ଗାଁକୁ ବ୍ୟାପିଲାଣି କ୍ୟାମ୍ପସ ରାଜନୀତି; ମହାବିଦ୍ୟାଳୟ ଛାଡି ଗାଁରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ

Oct 11, 2026 - 20:01
ଗାଁକୁ ବ୍ୟାପିଲାଣି କ୍ୟାମ୍ପସ ରାଜନୀତି; ମହାବିଦ୍ୟାଳୟ ଛାଡି ଗାଁରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ

ବଞ୍ଚୋ,୧୧।୧୦(ପ୍ରଦୋଷ ବିଶ୍ୱାଳ ): କ୍ୟାମ୍ପସରୁ ଗାଁ ମୁହାଁ ହେଲାଣି ଛାତ୍ର ସଂସଦ ନିର୍ବାଚନର ତାତି । ମହାବିଦ୍ୟାଳୟ ପରିସରରେ ସୀମିତ ରହିନାହିଁ ଛାତ୍ର ରାଜନୀତି । ଏବେ ଗାଁ ଗାଁରେ ଚାଲିଛି ପ୍ରଚାର ଓ ଘର ଘର ବୁଲି ଭୋଟ ଭିକ୍ଷା । ରବିବାର ମହାବିଦ୍ୟାଳୟ ବନ୍ଦ ଥିବାରୁ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳକୁ ଯାଇ ଛାତ୍ରୀମାନଙ୍କ ସମର୍ଥନ ହାସଲ ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଏହି କ୍ରମରେ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟର ସଭାନେତ୍ରୀ ପ୍ରାର୍ଥିନୀ ଜ୍ୟୋତ୍ସ୍ନାରାଣୀ ଭୂତିଆ ପ୍ରଚାରରେ ଆଗୁଆ ରହିଥିବା ଦେଖିବାକୁ ମିଳିଛି । ସେ ରବିବାର ଆନନ୍ଦପୁର ପୌରାଞ୍ଚଳ ସମେତ ଘଷିପୁରା ଓ ଆନନ୍ଦପୁର ବ୍ଲକ୍‌ର ୧୫ରୁ ଊର୍ଦ୍ଧ୍ୱ ଗାଁକୁ ଗସ୍ତ କରି ଘର ଘର ବୁଲି ପ୍ରଚାର କରିଛନ୍ତି ।

ଛାତ୍ରୀମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ସହ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାକୁ ଉଦ୍ୟମ କରିଛନ୍ତି ।
ଜ୍ୟୋତ୍ସ୍ନାରାଣୀଙ୍କ ସହ ଉପସଭାନେତ୍ରୀ ପ୍ରାର୍ଥିନୀ ମୋନାଲିସା ସାହୁ, ସହସମ୍ପାଦିକା ପ୍ରାର୍ଥିନୀ କାଜଲ ପାତ୍ର ଓ କ୍ରୀଡ଼ା ସମ୍ପାଦକ ପ୍ରାର୍ଥୀ ବର୍ଷାରାଣୀ ସାହୁ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ । ସମସ୍ତେ ନିଜ ନିଜ ପଦବୀ ପାଇଁ ସମର୍ଥନ ହାସଲ କରିବା ଲକ୍ଷ୍ୟରେ ଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାର୍ଥୀମାନେ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି।

ଜ୍ୟୋତ୍ସ୍ନାରାଣୀଙ୍କ ସହ ଲିପ୍ସାରାଣୀ ସାହୁ, ସୁଚିସ୍ମିତା ଜେନା, ନିବେଦିତା ସାହୁ, କିରଣ ମନୀଷା ପଣ୍ଡିତ ଓ ମିତାଞ୍ଜଳି ଖଟୁଆ ପ୍ରମୁଖ ବିଭିନ୍ନ ଗ୍ରାମରେ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ । ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେ ଗାଁ ଗାଁରେ ଉତ୍ସାହ ଓ ରାଜନୈତିକ ଚର୍ଚ୍ଚା ବଢ଼ିବାରେ ଲାଗିଛି । ପ୍ରାର୍ଥୀମାନେ ଦିନତମାମ ପ୍ରଚାର କରିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜ ନିଜ ସମର୍ଥକଙ୍କ ସହ ଜନସମ୍ପର୍କ ଜାରି ରଖିଛନ୍ତି । ଆଗାମୀ ଦିନରେ ପ୍ରଚାର ଅଭିଯାନ ଆହୁରି ଜୋରଦାର ହେବା ସହ ନିର୍ବାଚନୀ ମାହୋଲ ଅଧିକ ସରଗରମ ହେବାର ଆଶା କରାଯାଉଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।