ଗୃହ ମନ୍ତ୍ରଣାଳୟ ବୈଠକ ପରେ ସୋନମ ୱାଙ୍ଗଚୁକଙ୍କ ବଡ଼ ଚେତାବନୀ: କହିଲେ- ଆନ୍ଦୋଳନ ହିଁ…

Sep 10, 2026 - 09:49
ଗୃହ ମନ୍ତ୍ରଣାଳୟ ବୈଠକ ପରେ ସୋନମ ୱାଙ୍ଗଚୁକଙ୍କ ବଡ଼ ଚେତାବନୀ: କହିଲେ- ଆନ୍ଦୋଳନ ହିଁ…

ନୂଆଦିଲ୍ଲୀ,୧୦।୯: ଲଦାଖର ଭବିଷ୍ୟତ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ଠୋସ ସମାଧାନ ବାହାରି ପାରିନାହିଁ। ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ Leh Apex Body (LAB) ଓ Kargil Democratic Alliance (KDA)ର ସବ-କମିଟି ମଧ୍ୟରେ ବୈଠକ ପରେ ଲଦାଖ ପ୍ରତିନିଧିମଣ୍ଡଳ ନିରାଶା ପ୍ରକାଶ କରିଛି।

ପ୍ରତିନିଧିମଣ୍ଡଳର ଦାବି ଅନୁସାରେ, ପ୍ରାୟ ୪ ମାସ ପରେ ହୋଇଥିବା ଏହି ବୈଠକରେ ମଧ୍ୟ ଲଦାଖ ପାଇଁ ପ୍ରସ୍ତାବିତ ଗଣତାନ୍ତ୍ରିକ ଢାଞ୍ଚା ନେଇ ସରକାରଙ୍କ ପକ୍ଷରୁ କୌଣସି ଲିଖିତ ଡ୍ରାଫ୍ଟ ଦିଆଯାଇନାହିଁ। ତେବେ ସରକାରଙ୍କ ପକ୍ଷରୁ ଲଦାଖରେ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ଏକ UT-ସ୍ତରୀୟ ନିର୍ବାଚିତ ସଂସ୍ଥା ଗଠନ ନେଇ ଆଲୋଚନା ହୋଇଥିବା ଖବର ମଧ୍ୟ ଆସିଛି।

ଲଦାଖର ସାମାଜିକ କର୍ମୀ ତଥା LAB ସହ ଜଡ଼ିତ ସୋନମ ୱାଙ୍ଗଚୁକ କହିଛନ୍ତି ଯେ ପୂର୍ବ ବୈଠକ ମେ’ ୨୨ରେ ହୋଇଥିଲା। ଏଥରର ବୈଠକରେ ଗୃହ ମନ୍ତ୍ରଣାଳୟ ପୂର୍ବ ଆଲୋଚନା ଆଧାରରେ ଏକ ଠୋସ ପ୍ରସ୍ତାବ ରଖିବ ବୋଲି ଆଶା କରାଯାଇଥିଲା।

କିନ୍ତୁ ୱାଙ୍ଗଚୁକଙ୍କ ଅନୁସାରେ, ତାଙ୍କୁ କିଛି ପ୍ରଶ୍ନର ତାଲିକା ଦିଆଯାଇଛି ଏବଂ ଏସବୁ ଉପରେ ପରବର୍ତ୍ତୀ ବୈଠକରେ ଆଲୋଚନା ହେବ ବୋଲି କୁହାଯାଇଛି। ଆସେମ୍ବଲି, ସିଧାସଳଖ ପରିସୀମା ନିର୍ଦ୍ଧାରଣ ଓ ନିର୍ବାଚନ ଭଳି ପ୍ରସଙ୍ଗ ପୂର୍ବରୁ ମଧ୍ୟ ଆଲୋଚନା ହୋଇସାରିଥିବାରୁ ଏଥିରେ ବିଶେଷ ନୂଆ ପ୍ରଗତି ହୋଇନଥିବା ସେ କହିଛନ୍ତି।

ପରବର୍ତ୍ତୀ ଆଲୋଚନା ଅକ୍ଟୋବରର ପ୍ରଥମ ସପ୍ତାହରେ କାର୍ଗିଲରେ କରିବା ନେଇ ସହମତି ହୋଇଥିବା ଜଣାପଡ଼ିଛି। ଲଦାଖ ପ୍ରତିନିଧିମାନେ ଆଶା କରୁଛନ୍ତି ଯେ ଆଗାମୀ ବୈଠକରେ ଗଣତାନ୍ତ୍ରିକ ଢାଞ୍ଚା ନେଇ ସରକାର ଏକ ଠୋସ ପ୍ରସ୍ତାବ ସହ ଆଗକୁ ଆସିବ।

ୱାଙ୍ଗଚୁକଙ୍କ ଅନୁସାରେ, ଲଦାଖରେ ଶୀଘ୍ର ଗଣତାନ୍ତ୍ରିକ ଭାବେ ନିର୍ବାଚିତ ବିଧାନସଭା ଗଠନ କରିବା ହେଉଛି ପ୍ରତିନିଧିମାନଙ୍କ ପ୍ରମୁଖ ଦାବି। ଆଗାମୀ ସଂସଦର ଶୀତକାଳୀନ ଅଧିବେଶନରେ ଏନେଇ ପ୍ରସ୍ତାବ ରଖାଯାଇ ନିର୍ବାଚନ ଓ ଗଣତାନ୍ତ୍ରିକ ସଂସ୍ଥା ଗଠନ ପ୍ରକ୍ରିୟା ଆରମ୍ଭ ହେଉ ବୋଲି ସେମାନେ ଚାହୁଁଛନ୍ତି।

ବୈଠକରେ ଏକ ସକାରାତ୍ମକ ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇଛି। ୱାଙ୍ଗଚୁକଙ୍କ ଅନୁସାରେ, ୨୪ ସେପ୍ଟେମ୍ବର ୨୦୨୫ର ଘଟଣାରେ ମୃତ ଓ ଆହତ ଲୋକଙ୍କୁ କ୍ଷତିପୂରଣ ଦେବା ନେଇ ସରକାର ସହମତି ପ୍ରକାଶ କରିଛନ୍ତି। ଏଥିପାଇଁ ଅନୁମୋଦନ ମିଳିସାରିଛି ଏବଂ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଅଧିକାରୀମାନେ କହିଥିବା ସେ ଦାବି କରିଛନ୍ତି। ୨୦୨୫ ସେପ୍ଟେମ୍ବରରେ ଲଦାଖରେ ରାଜ୍ୟ ମାନ୍ୟତା ଓ ଅଧିକ ସ୍ବାୟତ୍ତତା ଦାବିକୁ ନେଇ ହୋଇଥିବା ଆନ୍ଦୋଳନ ହିଂସାତ୍ମକ ହୋଇଥିଲା।
ତେବେ ଆନ୍ଦୋଳନ ସହ ଜଡ଼ିତ ଲୋକଙ୍କ ବିରୋଧରେ ରୁଜୁ ମାମଲାଗୁଡ଼ିକର ସ୍ଥିତି ଏବେ ବି ସ୍ପଷ୍ଟ ହୋଇନାହିଁ।

ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ମାମଲାଗୁଡ଼ିକୁ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରିବା ପ୍ରସ୍ତାବକୁ ଲଦାଖ ପ୍ରତିନିଧିମଣ୍ଡଳ ଗ୍ରହଣ କରିନାହିଁ। ୱାଙ୍ଗଚୁକଙ୍କ କହିବା ଅନୁସାରେ, ସେମାନଙ୍କ ଦାବି ହେଉଛି ସମସ୍ତ ମାମଲା ଏକାଥରକେ ପ୍ରତ୍ୟାହାର କରାଯାଉ। ଏହି ଦାବି ଉପରେ ବିଚାର କରିବାକୁ ସରକାର କହିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବେ ମାନି ନିଆଯାଇଛି ବୋଲି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।