ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…
କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ ହୋଇଆସୁଛି। ଗୋଚର ଜମି ଚିହ୍ନଟ କରି ଜବରଦଖଲ ମୁକ୍ତ କରିବା ଦାବିରେ ଗ୍ରାମର ଝସ କେତନ ଚୌଧୁରୀଙ୍କ ନେତୃତ୍ୱରେ ଗ୍ରାମବାସୀ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ରାଜସ୍ବ ବିଭାଗ ପକ୍ଷରୁ ଜମି ଚିହ୍ନଟ କରାଯାଇ ଗୋଚର ଜମିରେ ଚାଷ କାର୍ଯ୍ୟ ଉପରେ ରୋକ ଲଗାଯାଇଥିଲା। ଏହାକୁ ନେଇ ଜବରଦଖଲକାରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ କେନ୍ଦ୍ର କରି କିଛି ବ୍ୟକ୍ତି ଝସ କେତନ ଚୌଧୁରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ସେ ମାନବାଧିକାର କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରି ନିଜର ସୁରକ୍ଷା ସହ ଘଟଣାର ତଦନ୍ତ ଓ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଘଟଣାଟି ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ପ୍ରକାଶ ଥାଉକି, ଏହି ଗ୍ରାମରେ ମୋଟ୍ ୯୨ ଏକର ଗୋଚର ଜମି ଥିବାବେଳେ ରାଜସ୍ବ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୪୭ ଏକର ଜମି ଚିହ୍ନଟ କରାଯାଇଛି। ବାକି ଦ୍ୱିତୀୟ ପର୍ଯ୍ୟାୟରେ ହେବ ବୋଲି ଜଣାପଡ଼ିଛି l ତେବେ ଚାଷ କାର୍ଯ୍ୟରେ ରୋକ ଲାଗିଥିଲେ ମଧ୍ୟ କିଛି ବ୍ୟକ୍ତି ଆଇନକୁ ବେଖାତିର କରି ଧାନଚାଷ କରିଥିବା ଅଭିଯୋଗ ହେଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।