ଗୌତମ ଗମ୍ଭୀରଙ୍କ ଏହି ପ୍ଲାନରେ ଖୁସି ନାହାନ୍ତି ଗାଭାସ୍କର! କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୧୮।୧୦: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ୨-୨ରେ ଶେଷ ହୋଇଛି । ଶନିବାର ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବାରୁ ଉଭୟ ଦଳ ଟ୍ରଫି ଭାଗ କରିଛନ୍ତି । ସିରିଜ୍ରେ ଭାରତୀୟ ବୋଲର୍ଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ପୂର୍ବତନ କ୍ରିକେଟର୍ ସୁନୀଲ ଗାଭାସ୍କର ଦଳର ରଣନୀତିକୁ ନେଇ ନିଜ ମତ ରଖିଛନ୍ତି।
ସିରିଜ୍ ଡ୍ର’ରେ ଶେଷ ହେବା ପରେ ଶ୍ରେୟସ ଆୟର ବୋଲିଂରେ ଉନ୍ନତିର ଆବଶ୍ୟକତା ଥିବା କହିଥିଲେ । ତାଙ୍କ ମତରେ, ବୋଲିଂ ଆଉ ଟିକିଏ ଭଲ ହୋଇଥିଲେ ସିରିଜ୍ର ଫଳାଫଳ ଭିନ୍ନ ହୋଇପାରିଥାନ୍ତା। ସିରିଜ୍ରେ ୱେଷ୍ଟଇଣ୍ଡିଜ୍ ନିଜର ୪ଟି ଇନିଂସ୍ ମଧ୍ୟରୁ ୩ଟିରେ ୨୦୦ରୁ ଅଧିକ ରନ୍ କରିଥିଲା। ଗାଭାସ୍କରଙ୍କ ମତରେ, ଭାରତ ୮ ଜଣ ବ୍ୟାଟର୍ଙ୍କୁ ନେଇ ଖେଳିବା ଦଳର ବୋଲିଂକୁ ଦୁର୍ବଳ କରିଦେଇଥିଲା। ଦଳରେ ଅତିକମ୍ରେ ୪ ଜଣ ନିୟମିତ ବୋଲର୍ ରହିବା ଆବଶ୍ୟକ। ଏହା ସହିତ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଏପରି ଅଲ୍ରାଉଣ୍ଡର୍ ରହିବା ଉଚିତ, ଯେଉଁମାନେ ବ୍ୟାଟିଂ ସହ ବୋଲିଂରେ ମଧ୍ୟ ଅବଦାନ ଦେଇପାରିବେ।
ମ୍ୟାଚ୍ ପ୍ରସାରଣ ସମୟରେ ଗାଭାସ୍କର କହିଥିଲେ, ଅକ୍ଷର ପଟେଲ ଓ ନମନ ଧୀରଙ୍କ ଭଳି ଅଲ୍ରାଉଣ୍ଡର୍ ଦଳର ବୋଲିଂକୁ ଅଧିକ ମଜବୁତ କରିପାରିବେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କ ବିକଳ୍ପ ଖୋଜିବାରେ ଅତ୍ୟଧିକ ଚିନ୍ତା କରିବା ଠିକ୍ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି। ଗାଭାସ୍କରଙ୍କ ଅନୁସାରେ, ହାର୍ଦ୍ଦିକଙ୍କ ସ୍ତରର ଖେଳାଳି ନ ମିଳିଲେ, ତାଙ୍କ ଭଳି ଖେଳାଳି ଖୋଜିବା ପରିବର୍ତ୍ତେ ଭିନ୍ନ ଭୂମିକା ତୁଲାଇପାରୁଥିବା ଖେଳାଳିଙ୍କୁ ସୁଯୋଗ ଦେବା ଉଚିତ । ନମନ ଧୀର ଏପରି ଏକ ଭୂମିକା ତୁଲାଉଛନ୍ତି ବୋଲି ସେ ମତ ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ଅକ୍ଷର ପଟେଲ ଦଳର ପଞ୍ଚମ ନିୟମିତ ବୋଲର୍ ଭାବେ କାମ କରିପାରିବେ। ଯଦି ଅଷ୍ଟମ ସ୍ଥାନ ପର୍ଯ୍ୟନ୍ତ ବ୍ୟାଟିଂକୁ ଅଧିକ ପ୍ରାଧାନ୍ୟ ଦିଆଯାଏ, ତେବେ ବୋଲିଂ ଦୁର୍ବଳ ହେବ ଏବଂ ଦଳକୁ ଏହାର କ୍ଷତି ସହିବାକୁ ପଡ଼ିପାରେ ।
ସୂଚନାଯୋଗ୍ୟ, ସିରିଜ୍ର ଅଧିକାଂଶ ମ୍ୟାଚ୍ରେ ଭାରତ କେବଳ ୩ ଜଣ ବିଶେଷଜ୍ଞ ବୋଲର୍ଙ୍କୁ ନେଇ ଖେଳିଥିଲା। ଚତୁର୍ଥ ଟି-୨୦ରେ ମୟଙ୍କ ଯାଦବ, ଅର୍ଶଦୀପ ସିଂହ ଓ ପ୍ରିନ୍ସ ଯାଦବ ଦଳର ପୂର୍ଣ୍ଣକାଳୀନ ବୋଲର୍ ଥିଲେ। ଶେଷ ମ୍ୟାଚ୍ରେ ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲା। ଏହା ସହ ଅଲ୍ରାଉଣ୍ଡର୍ ନୀତୀଶ ରେଡ୍ଡୀ, ଅକ୍ଷର ପଟେଲ ଓ ନମନ ଧୀର ମଧ୍ୟ ବୋଲିଂ ବିକଳ୍ପ ଭାବେ ରହିଥିଲେ। ତେବେ ଦଳର ଏହି ଟିମ୍ କମ୍ବିନେସନ୍ ଯୋଗୁଁ ବୋଲିଂର ଗଭୀରତା ପ୍ରଭାବିତ ହୋଇଥିବା ଏବଂ ଏହାର ଫାଇଦା ୱେଷ୍ଟଇଣ୍ଡିଜ୍ ବ୍ୟାଟର୍ମାନେ ଉଠାଇଥିବା ମତ ଦେଇଛନ୍ତି ଗାଭାସ୍କର।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।