ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

Oct 03, 2026 - 13:09
ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ ପତି ଅସୁସ୍ଥ ହୋଇପଡ଼ିଛନ୍ତି। ଯାତ୍ରା ସମୟରେ ମିଲକା ପାଙ୍ଗା ନିକଟରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ପଦ୍ମପୁର ପୋଲିସ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରିଛି।

ସୂଚନାଯୋଗ୍ୟସ୍‌, ଗୁଡ଼ାରୀ ଅଞ୍ଚଳରୁ ଭୁବନେଶ୍ୱରକୁ ସରକାରୀ ବସ୍‌ ସେବା ଯୋଗାଇଦେବା ନିମନ୍ତେ ପ୍ରମୋଦ ଗତ ୧୮ ଜୁଲାଇ ୨୦୨୬ରେ ବିଡିଓଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବିପତ୍ରରେ ସେ ସ୍ପଷ୍ଟ କରିଥିଲେ ଯେ, ୩୦ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଉଭୟ ପଟୁ ବସ୍‌ ସେବା ଆରମ୍ଭ ନ ହେଲେ, ସେ ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ)ରୁ ଗୁଡ଼ାରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସାଇକେଲ ଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ।

ଧାର୍ଯ୍ୟ ସମୟସୀମା ଶେଷ ହୋଇଥିଲେ ମଧ୍ୟ ଗୁଡ଼ାରୀ ଅଞ୍ଚଳର ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରତି ସରକାର କୌଣସି ପଦକ୍ଷେପ ନ ନେବାରୁ, ସେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ତେବେ ଯାତ୍ରାର ବାଟରେ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।