ଘନଉଛି ବଲାଙ୍ଗୀର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତ୍ୟୁ ମାମଲା ।

Sep 21, 2026 - 19:15
ଘନଉଛି ବଲାଙ୍ଗୀର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତ୍ୟୁ ମାମଲା ।

ନନ୍ଦିଘୋଷ ବ୍ୟୁରୋ :  ଘନଉଛି ବଲାଙ୍ଗୀର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତ୍ୟୁ ମାମଲା । ୨୪ ଘଣ୍ଟା ପରେ ବି ରହସ୍ୟ ଉପୁରୁ ହଟିନି ପରଦା । ହତ୍ୟା ନା ଆତ୍ମହତ୍ୟା ? ପିସି ଟଙ୍କା ନାଁ ଧାରକରଜ ? କିଏ ପକାଉଥିଲେ ଚାପ ? ତାକୁ ନେଇ ପୋଲିସର ଖୋଳତାଡ଼ ।….  ଗୋଟିଏ ରେଞ୍ଜରେ ୨୦ ବର୍ଷ ଧରି ଚାକିରି। ଭଲ ଗୁଇନ୍ଦା ସୂଚନା ରଖୁଥିବାରୁ ଫରେଷ୍ଟର ବ୍ୟାସଦେବ ସାହୁଙ୍କୁ ଚଢାଉ ଟିମରେ ସାମିଲ କରାଯାଉଥିଲା I ବନ ବିଭାଗର ଦକ୍ଷ ଫରେଷ୍ଟର  ହୋଇଥିବାରୁ ଅନେକ ଥର ବନ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ ବ୍ୟାସ I ବିଭିନ୍ନ ସମୟରେ ଅନ୍ୟତ୍ର ବଦଳି ହୋଇ ପୁଣି ବଲାଙ୍ଗୀର ରେଞ୍ଜକୁ ଫେରି ଆସୁଥିଲେ ବ୍ୟାସଦେବ ସାହୁ । ହେଲେ ଗତକାଲି ଷ୍ଟାଫ କ୍ବାଟର୍ସରୁ ସନ୍ଦେହଜନକ ଭାବେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି I ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ପୋଲିସ I ଗତକାଲି ମଧ୍ୟାହ୍ନରେ ଅଫିସରୁ ଷ୍ଟାଫ୍ କ୍ୱାଟରକୁ ଯାଇଥିଲେ ବ୍ୟାସ  I ଆଉ ଅଫିସକୁ ନ ଫେରିବାରୁ ଅଫିସରେ ଡାଟା ଏଣ୍ଟ୍ରି କାମ କରୁଥିବା ସାନ ପୁଅ ସହ ରେଞ୍ଜର ଯାଇ ଡାକିଥିଲେ I ଭିତରୁ କୌଣସି ଉତ୍ତର ନ ଆସିବାରୁ ଅନ୍ୟ ବନବିଭାଗ ଷ୍ଟାଫ ଓ ପୋଲିସକୁ ଖବର ଦେଇଥିଲେ I ପୋଲିସ ଉପସ୍ଥିତରେ ଝୁଲନ୍ତା ଅବସ୍ଥାରେ ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା I ବ୍ୟାସଙ୍କ ମୃତ୍ୟୁ ପଛରେ ବିଭାଗୀୟ କାମର ୩୦ ପ୍ରତିଶତ ପିସି ବୋଲି ବ୍ୟାସଙ୍କ ପୂର୍ବତନ ସହକର୍ମୀ ଫରେଷ୍ଟର ଭାଗବତ ଦାସ ଖୋଲାଖୋଲି ଗୁରୁତର ଅଭିଯୋଗ ଆଣିବା ପରେ ବିଭାଗୀୟ ଅଧିକାରୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି । …

ସେପଟେ ବିଭାଗୀୟ ଚାପ ଯୋଗୁ ବ୍ୟାସଦେବଙ୍କ ମୃତ୍ୟୁ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅନ୍ୟପଟେ ସେ ମାର୍କେଟରୁ ଲକ୍ଷାଧିକ ଟଙ୍କାର ଧାର ଟଙ୍କା ଉଠାଇଥିଲେ I ଏହି ଟଙ୍କା କାହାକୁ ଦେଇଥିଲେ ?  ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭକରିଛି ।  ମୃତ ଫରେଷ୍ଟରଙ୍କ ମୋବାଇଲ ଜବତ କରି ପ୍ରାଥମିକ ତଦନ୍ତ ଜାରି ରଖିଛି ପୋଲିସ  I  ବଲାଙ୍ଗୀର ରେଞ୍ଜରେ ୨ ଦଶନ୍ଧି ଧରି କାର୍ଯ୍ୟ କରୁଥିବାରୁ ବନବିଭାଗ ସବୁ କାମ ଓ ନେଣଦେଣ ଜାଣିଥିଲେ ଫରେଷ୍ଟର ବ୍ୟାସଦେବ ସାହୁ I ନିଜ ନାଁରେ କାମ କରୁଥିବାରୁ ଅନେକ ଲୋକଙ୍କ ଠାରୁ ସେ ଟଙ୍କା ମଧ୍ୟ ନେଇଥିଲେ । ହେଲେ ସେ ଟଙ୍କା ଫେରାଇ ପାରୁନଥିବା ମଧ୍ୟ ଚର୍ଚ୍ଚା ହେଉଛି  I ବଲାଙ୍ଗୀର ସହର ତାଳପାଲିପଡାର ସୌମ୍ୟରଞ୍ଜନ ପଣ୍ଡା ଅଗଷ୍ଟ ୨୧ ତାରିଖରେ ଧାର ଦେଇଥିବା ୩ ଲକ୍ଷ ଟଙ୍କା ଫେରସ୍ତ ପାଇଁ ବ୍ୟାସଙ୍କୁ କରିଥିବା ଓକିଲ ନୋଟିସ ନନ୍ଦିଘୋଷ ଟିଭିର ହସ୍ତଗତ ହୋଇଛି  I

ପିସି ପାଇଁ ଡିଏଫଓ, ଏସିଏଫ, ରେଞ୍ଜରଙ୍କ ଚାପ ରହିଥିଲା ନା ଧାର କରିଥିବା ଲକ୍ଷାଧିକ ଟଙ୍କା ଫେରସ୍ତ କରିନପାରି ଚାପରେ ଫରେଷ୍ଟର ବ୍ୟାସ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।