ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

Sep 24, 2026 - 16:18
ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ । ଏନଏସି ମାନ୍ୟତା ପାଇବାର ୫୦ ବର୍ଷ ହୋଇଗଲେ ମଧ୍ୟ ଗୁଡାରିରୁ ରାଜଧାନୀ ଭୁବନେଶ୍ୱର ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ବିଶାଖାପାଟଣା ପାଇଁ ସିଧାସଳଖ ଓ ଏସଆରଟିସି ବସ ସୁବିଧା ସରକାର କେବେ ଯୋଗାଇଦେବେ କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ପ୍ରଶ୍ନର ଉତ୍ତରରେ କହିଥିଲେ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ଭୁବନେଶ୍ୱର ଠାରୁ ଗୁଡାରି ପର୍ଯ୍ୟନ୍ତ ସିଧାସଳଖ ଏକ ବସ ସେବା ୧ ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଥିଲା। କିନ୍ତୁ ଉକ୍ତ ମାର୍ଗରେ ବିଭିନ୍ନ ଅସୁବିଧା ହେତୁ ଏହି ସେବାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଉକ୍ତ ବସର ପୁନଃ ଚଳାଚଳ ନିମନ୍ତେ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ।

ଆଗାମୀ ଦିନରେ ଯାତ୍ରୀଙ୍କ ଯାତାୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାର୍ଗ ସର୍ବେକ୍ଷଣ କରିବା ପରେ ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଡାରି ଏନଏସିଠାରୁ ବିଶାଖାପାଟଣାକୁ ସିଧାସଳଖ ବସ ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ଏହି ସେବା ପ୍ରଦାନ ନିମନ୍ତେ ବିଧାୟକ ସତ୍ୟଜିତ ଗମାଙ୍ଗ ପୂର୍ବରୁ ମଧ୍ୟ ବିଧାନସଭାରେ ପ୍ରଶ୍ନ କରିଥିଲେ।
ଗୁଡାରିରୁ ରାଜଧାନୀ ଭୁବନେଶ୍ୱର ଓ ବିଶାଖାପାଟଣାକୁ ସିଧାସଳଖ ସରକାରୀ ବସ ସେବା ପ୍ରଦାନ ନିମନ୍ତେ ଗୁଡାରି ଅଞ୍ଚଳବାସୀ ପୂର୍ବରୁ ୨ ଥର ପରିବହନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହାଛଡା ୨ ଥର ଗୁଡାରି ବନ୍ଦ ଡାକରା ଦିଆଯାଇଥିଲା। ଗତ ୨୨ ତାରିଖରେ ମଧ୍ୟ ଏହି ଦାବି ନେଇ ଗୁଡାରିରେ ବନ୍ଦ ପାଳନ ହୋଇଥିଲା। ଖୁବ ଶୀଘ୍ର ଏହି ସେବା ପ୍ରଦାନ ନିମନ୍ତେ ଅଞ୍ଚଳବାସୀ ପରିବହନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।