବିଖଣ୍ଡିତ ମୂର୍ତ୍ତିକୁ ଆଧାରକରି ଏକ କବିତା ଲେଖିଛନ୍ତି। ପ୍ରତିମୂର୍ତ୍ତିଟିଏ ପାଦପୀଠରେ ଖୋଦିତ ହୋଇଥିଲା, ‘ମୁଁ ଓଜିମାଣ୍ଡିଆସ୍, ରାଜାମାନଙ୍କର ରାଜା। ହେ ଶକ୍ତିଶାଳୀ ବୀରମାନେ। ମୋର କୃତିତ୍ୱକୁ ଦେଖ ଓ ମୋ ସଙ୍ଗେ ସମାନ ପରିଗଣିତ ହେବାର ଆଶା ପରିତ୍ୟାଗ କର’। କିନ୍ତୁ ସେ ମୂର୍ତ୍ତି ଆଜି ଖଣ୍ଡବିଖଣ୍ଡିତ। ମରୁଭୂମିର ବାଲି ମଧ୍ୟରେ ଅର୍ଦ୍ଧ ଅନାବୃତ୍ତ ହୋଇ ପଡ଼ିରହିଛି ମୂର୍ତ୍ତିର ଔଦ୍ଧତ୍ୟ ପ୍ରତିଫଳନ କରୁଥିବା ଭଗ୍ନ ମୁହଁ। ପ୍ରତିମୂର୍ତ୍ତି ନିର୍ମାଣକରି ଅମର ରହିବାର ପ୍ରଚେଷ୍ଟା ପରାହତ ହୋଇଛି। ବିଡ଼ମ୍ବନାର ବିଷୟ ଯେ, ଆଜି ବି ମଣିଷ ଅମର ରହିବା ପ୍ରଚେଷ୍ଟାରୁ ବିରତ ହୋଇନାହିଁ।
ଟିଟିଲାଗଡ଼, ମୋ: ୭୦୦୮୩୬୯୯୨୦
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।