ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ପ୍ରଶାସନକୁ ଘେରିଲା କଂଗ୍ରେସ
ହିଞ୍ଜିଳିକାଟୁ, ୧୬।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବୁଧବାର ପୂର୍ବାହ୍ନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ହିଞ୍ଜିଳିକାଟୁ ନିକଟ ଘୋଡ଼ାହାଡ଼ ନଦୀରେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଘଟଣା ପରେ ହିଞ୍ଜିଳିକାଟୁ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅନ୍ୟ ପକ୍ଷରେ ପୂଜା ପୂର୍ବରୁ ମେଢ଼ ଆୟୋଜକ, ପୋଲିସ ଓ ପ୍ରଶାସନର ମିଟିଂକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ନିୟମ ପାଳନ ପାଇଁ ମିଳିତ ବୈଠକ ଆୟୋଜନ ହେଉଥିବା ବେଳେ ନୀତିନିୟମ ପାଳନ ଓ ଏହାର ତଦାରଖ ପାଇଁ କାହାରି ମଧ୍ୟ ଆନ୍ତରିକତା ନଥିବା ଅଭିଯୋଗ ହୋଇଛି।
ବୁଧବାର ସକାଳେ ହିଞ୍ଜିଳିକାଟୁ ମାଣିକନଗରସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର ପକ୍ଷରୁ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା ହୋଇଥିଲା। ଶିକ୍ଷକଙ୍କ ସମେତ ବହୁ ଛାତ୍ର ଘୋଡ଼ାହାଡ଼ ନଦୀ ନିକଟକୁ ଯାଇଥିଲେ। ବିସର୍ଜନ ସମୟରେ କୌଣସି କାରଣରୁ ୪ ଛାତ୍ର ନଦୀ ଭିତରକୁ ଯାଇଥିଲେ । ହଠାତ୍ ସମସ୍ତେ ପାଣିରେ ବୁଡ଼ିଯାଇଥିଲେ । ଛାତ୍ରମାନଙ୍କ ପାଟି ଶୁଣି ଏହି ସ୍ଥାନୀୟ ଲୋକେ ୨ ଛାତ୍ରଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ୨ ଜଣ ପାଣିରେ ବୁଡ଼ିଯାଇଥିଲେ । ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ ପହଞ୍ଚି ନଦୀ ପାଣିରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଦ୍ୱୟ ନାବାଳକ ଛାତ୍ର ହେଲେ ବଇଞ୍ଚବଣିଆ ନେତାଜୀ ମାର୍ଗର ଆଦର୍ଶ ସାହୁ (୧୪) ଓ ଗାୟତ୍ରୀନଗରର ପ୍ରିତମ ସମେଲୀ (୧୪)। ଉଦ୍ଧାର ହୋଇଥିବା ଛାତ୍ର ଦ୍ୱୟ ହେଲେ ଓମ୍ ପ୍ରଧାନ ଓ ଅଂଶୁମାନ ପାଣିଗ୍ରାହୀ।
ଘଟଣା ପରେ ମୃତ ଛାତ୍ରଙ୍କ ପରିବାର ଓ ଆତ୍ମୀୟ ମେଡିକାଲରେ ପହଞ୍ଚିଥିଲେ। କାନ୍ଦବୋବାଳିରେ ମେଡିକାଲ ପରିସର ଫାଟି ପଡ଼ିଥିଲା। ଖବରପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ଦୁଇ ମୃତଦେହ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୨୧/୨୬ ଓ ୨୨/୨୬ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।
ମୃତ ଛାତ୍ରଙ୍କ ଅଭିଭାବକ କୋଚିଂ ସେଣ୍ଟର ଶିକ୍ଷକଙ୍କ ଦାୟିତ୍ୱହୀନତା ନେଇ ଅଭିଯୋଗ କରିଛନ୍ତି। ଶିକ୍ଷକ ନଦୀ କୂଳରେ ରହି ନାବାଳକ ଛାତ୍ରମାନଙ୍କୁ ନଦୀ ଭିତରକୁ ପଠାଇଥିବା ସେମାନେ କହିଛନ୍ତି। ସହରକୁ ପାନୀୟ ଜଳ ଯୋଗାଣ ପାଇଁ ଉକ୍ତ ସ୍ଥାନରେ ଇନଟେକ ଓ୍ବେଲ ରହିଛି। ପାଣି ସଂରକ୍ଷଣ କାରଣରୁ ସେଠାରେ ପ୍ରାୟ ୧୦ ଫୁଟ ଗଭୀର ପାଣି ରହିଥିବା କୁହାଯାଉଛି । ଏହାସହ ବିସର୍ଜନ ପୂର୍ବରୁ ପ୍ରଶାସନକୁ ଅବଗତ କରାଯାଇଥିଲା କି ନାହିଁ, ତାହା ମଧ୍ୟ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ, ମୂର୍ତ୍ତି ବିସର୍ଜନ ପାଇଁ ପୂର୍ବରୁ ପୋଲିସ ଥାନାରେ ୨୦ ତାରିଖ ସଂଧ୍ୟାରେ ସାମୁହିକ ବିସର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ଗଣେଶ ପୂଜା ଠାରୁ ବିସର୍ଜନ ଦିନ ଅଧିକ ରହିବା ଓ ପାଠପଢ଼ା ଦେଖି କୋଚିଙ୍ଗ ସେଣ୍ଟର ଗୁଡିକ ନିଜ ଇଚ୍ଛାରେ ମୂର୍ତ୍ତି ବିସର୍ଜନ ନିଷ୍ପତ୍ତି ନେଇଥିଲେ । ଅନ୍ୟପକ୍ଷରେ ପୌର ପ୍ରଶାସନ ପକ୍ଷରୁ ବିସର୍ଜନ ପାଇଁ କୃତ୍ତିମ ପୋଖରୀ ବ୍ୟବସ୍ଥା କରାଯାଇନାହି । ସୁରକ୍ଷିତ ବିସର୍ଜନ ବ୍ୟବସ୍ଥା ଥିଲେ ଏଭଳି ଅଘଟଣକୁ ରୋକାଯାଇପାରିଥାନ୍ତା ବୋଲି କଂଗ୍ରେସ ନେତା ଶିବରାମ ପ୍ରଧାନ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ନିୟମ ପାଳନ ଓ ସୁରକ୍ଷିତ ପୂଜା ପାଇଁ ନିଷ୍ପତ୍ତି କେବଳ ଲୋକଦେଖାଣିଆ ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି । ଏହି ଘଟଣା ପରେ ଅଞ୍ଚଳରେ ଗଭୀର ଶୋକ ସୃଷ୍ଟି ହୋଇଛି।
Dharitri – Odisha’s No.1 Odia Daily
>
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।